ସଂସଦରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ

ସଂସଦରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ,ମାନନୀୟ ସଦସ୍ୟଗଣ,1. ସଂସଦର ଉଭୟ ସଦନରେ ଏକାଠି ଭାଷଣ ଦେବା ମୋତେ ଅତି ଆନନ୍ଦ ଦେଉଛି। ଗତ ବର୍ଷ ଭାରତର ଦ୍ରୁତ ବିକାଶ ଏବଂ ଏହାର ସମୃଦ୍ଧ ଐତିହ୍ୟ ପାଇଁ ସ୍ମରଣୀୟ ହୋଇ ରହିଛି। ଏହି ସମୟ ଅନେକ ପ୍ରେରଣା ନେଇ ଆସିଛି। ବର୍ତ୍ତମାନ ଭାରତ ବନ୍ଦେ ମାତରମର 150 ବର୍ଷ ପାଳନ କରୁଛି। ଏହି ଗଭୀର ପ୍ରେରଣାର ଉତ୍ସ ପାଇଁ ଭାରତର ଲୋକମାନେ ଋଷି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଏହି ପବିତ୍ର ଅବସରରେ ସଂସଦରେ ଏକ ବିଶେଷ ଆଲୋଚନା ଆୟୋଜନ କରାଯାଇଥିବାରୁ ମୁଁ ମାନନୀୟ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି।ମାନନୀୟ ସଦସ୍ୟଗଣ,2. ଏହି ସମୟ ମଧ୍ୟରେ, ନାଗରିକମାନେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଶହୀଦ ହେବାର 350ତମ ବାର୍ଷିକୀକୁ ଗଭୀର ଶ୍ରଦ୍ଧାର ସହିତ ପାଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମ ବାର୍ଷିକୀ ବର୍ଷରେ, ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା ଏବଂ ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ମନେ ପକାଇଥିଲା।ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମ ବାର୍ଷିକୀ ସହିତ ଜଡିତ ଘଟଣାଗୁଡ଼ିକ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଦୃଢ଼ କରିଛି। ସମସ୍ତ ନାଗରିକ ଏହା ମଧ୍ୟ ଦେଖିଥିଲେ ଯେ ଭାରତ ରତ୍ନ ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ପାଳନ ସଙ୍ଗୀତ ଏବଂ ଜାତୀୟ ଏକତାର ଭାବନାରେ ପରିପୂର୍ଣ୍ଣ ଥିଲା।ଯେତେବେଳେ ନାଗରିକମାନେ ସେମାନଙ୍କର ଗୌରବମୟ ଅତୀତର ଏହି ମହାନ ପର୍ଯ୍ୟାୟ ଏବଂ ସେମାନଙ୍କ ପୂର୍ବପୁରୁଷଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାନ୍ତି, ଏହା ନୂତନ ପିଢ଼ିକୁ ପ୍ରେରଣା ଦିଏ। ଏହି ପ୍ରେରଣା ‘ବିକଶିତ ଭାରତ’ ଆଡ଼କୁ ଦେଶର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିଥାଏ।ମାନନୀୟ ସଦସ୍ୟଗଣ,3. 2026 ବର୍ଷ ଆରମ୍ଭ ହେବା ସହିତ, ଦେଶ ଚଳିତ ଶତାବ୍ଦୀର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି। ଭାରତ ପାଇଁ ଚଳିତ ଶତାବ୍ଦୀର ପ୍ରଥମ 25 ବର୍ଷର ସମାପ୍ତି ଅନେକ ସଫଳତା, ଗୌରବମୟ ଉପଲବ୍ଧି ଏବଂ ଅସାଧାରଣ ଅଭିଜ୍ଞତା ଦେଖିବାକୁ ମିଳିଛି । ଗତ 10-11 ବର୍ଷ ମଧ୍ୟରେ, ଭାରତ ପ୍ରତ୍ୟେକ କ୍ଷେତ୍ରରେ ଏହାର ମୂଳଦୁଆକୁ ମଜବୁତ କରିଛି। ଏହି ସମୟ 2047 ସୁଦ୍ଧା ‘ବିକଶିତ ଭାରତ’ ହେବା ଦିଗରେ ଭାରତର ଦ୍ରୁତ ଯାତ୍ରା ପାଇଁ ଏକ ଦୃଢ଼ ଆଧାରଶିଳା ପାଲଟିଛି।ମାନନୀୟ ସଦସ୍ୟଗଣ,4. ବାବା ସାହେବ ଆମ୍ବେଦକର ସର୍ବଦା ସମାନତା ଏବଂ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଦେଇଥିଲେ। ଆମର ସମ୍ବିଧାନ ମଧ୍ୟ ସମାନ ଭାବନା ନେଇ ଆମକୁ ପ୍ରେରଣା ଦିଏ। ସାମାଜିକ ନ୍ୟାୟର ଅର୍ଥ ହେଉଛି, କୌଣସି ଭେଦଭାବ ବିନା ପ୍ରତ୍ୟେକ ନାଗରିକଙ୍କୁ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିବା । ମୋ ସରକାର ପ୍ରକୃତ ଅର୍ଥରେ ସାମାଜିକ ନ୍ୟାୟ ପ୍ରତି ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ଏହାର ଫଳସ୍ୱରୂପ, ଗତ ଦଶନ୍ଧିରେ 25 କୋଟି ନାଗରିକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ମୋ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ, ଗରିବଙ୍କୁ ସଶକ୍ତ କରିବାର ଅଭିଯାନ ଅଧିକ ବେଗରେ ଆଗକୁ ବଢ଼ିଛି।• ଗତ ଦଶନ୍ଧିରେ, ଗରିବଙ୍କ ପାଇଁ ଚାରି କୋଟି ପକ୍କା ଘର ନିର୍ମାଣ କରାଯାଇଛି। ଗତ ବର୍ଷ ଗରିବଙ୍କୁ 32 ଲକ୍ଷ ନୂତନ ଘରର ମାଲିକାନା ଦିଆଯାଇଛି।• ଜଳ ଜୀବନ ମିଶନର ପାଞ୍ଚ ବର୍ଷ ମଧ୍ୟରେ, 12.5 କୋଟି ନୂତନ ପରିବାରକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି। ଗତ ବର୍ଷ ମଧ୍ୟରେ, ପ୍ରାୟ ଏକ କୋଟି ନୂତନ ପରିବାରରେ ଟ୍ୟାପ୍ ପାଣି ସଂଯୋଗ ପହଞ୍ଚିଛି।• ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ, ଆଜି ପର୍ଯ୍ୟନ୍ତ, 10 କୋଟିରୁ ଅଧିକ ପରିବାରକୁ ଏଲପିଜି ସଂଯୋଗ ଯୋଗାଇ ଦିଆଯାଇଛି, ଏବଂ ଏହି ଅଭିଯାନ ଗତ ବର୍ଷ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଛି।• ମୋ ସରକାର ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ସଚ୍ଚୋଟତାକୁ ସଂସ୍ଥାଗତ ରୂପ ଦେଇଛି। ଗତ ଗୋଟିଏ ବର୍ଷ ମଧ୍ୟରେ, ମୋ ସରକାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ହିତାଧିକାରୀମାନଙ୍କୁ 6.75 ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସହାୟତା ରାଶି ସିଧାସଳଖ ପ୍ରଦାନ କରିଛି।ମାନନୀୟ ସଦସ୍ୟଗଣ,5. ମୋ ସରକାର ଅବହେଳିତ, ପଛୁଆ ବର୍ଗ, ଉପେକ୍ଷିତ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ସମେତ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରୁଛି। ସବକା ସାଥ, ସବକା ବିକାଶର ଦୃଷ୍ଟିକୋଣ ଦେଶର ସମସ୍ତ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଛି। 2014 ଆରମ୍ଭରେ, ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ କେବଳ 25 କୋଟି ନାଗରିକଙ୍କ ପାଖରେ ପହଞ୍ଚିପାରିଥିଲା। ମୋ ସରକାରଙ୍କ ନିରନ୍ତର ପ୍ରୟାସରେ, ଆଜି ପ୍ରାୟ 95 କୋଟି ଭାରତୀୟ ସାମାଜିକ ସୁରକ୍ଷା ଲାଭ ପାଇଛନ୍ତି।• ଗରିବ ରୋଗୀଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ, ଗତ ବର୍ଷ ପର୍ଯ୍ୟନ୍ତ ସାରା ଦେଶର ଡାକ୍ତରଖାନାଗୁଡ଼ିକରେ 11 କୋଟିରୁ ଅଧିକ ମାଗଣା ଚିକିତ୍ସା ଦିଆଯାଇଛି। କେବଳ ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ 2.5 କୋଟି ଗରିବ ରୋଗୀ ମାଗଣା ଚିକିତ୍ସା ପାଇଛନ୍ତି।• ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ, ପ୍ରାୟ ଏକ କୋଟି ବରିଷ୍ଠ ନାଗରିକଙ୍କୁ ବୟ ବନ୍ଦନା କାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଡଗୁଡ଼ିକ ସାହାଯ୍ୟରେ, ପ୍ରାୟ 8 ଲକ୍ଷ ବରିଷ୍ଠ ନାଗରିକ ଡାକ୍ତରଖାନାରେ ରୋଗୀ ଭାବରେ ମାଗଣା ଚିକିତ୍ସା ପାଇଛନ୍ତି।• ଆଜି, ସାରା ଦେଶରେ ସ୍ଥାପିତ 1 ଲକ୍ଷ 80 ହଜାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସହାୟତାରେ, ରୋଗୀମାନେ ସେମାନଙ୍କ ଘର ପାଖରେ ଚିକିତ୍ସା ପାଇବା ନିଶ୍ଚିତ କରିଛନ୍ତି।ମୋ ସରକାର ପ୍ରମୁଖ ରୋଗ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଲଢ଼େଇ ଲଢ଼ିଛି। ସିକଲ୍ ସେଲ୍ ଏନିମିଆ ନିରାକରଣ ମିଶନ ଅଧୀନରେ 6.5 କୋଟିରୁ ଅଧିକ ନାଗରିକଙ୍କ ସ୍କ୍ରିନିଂ କରାଯାଇଛି। ଏହା ଅନେକ ଆଦିବାସୀ ଅଞ୍ଚଳରେ ଏହି ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଛି।ମିଶନ ମୋଡ୍‌ରେ କରାଯାଇଥିବା ଅଭିଯାନଗୁଡ଼ିକ ଜାପାନୀ ଏନସେଫାଲାଇଟିସ୍ ଭଳି ରୋଗ ଉପରେ ପ୍ରଭାବୀ ନିୟନ୍ତ୍ରଣ ଆଣିଛି। ଉତ୍ତର ପ୍ରଦେଶର ଅନେକ ଅନୁନ୍ନତ ଏବଂ ଗ୍ରାମାଞ୍ଚଳରେ, ଏହି ରୋଗର ପ୍ରଭାବୀ ପ୍ରତିରୋଧ ସୁନିଶ୍ଚିତ କରାଯାଇଛି।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ଚକ୍ଷୁ ରୋଗ ଟ୍ରାକୋମା ମୁକ୍ତ ଘୋଷଣା କରିବା ଗର୍ବର ବିଷୟ।ମୋ ସରକାର ପ୍ରତ୍ୟେକ ନାଗରିକଙ୍କୁ ବୀମା କଭରେଜ୍ ପ୍ରଦାନ କରିବାକୁ ମଧ୍ୟ ପ୍ରତିବଦ୍ଧ। ଏହି ପ୍ରୟାସରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ, ସହାୟତା ଆବଶ୍ୟକ କରୁଥିବା କୋଟି କୋଟି ନାଗରିକ ବୀମା ସୁରକ୍ଷା ପାଇଛନ୍ତି। ଏହି ଯୋଜନାଗୁଡ଼ିକ ଅଧୀନରେ, 24 ହଜାର କୋଟି ଟଙ୍କାରୁ ଅଧିକ ଦାବି ମଧ୍ୟ ବଣ୍ଟନ କରାଯାଇଛି। ଏହି ଯୋଜନାଗୁଡ଼ିକ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ କୋଟି କୋଟି ଗରିବ ଲୋକଙ୍କୁ ସାହାଯ୍ୟ ଯୋଗାଇଛି।ମାନନୀୟ ସଦସ୍ୟଗଣ,6. ଆମ ଦେଶର ଯୁବପିଢ଼ି, କୃଷକ, ଶ୍ରମିକ ଏବଂ ଉଦ୍ୟୋଗୀମାନେ ବିକଶିତ ଭାରତ ନିର୍ମାଣ ଦିଗରେ ନିରନ୍ତର ସେମାନଙ୍କର ଭୂମିକାକୁ ବିସ୍ତାର କରୁଥିବା ଦେଖି ମୁଁ ସନ୍ତୋଷ ଅନୁଭବ କରୁଛି। ଗତ ବର୍ଷର ଉତ୍ସାହଜନକ ପରିସଂଖ୍ୟାନ ଏହାର ପ୍ରମାଣ ଦିଏ।• ଗତ ବର୍ଷ, ଭାରତ 350 ନିୟୁତ ଟନ୍ ରୁ ଅଧିକ ଖାଦ୍ୟ ଶସ୍ୟର ରେକର୍ଡ ଉତ୍ପାଦନ ହାସଲ କରିଛି।• 150 ନିୟୁତ ଟନ୍ ଉତ୍ପାଦନ ସହିତ, ଭାରତ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ପାଲଟିଛି।• ଆମ ଦେଶ ବିଶ୍ୱସ୍ତରରେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ମଧ୍ୟ ହୋଇଛି। ଏହା ନୀଳ ଅର୍ଥବ୍ୟବସ୍ଥାରେ ଦେଶର ସଫଳତାକୁ ପ୍ରତିଫଳିତ କରେ।• ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମଧ୍ୟ, ଭାରତ ବିଶ୍ୱର ସବୁଠାରୁ ସଫଳ ଦେଶ ଭାବରେ ପରିଚିତ ହୋଇଛି। ଏହା ସମବାୟ ଆନ୍ଦୋଳନର ଶକ୍ତିର ଫଳାଫଳ।• ଏହି ସମୟ ମଧ୍ୟରେ ଦେଶର ଉତ୍ପାଦନ କ୍ଷେତ୍ର ମଧ୍ୟ ରେକର୍ଡ ଅଭିବୃଦ୍ଧି ଦେଖାଇଛି। ମୋବାଇଲ୍ ଉତ୍ପାଦନ ଭଳି କ୍ଷେତ୍ରରେ, ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ହୋଇପାରିଛି। 2025-26 ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ, ଭାରତର ସ୍ମାର୍ଟଫୋନ୍ ରପ୍ତାନି 1 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି ବର୍ଷ, ଭାରତ 100 ରୁ ଅଧିକ ଦେଶକୁ ବୈଦ୍ୟୁତିକ ଯାନ ରପ୍ତାନି ଆରମ୍ଭ କରିଛି।ମାନନୀୟ ସଦସ୍ୟଗଣ,8. ମୋ ସରକାର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମୁକ୍ତ ଏକ ବ୍ୟବସ୍ଥା ଗଠନ କରିବାରେ ସଫଳ ହେଉଛି। ଫଳସ୍ୱରୂପ, କରଦାତାଙ୍କ ପ୍ରତ୍ୟେକ ଟଙ୍କା ଦେଶର ବିକାଶ ଏବଂ କଲ୍ୟାଣ ପାଇଁ ଖର୍ଚ୍ଚ ହେଉଛି।ଆଜି, ଭାରତ ଆଧୁନିକ ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ କରୁଛି। ସ୍ଥଳ, ସମୁଦ୍ର ଏବଂ ଆକାଶ ମାର୍ଗରେ ଭାରତର ଦ୍ରୁତ ପ୍ରଗତି ଏବେ ବିଶ୍ୱସ୍ତରୀୟ ଆଲୋଚନାର ବିଷୟ ହୋଇଛି ।• ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଟଳ ଜୀଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା। ଗତ ଏକ ବର୍ଷ ମଧ୍ୟରେ, ଭାରତ ପ୍ରାୟ 18 ହଜାର କିଲୋମିଟର ନୂତନ ଗ୍ରାମୀଣ ରାସ୍ତା ଯୋଡିଛି। ବର୍ତ୍ତମାନ, ଭାରତର ପ୍ରାୟ ସମଗ୍ର ଗ୍ରାମୀଣ ଜନସଂଖ୍ୟା ସଡ଼କ ଦ୍ୱାରା ସଂଯୁକ୍ତ।• ଗରିବ ଏବଂ ମଧ୍ୟବିତ୍ତ ବର୍ଗର ସେବା କରୁଥିବା ଭାରତୀୟ ରେଳବାଇ 100% ବିଦ୍ୟୁତୀକରଣ ଲକ୍ଷ୍ୟ ହାସଲ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।• ମିଜୋରାମର ଆଇଜଲ ଏବଂ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ରେଳ ମାର୍ଗ ସଂଯୋଗ କରାଯାଇଛି। ଗତ ବର୍ଷ, ଯେତେବେଳେ ରାଜଧାନୀ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଆଇଜଲ ରେଳ ଷ୍ଟେସନରେ ପହଞ୍ଚିଲା, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଯାଇଥିବା ଉତ୍ସାହ ସମଗ୍ର ଦେଶ ପାଇଁ ଆନନ୍ଦ ଆଣି ଦେଇଥିଲା।• ଭାରତ ଜମ୍ମୁ ଏବଂ କାଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ୍ ବ୍ରିଜ୍, ଚେନାବ ବ୍ରିଜ୍ ଏବଂ ତାମିଲନାଡୁରେ ନୂତନ ପାମ୍ବନ ବ୍ରିଜ୍ ନିର୍ମାଣ କରି ଭିତ୍ତିଭୂମି କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି।• ଆଜି, ଜମ୍ମୁ ଏବଂ କାଶ୍ମୀରରୁ କେରଳ ପର୍ଯ୍ୟନ୍ତ, 150 ରୁ ଅଧିକ ବନ୍ଦେ ଭାରତ ଟ୍ରେନର ନେଟୱର୍କ ପ୍ରତିଷ୍ଠିତ ହୋଇଛି।• କିଛି ଦିନ ପୂର୍ବରୁ, ବନ୍ଦେ ଭାରତ ଟ୍ରେନର ଏକ ନୂତନ ପିଢ଼ି ରେଳ ସେବାରେ ସାମିଲ ହୋଇଛି। ପଶ୍ଚିମବଙ୍ଗ ଏବଂ ଆସାମ ମଧ୍ୟରେ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ ଚଳାଚଳ ଭାରତରେ ରେଳ ପ୍ରଗତିରେ ଏକ ନୂତନ ସଫଳତା।• ନାଗରିକମାନେ ମଧ୍ୟ ଭାରତର ମେଟ୍ରୋ ନେଟୱର୍କକୁ ନେଇ ଗର୍ବିତ। 2025 ରେ, ଭାରତର ମୋଟ ମେଟ୍ରୋ ନେଟୱର୍କ ଏକ ହଜାର କିଲୋମିଟରର ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବର୍ତ୍ତମାନ ଭାରତରେ ବିଶ୍ୱର ତୃତୀୟ ବୃହତ ମେଟ୍ରୋ ନେଟୱର୍କ ଅଛି।• ମୋ ସରକାର ଆଭ୍ୟନ୍ତରୀଣ ଜଳପଥ ବିକାଶ ପାଇଁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ, ଭାରତରେ କେବଳ ପାଞ୍ଚଟି ଜାତୀୟ ଜଳପଥ ଥିଲା, ଯାହା ଏବେ 100 ଅତିକ୍ରମ କରିଛି। ଏହା ସହିତ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ବିହାର ସମେତ ପୂର୍ବ ଭାରତର ରାଜ୍ୟଗୁଡ଼ିକ ଲଜିଷ୍ଟିକ୍ସ ହବ୍ ଭାବରେ ଉଭା ହେଉଛନ୍ତି।• କ୍ରୁଜ୍ ପର୍ଯ୍ୟଟନ ନଦୀ ଏବଂ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ ସମ୍ଭାବନା ବୃଦ୍ଧି କରୁଛି, ଯାହାଦ୍ୱାରା ସ୍ଥାନୀୟ ଅର୍ଥବ୍ୟବସ୍ଥା ସୁଦୃଢ଼ ହେଉଛି।ମାନନୀୟ ସଦସ୍ୟଗଣ,8. ବର୍ତ୍ତମାନ, ମହାକାଶ ପର୍ଯ୍ୟଟନ ମଧ୍ୟ ଭାରତର ହାତମୁଠାରେ। ଭାରତର ଯୁବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଗସ୍ତ ଏକ ଐତିହାସିକ ଯାତ୍ରାର ଆରମ୍ଭ। ଆଗାମୀ ବର୍ଷଗୁଡ଼ିକରେ, ଆମ ଦେଶ ମହାକାଶରେ ଗୋଟିଏ ଭାରତୀୟ ଷ୍ଟେସନ ପ୍ରତିଷ୍ଠା କରିବା ଦିଗରେ ଆଗକୁ ବଢ଼ିବ। ଦେଶ ଗଗନଯାନ ମିଶନରେ ମଧ୍ୟ ଉତ୍ସାହର ସହିତ କାମ କରୁଛି।ମାନନୀୟ ସଦସ୍ୟଗଣ,9. ଅନେକ ଦଶନ୍ଧି ଧରି ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଏବଂ ପ୍ରତ୍ୟେକ ହିତାଧିକାରୀଙ୍କୁ ଯୋଜନାର ଲାଭ ପ୍ରଦାନ କରିବା ପାଇଁ, ମୋ ସରକାର ‘ପ୍ରଗତି’ ନାମକ ଏକ ନୂତନ ପଦକ୍ଷେପ ଆରମ୍ଭ କରିଥିଲେ। ଡିସେମ୍ବର 2025 ରେ, ପ୍ରଗତିର 50 ତମ ବୈଠକର ଐତିହାସିକ ମାଇଲଖୁଣ୍ଟ ମଧ୍ୟ ହାସଲ କରାଯାଇଥିଲା। ବର୍ଷ ବର୍ଷ ଧରି, ପ୍ରଗତି 85 ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ତ୍ୱରାନ୍ୱିତ କରିଛି ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କାର କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିଛି। ଏହି ପ୍ରଗତି ବୈଠକଗୁଡ଼ିକ ଦ୍ୱାରା ଦେଶର ସଂସ୍କାର-ପ୍ରଦର୍ଶନ-ପରିବର୍ତ୍ତନ ମନ୍ତ୍ରର ସଫଳତାକୁ ବହୁତ ସହାୟତା ମିଳିଛି।ମାନନୀୟ ସଦସ୍ୟଗଣ,10. ଗତ 11 ବର୍ଷ ମଧ୍ୟରେ ଦେଶର ଆର୍ଥିକ ଭିତ୍ତିଭୂମି ଯଥେଷ୍ଟ ମଜବୁତ ହୋଇଛି। ବିଭିନ୍ନ ବିଶ୍ୱ ସଙ୍କଟ ସତ୍ତ୍ୱେ, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବରେ ରହିଆସିଛି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ଭାରତ ଏହାର ରେକର୍ଡକୁ ଆହୁରି ଉନ୍ନତ କରିଛି। ଏହା ଦେଶର ଗରିବ ଏବଂ ମଧ୍ୟବିତ୍ତ ପରିବାରକୁ ସିଧାସଳଖ ଲାଭ ଦେଉଛି। ମୋ ସରକାରଙ୍କ ନୀତିର ଫଳସ୍ୱରୂପ, ନାଗରିକମାନଙ୍କର ଆୟ ବୃଦ୍ଧି ପାଇଛି, ସେମାନଙ୍କର ସଞ୍ଚୟ ବୃଦ୍ଧି ପାଇଛି ଏବଂ ସେମାନଙ୍କର କ୍ରୟ ଶକ୍ତି ମଧ୍ୟ ଉନ୍ନତ ହୋଇଛି।ୟୁରୋପୀୟ ସଂଘ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ସମାପ୍ତ ହେବା ଲାଗି ମୁଁ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି। ଏହା ଭାରତରେ ଉତ୍ପାଦନ ଏବଂ ସେବା କ୍ଷେତ୍ରକୁ ପ୍ରୋତ୍ସାହନ ଦେବ ଏବଂ ଭାରତର ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।ମାନନୀୟ ସଦସ୍ୟଗଣ,11. ଆଜି, ମୋ ସରକାର ‘ସଂସ୍କାର ଏକ୍ସପ୍ରେସ’ ପଥରେ ଆଗକୁ ବଢ଼ୁଛି। ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ପୁରୁଣା ନିୟମ ଏବଂ ବ୍ୟବସ୍ଥାଗୁଡ଼ିକୁ ନିରନ୍ତର ଅପଡେଟ୍ କରାଯାଉଛି।ଜିଏସଟିରେ ଐତିହାସିକ ପରବର୍ତ୍ତୀ ପିଢ଼ିର ସଂସ୍କାର କିପରି ନାଗରିକମାନଙ୍କୁ ଉତ୍ସାହରେ ଭରି ଦେଇଥିଲା ତାହା ସମସ୍ତେ ଦେଖିଛନ୍ତି । ଏହି ସଂସ୍କାର ନାଗରିକମାନଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ସଞ୍ଚୟ ସୁନିଶ୍ଚିତ କରିଥିଲା। ଜିଏସଟି ହ୍ରାସ ପରେ, 2025 ରେ ଦୁଇଚକିଆ ଯାନର ପଞ୍ଜୀକରଣ ଦୁଇ କୋଟି ଅତିକ୍ରମ କରିଛି, ଯାହା ଏକ ନୂତନ ରେକର୍ଡ।ଆୟକର ଆଇନରେ ମଧ୍ୟ ସଂଶୋଧନ କରାଯାଇଛି। 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସ ମୁକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏହି ସଂସ୍କାରଗୁଡ଼ିକ ଗରିବ ଏବଂ ମଧ୍ୟବିତ୍ତ ପରିବାରକୁ ଅଭୂତପୂର୍ବ ଲାଭ ପ୍ରଦାନ କରୁଛି। ଏହା ଦେଶର ଅର୍ଥନୀତିକୁ ମଧ୍ୟ ଏକ ନୂତନ ଗତି ଦେଇଛି।ମାନନୀୟ ସଦସ୍ୟଗଣ,12. ଦେଶରେ ଅନେକ ନୂତନ କ୍ଷେତ୍ରର ଉଦୟ ସହିତ, ଶ୍ରମିକମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ କରିବା ପଛରେ ଏହା ମଧ୍ୟ ପ୍ରାଥମିକ ଉଦ୍ଦେଶ୍ୟ। ଦୀର୍ଘ ସମୟ ଧରି, ଦେଶର ଶ୍ରମଶକ୍ତି ସଂଖ୍ୟାଧିକ ଶ୍ରମ ଆଇନରେ ଫସି ରହିଥିଲା। ଏଗୁଡ଼ିକୁ ବର୍ତ୍ତମାନ କେବଳ ଚାରୋଟି ସଂହିତାରେ ଏକୀକୃତ କରାଯାଇଛି, ଯାହା ଶ୍ରମିକମାନଙ୍କ ପାଇଁ ନ୍ୟାୟସଙ୍ଗତ ମଜୁରୀ ଏବଂ ଭତ୍ତା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଲାଭ ପାଇବା ସହଜ କରିଥାଏ। ଏହି ସଂସ୍କାରଗୁଡ଼ିକରୁ, ଦେଶର ଯୁବପିଢ଼ି ଏବଂ ବିଶେଷକରି ମହିଳାମାନେ ଯଥେଷ୍ଟ ଲାଭ ପାଇବେ।ମାନନୀୟ ସଦସ୍ୟଗଣ,13. ମୋ ସରକାର ଭାରତକୁ ସବୁଜ ଅଭିବୃଦ୍ଧି ଏବଂ ଆଧୁନିକ ପ୍ରଯୁକ୍ତିର ଏକ ଶକ୍ତିଶାଳୀ କେନ୍ଦ୍ର ରୂପେ ପରିଣତ କରିବା ପାଇଁ ନିୟୋଜିତ। ଦ୍ରୁତ ଗତିରେ ବଢୁଥିବା ଡିଜିଟାଲ୍ ଅର୍ଥବ୍ୟବସ୍ଥା, କୃତ୍ରିମ ବୁଦ୍ଧିମତ୍ତା ଏବଂ ଡାଟା ସେଣ୍ଟରଗୁଡ଼ିକରେ ନିବେଶ ବୃଦ୍ଧି ପାଉଛି। ଏହି ନୂତନ ରୂପର ଅର୍ଥବ୍ୟବସ୍ଥ.ରେ ଅଧିକ ଶକ୍ତି ଆବଶ୍ୟକତା ମଧ୍ୟ ରହିଛି। ଏହି ଦିଗରେ ପରମାଣୁ ଶକ୍ତିର ଏକ ପ୍ରମୁଖ ଭୂମିକା ରହିଛି। ସଦ୍ୟ ପ୍ରଣୟନ ହୋଇଥିବା ଶାନ୍ତି ଆଇନ 2047 ସୁଦ୍ଧା 100 ଗିଗାୱାଟ୍ ଆଣବିକ ଶକ୍ତିର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏହି ଐତିହାସିକ ସଂସ୍କାର ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଶଂସା କରୁଛି।ଆଣବିକ ଶକ୍ତି ବ୍ୟତୀତ, ଭାରତ ସୌରଶକ୍ତି କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜଲି ଯୋଜନା ମାଧ୍ୟମରେ, ସାଧାରଣ ଗ୍ରାହକମାନେ ଏବେ ବିଦ୍ୟୁତ ଉତ୍ପାଦନକାରୀ ହେଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ 20 ଲକ୍ଷ ଛାତ ଉପରେ ସୌର ୟୁନିଟ୍‌ ସ୍ଥାପନ କରାଯାଇଛି। ଏହା ଫଳରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇଛି ଏବଂ ଲକ୍ଷ ଲକ୍ଷ ପରିବାର ପାଇଁ ବିଦ୍ୟୁତ ବିଲ୍ ହ୍ରାସ ପାଇଛି।ଏହି ସମସ୍ତ ପ୍ରୟାସ ସହିତ, ଭାରତ ଚଳିତ ଦଶନ୍ଧି ଶେଷ ସୁଦ୍ଧା ନିଶ୍ଚିତ ଭାବରେ 500 ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତାର ଲକ୍ଷ୍ୟ ହାସଲ କରିବ।ମାନନୀୟ ସଦସ୍ୟଗଣ,14. ଯେକୌଣସି ନ୍ୟାୟ ବ୍ୟବସ୍ଥାର ପ୍ରକୃତ ସଫଳତା ନାଗରିକମାନଙ୍କ ମଧ୍ୟରେ ଭୟ ନୁହେଁ ବରଂ ସୁରକ୍ଷା, ସହଜତା ଏବଂ ସଶକ୍ତିକରଣର ଭାବନା ସୃଷ୍ଟି କରିବାର କ୍ଷମତା ଦ୍ୱାରା ମାପ କରାଯାଏ। ଏହି ନୀତିକୁ ଦୃଷ୍ଟିରେ ରଖି, ଭାରତୀୟ ନ୍ୟାୟ ସଂହିତାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉଛି। ଏହା ସହିତ, ଜନ-ବିଶ୍ୱାସ ଆଇନର ଏକ ନୂତନ ସଂସ୍କରଣ ପ୍ରଚଳନ କରାଯାଇଛି। ଏପର୍ଯ୍ୟନ୍ତ, 300 ରୁ ଅଧିକ ବ୍ୟବସ୍ଥାକୁ ଫୌଜଦାରୀ ଅପରାଧ ବର୍ଗରୁ ବାହାର କରାଯାଇଛି।ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ପାଇଁ, ମୋ ସରକାର ଏହି ସଂସ୍କାର ଏକ୍ସପ୍ରେସର ଗତିକୁ ତ୍ୱରାନ୍ୱିତ କରିବା ଜାରି ରଖିବ।ସମ୍ମାନନୀୟ ସଦସ୍ୟଗଣ,15. ସ୍ୱାଧୀନତା ପରେ, ଭାରତର ପ୍ରଗତି କିଛି ସହର ଏବଂ ଅଞ୍ଚଳରେ ଗତିଶୀଳ ହୋଇଥିଲା। ଭାରତର ଏକ ବଡ଼ ଅଂଶ ଏବଂ ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପର୍ଯ୍ୟାପ୍ତ ସୁଯୋଗ ପାଇ ନଥିଲେ। ଆଜି, ମୋ ସରକାର ଅନୁନ୍ନତ ଅଞ୍ଚଳ ଏବଂ ଅବହେଳିତ ଜନସଂଖ୍ୟାର ସମ୍ଭାବନାକୁ ବିକଶିତ ଭାରତର ପ୍ରେରଣା ଶକ୍ତିରେ ପରିଣତ କରୁଛି।ବର୍ତ୍ତମାନ ପୂର୍ବୋଦୟ, ଅର୍ଥାତ୍ ପୂର୍ବ ଭାରତର ଦ୍ରୁତ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଆଜି, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସାମୁଦ୍ରିକ ଅଞ୍ଚଳରେ ପ୍ରଗତିର ନୂତନ ରାସ୍ତା ଦେଖାଯାଉଛି। ଏବେ, ଉତ୍ତର-ପୂର୍ବାଞ୍ଚଳ ମଧ୍ୟ ବିକାଶର ମୁଖ୍ୟଧାରାରେ ସାମିଲ ହେଉଛି। ଉତ୍ତର-ପୂର୍ବାଞ୍ଚଳରେ ଆସାମ ହେଉଛି ଶ୍ରୀମନ୍ତ ଶଙ୍କରଦେବଙ୍କ ପରି ମହାପୁରୁଷଙ୍କ ଭୂମି। ଖୁବ୍ ଶୀଘ୍ର, ଆସାମରେ ନିର୍ମିତ ସେମିକଣ୍ଡକ୍ଟର ଚିପ୍ ବିଶ୍ୱବ୍ୟାପୀ ଇଲେକ୍ଟ୍ରୋନିକ୍ ଉତ୍ପାଦ ପାଇଁ ଏକ ଜୀବନରେଖା ପାଲଟିବ। ଏହି ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ମଧ୍ୟ ଅଭୂତପୂର୍ବ ଧ୍ୟାନ ଦିଆଯାଉଛି।ମାନନୀୟ ସଦସ୍ୟଗଣ,16. ଗତ 11 ବର୍ଷ ମଧ୍ୟରେ, ଉତ୍ତର-ପୂର୍ବାଞ୍ଚଳରେ 7,200 କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଏହା ଦୂରଦୂରାନ୍ତ, ପାହାଡିଆ, ଆଦିବାସୀ ଏବଂ ସୀମାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିବା ସହଜ କରିଛି।ଏହା ସହିତ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ପ୍ରାୟ 50 ହଜାର କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି। ଏହା ବଜାର, ହସ୍ପିଟାଲ ଏବଂ ସ୍କୁଲଗୁଡ଼ିକୁ ଯାତ୍ରା ସମୟରେ ସୁଧାରତି ଆଣିଛି। ଗତ 11 ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ରେଳ ବିକାଶ ପାଇଁ 80 ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇଛି। ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ମିଜୋରାମର ରାଜଧାନୀକୁ ଏବେ ବ୍ରଡଗେଜ୍ ରେଳ ଲାଇନ ମାଧ୍ୟମରେ ସଂଯୋଗ କରାଯାଇଛି। ଏହା ଏହି କ୍ଷେତ୍ରଗୁଡ଼ିକରେ ଆର୍ଥିକ ପ୍ରଗତି, ନିଯୁକ୍ତି ଏବଂ ପର୍ଯ୍ୟଟନ ଶିଳ୍ପ ପାଇଁ ନୂତନ ସୁଯୋଗ ଖୋଲିଛି।ଏହି ଦଶନ୍ଧି ଉତ୍ତର-ପୂର୍ବରେ ସ୍ୱାସ୍ଥ୍ୟ ସୁବିଧା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପର ଏକ ଦଶନ୍ଧି ମଧ୍ୟ ହୋଇଛି। ଇଟାନଗରରେ ରାଜ୍ୟ କର୍କଟ ପ୍ରତିଷ୍ଠାନ ଏବଂ ଆସାମର ଶିବସାଗରରେ ମେଡିକାଲ କଲେଜ ପ୍ରତିଷ୍ଠା କୋଟି କୋଟି ପରିବାରକୁ ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରିବ।ସେହିପରି, ସିକିମର ସିଚେଠାରେ ମେଡିକାଲ କଲେଜ ଏବଂ ଅଗରତାଲାରେ ମହିଳା ଓ ଶିଶୁଙ୍କ ପାଇଁ ଏକ ହସ୍ପିଟାଲ ପ୍ରତିଷ୍ଠା ସ୍ୱାସ୍ଥ୍ୟସେବା ସୁବିଧାକୁ ବହୁ ପରିମାଣରେ ବୃଦ୍ଧି କରିବ। ଏପରି ପ୍ରୟାସ ଉତ୍ତର-ପୂର୍ବ ଅଞ୍ଚଳରେ ଏକ ଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରୁଛି।ମାନନୀୟ ସଦସ୍ୟଗଣ,17. ଯେଉଁମାନେ ପଛରେ ପଡ଼ିଯାଇଛନ୍ତି ସେମାନେ ମୋ ସରକାରଙ୍କ ପାଇଁ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଏହି ପ୍ରାଥମିକତା ଉପରେ କାର୍ଯ୍ୟ କରୁଛି। ଏହି ଯୋଜନା ଅଧୀନରେ, ଆଦିବାସୀଙ୍କ ମଧ୍ୟରେ ସବୁଠାରୁ ବଞ୍ଚିତ ସମ୍ପ୍ରଦାୟର 20 ହଜାରରୁ ଅଧିକ ଗ୍ରାମ ବିକଶିତ କରାଯାଉଛି। ଏହି ଯୋଜନା ମାଧ୍ୟମରେ ଏହି ଗ୍ରାମଗୁଡ଼ିକରେ ଗରିବଙ୍କ ପାଇଁ ପ୍ରାୟ 2.5 ଲକ୍ଷ ଘର ନିର୍ମାଣ କରାଯାଇଛି। ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ମଧ୍ୟ ଆଦିବାସୀ ଅଞ୍ଚଳରେ ଅଭୂତପୂର୍ବ ଗତିରେ ବିକାଶକୁ ତ୍ୱରାନ୍ୱିତ କରୁଛି। ଏହି ଦୁଇଟି କାର୍ଯ୍ୟକ୍ରମରେ ମୋ ସରକାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛି।ଗତ 11 ବର୍ଷ ମଧ୍ୟରେ, ଅନୁସୂଚିତ ଜାତି ସମ୍ପ୍ରଦାୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ 42 ହଜାର କୋଟି ଟଙ୍କାରୁ ଅଧିକ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହା ଦ୍ୱାରା ପ୍ରାୟ ପାଞ୍ଚ କୋଟି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ସରକାର ଆଦିବାସୀ ଅଞ୍ଚଳରେ 400 ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଏଗୁଡ଼ିକ ଆଦିବାସୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଏକ ଉତ୍ତମ ଭବିଷ୍ୟତ ପ୍ରଦାନ କରୁଛି।ମାନନୀୟ ସଦସ୍ୟଗଣ,18. କୃଷିର ଗୁରୁତ୍ୱ ବ୍ୟାଖ୍ୟା କରି ସନ୍ଥ ତିରୁଭଲ୍ଲୁଭର କହିଥିଲେ ଯେ, ସମାଜର ଲୋକମାନେ ଯେଉଁ କାମ କରୁଥାଆନ୍ତୁ ପଛେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଜଣେ କଠିନ ପରିଶ୍ରମୀ ଚାଷୀଙ୍କ କଠିନ ପରିଶ୍ରମ ଉପରେ ନିର୍ଭରଶୀଳ।ଏହାକୁ ଦୃଷ୍ଟିରେ ରଖି, ମୋ ସରକାରଙ୍କ ପାଇଁ ଜଣେ ସମୃଦ୍ଧ ଚାଷୀ ହେଉଛି ବିକଶିତ ଭାରତ ଲାଗି ପ୍ରଥମ ପ୍ରାଥମିକତା। ଏହି ଭାବନା ସହିତ, ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭଳି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ଏପର୍ଯ୍ୟନ୍ତ 4 ଲକ୍ଷ କୋଟି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି।ମୋ ସରକାରଙ୍କ ଦୃଢ଼ ନୀତି ଏବଂ ପଦକ୍ଷେପ ଯୋଗୁଁ ଦେଶରେ କୃଷି ଉତ୍ପାଦନରେ ଦ୍ରୁତ ବୃଦ୍ଧି ଘଟିଛି। 2024-25 ମସିହାରେ ଖାଦ୍ୟଶସ୍ୟ ଏବଂ ଉଦ୍ୟାନ ଫସଲର ରେକର୍ଡ ଉତ୍ପାଦନ ହୋଇଛି। ମୋ ସରକାର ସେହି ଫସଲର ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ କାର୍ଯ୍ୟ କରୁଛି ଯେଉଁଠାରେ ଆମର କୃଷି କ୍ଷେତ୍ର ପଛରେ ଥିଲା। ସରକାରଙ୍କ ଉଦ୍ଦେଶ୍ୟ କୃଷି ଉତ୍ପାଦର ଆମଦାନୀ ହ୍ରାସ କରିବା ମଧ୍ୟ। ଖାଇବା ତେଲ, ତୈଳବୀଜ ଏବଂ ଡାଲି ଜାତୀୟ ମିଶନ ମାଧ୍ୟମରେ, ଦେଶ ଏହି କ୍ଷେତ୍ରଗୁଡ଼ିକରେ ଆତ୍ମନିର୍ଭରଶୀଳତା ଆଡକୁ ଅଗ୍ରସର ହେଉଛି। ଏହାର ଫଳସ୍ୱରୂପ, 2024-25 ରେ, ତୈଳବୀଜ ଫସଲର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି।ଚାଷୀମାନଙ୍କୁ ଅତିରିକ୍ତ ଆୟ ପ୍ରଦାନ କରିବା ପାଇଁ, ମୋ ସରକାର ବିଶ୍ୱ ସ୍ତରରେ ମିଲେଟ୍‌ ବା ଶ୍ରୀ-ଅନ୍ନକୁ ପ୍ରୋତ୍ସାହିତ କରିଚାଲିଛି।ମାନନୀୟ ସଦସ୍ୟଗଣ,19. ଆଜି, ଖାଦ୍ୟଶସ୍ୟ ଉତ୍ପାଦନ ସହିତ, ଚାଷୀମାନଙ୍କୁ ଆର୍ଥିକ ପ୍ରଗତି ପାଇଁ ନୂତନ ମାର୍ଗ ଭାବରେ ପ୍ରାଣୀପାଳନ, ମତ୍ସ୍ୟପାଳନ ଏବଂ ମହୁମାଛି ପାଳନ ସହିତ ମଧ୍ୟ ଯୋଡାଯାଉଛି। ଉପକୂଳରେ ବସବାସ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରର ଲାଭ ପ୍ରଦାନ କରିବା ପାଇଁ ଏକ ନୂତନ ନୀତି ପ୍ରଣୟନ କରାଯାଇଛି। ଏହା ବ୍ୟତୀତ, ସମୁଦ୍ରରେ ସମ୍ବଳ ବ୍ୟବହାର କରିବାରେ ସେମାନଙ୍କୁ ସକ୍ଷମ କରିବା ପାଇଁ ଏକ ନୂତନ ନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି। 2024-25 ରେ, ଦେଶର ମାଛ ଉତ୍ପାଦନ ପ୍ରାୟ 200 ଲକ୍ଷ ଟନକୁ ବୃଦ୍ଧି ପାଇଛି। ଏହା 2014 ତୁଳନାରେ 105 ପ୍ରତିଶତ ବୃଦ୍ଧିକୁ ପ୍ରତିଫଳିତ କରେ।ମାନନୀୟ ସଦସ୍ୟଗଣ,20. କୃଷି କ୍ଷେତ୍ରକୁ ଆଧୁନିକୀକରଣ କରିବା ଏବଂ ଉନ୍ନତ ଲଜିଷ୍ଟିକ୍ସ ସୁବିଧା ପ୍ରତିଷ୍ଠା କରିବା ପାଇଁ ମୋ ସରକାର କୃଷି ଭିତ୍ତିଭୂମି ପାଣ୍ଠି ମଧ୍ୟ ସୃଷ୍ଟି କରିଛି। ଏହି ପଦକ୍ଷେପ ଏପର୍ଯ୍ୟନ୍ତ 1.25 ଲକ୍ଷ କୋଟି ଟଙ୍କାରୁ ଅଧିକ ଘରୋଇ ନିବେଶକୁ ଆକର୍ଷିତ କରିବା ଖୁସିର ବିଷୟ। ଏହା ଯୁବପିଢ଼ିଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଛି। ମୋ ସରକାରଙ୍କ ଦୂରଦୃଷ୍ଟି ଯୋଗୁଁ ଦେଶର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା କୋଡ଼ିଏ ଗୁଣ ବୃଦ୍ଧି ପାଇଛି, ଯାହା ଚାଷୀମାନଙ୍କୁ ସେମାନଙ୍କ ଫସଲର ଉତ୍ତମ ମୂଲ୍ୟ ପାଇବାକୁ ସକ୍ଷମ କରିଛି।ମାନନୀୟ ସଦସ୍ୟଗଣ,21. ଗ୍ରାମାଞ୍ଚଳରେ ନିଯୁକ୍ତି ଏବଂ ବିକାଶ ପାଇଁ, ବିକଶିତ ଭାରତ ଜୀ ରାମ ଜୀ ନାମକ ଏକ ଆଇନ ପ୍ରଣୟନ କରାଯାଇଛି। ଏହି ନୂତନ ଆଇନ ଗାଁରେ 125 ଦିନର ନିଶ୍ଚିତ ନିଯୁକ୍ତି ସୁନିଶ୍ଚିତ କରିବ। ସେହି ସମୟରେ, ଏହା ଦୁର୍ନୀତି ଏବଂ ବାଟମାରଣା ବନ୍ଦ କରିବା ସୁନିଶ୍ଚିତ କରିବ, ଯାହା ପାଇଁ ମୋ ସରକାର ବହୁ ଦିନ ଧରି ପ୍ରୟାସ କରିଆସୁଛି। ଏହି ଯୋଜନା ଗ୍ରାମାଞ୍ଚଳ ବିକାଶକୁ ନୂତନ ଗତି ପ୍ରଦାନ କରିବ। ଚାଷୀ, ଗୋପାଳକ, ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ନୂତନ ସୁବିଧା ସୃଷ୍ଟି କରିବ।ମାନନୀୟ ସଦସ୍ୟଗଣ,22. ମୋ ସରକାର କୃଷି ଏବଂ ପଶୁପାଳନ ଭଳି କ୍ଷେତ୍ରରେ ସମବାୟ ଆନ୍ଦୋଳନକୁ ମଜବୁତ କରୁଛି। ଆଜି, ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ମାଧ୍ୟମରେ, ସମବାୟ ସହିତ ଜଡିତ ବ୍ୟକ୍ତିବିଶେଷମାନେ ଶିଖିବା ଏବଂ ଆଗକୁ ବଢ଼ିବାର ସୁଯୋଗ ପାଉଛନ୍ତି। ଏହା ସହିତ, 10 ହଜାରରୁ ଅଧିକ ଏଫପିଓ ମାଧ୍ୟମରେ କୃଷି କ୍ଷେତ୍ରକୁ ସଶକ୍ତ କରାଯାଉଛି।ମାନନୀୟ ସଦସ୍ୟଗଣ,23. ମୋ ସରକାର ଦୃଢ଼ ଭାବରେ ବିଶ୍ୱାସ କରେ ଯେ ସମସ୍ତ ନାଗରିକଙ୍କୁ ପ୍ରଗତି ପାଇଁ ସମାନ ସୁଯୋଗ ପ୍ରଦାନ କରି ଦେଶର ବିକାଶ ସମ୍ଭବ। ତେଣୁ, ଦେଶ ଆଜି ମହିଳା ନେତୃତ୍ୱାଧୀନ ବିକାଶର ମନ୍ତ୍ର ସହିତ ଆଗକୁ ବଢ଼ୁଛି।ମୋ ସରକାର ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି। ଅନ୍ୟାନ୍ୟ ଯୋଜନାର କେନ୍ଦ୍ରରେ ମଧ୍ୟ ମହିଳାଙ୍କୁ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଜଳ ଜୀବନ ମିଶନ ପର୍ଯ୍ୟନ୍ତ, ପ୍ରତ୍ୟେକ ଯୋଜନାରେ ମହିଳା ହିତାଧିକାରୀଙ୍କୁ ଉଚ୍ଚ ପ୍ରାଥମିକତା ଦିଆଯାଇଛି।ଜାତୀୟ ବିକାଶରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ, ମୋ ସରକାର 10 କୋଟି ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ିଛି। ଆଜି ଦେଶରେ ‘‘ଲକ୍ଷପତି ଦିଦି’’ଙ୍କ ସଂଖ୍ୟା ଦୁଇ କୋଟିରୁ ଅଧିକ। କେବଳ ଗତ ଏକ ବର୍ଷ ମଧ୍ୟରେ, 60 ଲକ୍ଷରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇଛନ୍ତି। ସରକାର ଖୁବ୍ ଶୀଘ୍ର ତିନି କୋଟି ମହିଳାଙ୍କୁ ଲକ୍ଷପତି ଦିଦି ଭାବରେ ସଶକ୍ତ କରିବାର ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି।ମାନନୀୟ ସଦସ୍ୟଗଣ,24. ଦେଶର ଉପାନ୍ତର ଅଞ୍ଚଳରେ, ‘ନମୋ ଡ୍ରୋନ୍ ଦିଦି’ ପ୍ରୟାସ ମଧ୍ୟ ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ଉଭା ହୋଇଛି। ଏହି ପ୍ରଶିକ୍ଷିତ ଡ୍ରୋନ୍ ଦିଦିମାନେ ବର୍ତ୍ତମାନର ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କୃଷି କ୍ଷେତ୍ରକୁ ପରିବର୍ତ୍ତନ କରୁଛନ୍ତି।ମହିଳାମାନଙ୍କ ଆର୍ଥିକ ଉନ୍ନତି ସହିତ, ମୋ ସରକାର ସେମାନଙ୍କର ପୁଷ୍ଟିସାଧନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ଅନ୍ୟ ସମସ୍ତ କ୍ଷେତ୍ର ଉପରେ ଧ୍ୟାନ ଦେଉଛି। ସେପ୍ଟେମ୍ବର 2025ରେ ଆରମ୍ଭ ହୋଇଥିବା ‘‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର’’ ଅଭିଯାନ ଅଧୀନରେ ପ୍ରାୟ ସାତ କୋଟି ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ଅଭିଯାନ ମହିଳାମାନଙ୍କୁ ଶୀଘ୍ର ଚିକିତ୍ସା ଆରମ୍ଭ କରିବାରେ ସାହାଯ୍ୟ କରିଛି।ମାନନୀୟ ସଦସ୍ୟଗଣ,25. ମୋ ସରକାରଙ୍କ ପ୍ରଗତିଶୀଳ ଦୃଷ୍ଟିକୋଣ ଏବଂ ନୀତିର ଫଳସ୍ୱରୂପ, ମହିଳାମାନେ ଦେଶର ପ୍ରତ୍ୟେକ ମହତ୍ୱାକାଂକ୍ଷୀ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିଛନ୍ତି। ଏହି ଦିଗରେ, ଦେଶ କିଛି ମାସ ପୂର୍ବରୁ ଆଉ ଏକ ପ୍ରମୁଖ ସଫଳତା ହାସଲ କରିଛି। ମହିଳା କ୍ୟାଡେଟମାନଙ୍କର ପ୍ରଥମ ବ୍ୟାଚ୍ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ରୁ ସ୍ନାତକ ହୋଇଛନ୍ତି। ଏହା ଏହି ବିଶ୍ୱାସକୁ ଦୃଢ଼ କରିଛି ଯେ ନାରୀ ଶକ୍ତି ଦେଶର ବିକାଶ ଏବଂ ସଶକ୍ତିକରଣର ସର୍ବାଗ୍ରେ ରହିଛି।ମାନନୀୟ ସଦସ୍ୟଗଣ,26. ଶ୍ରୀ ଗୁରୁ ତେଗ ବାହାଦୁର ଜୀ ଆମକୁ ଶିକ୍ଷା ଦେଇଛନ୍ତି – ‘‘ଭୟ କାହୁ କୋ ଦେତ ନାୟ, ନୟ ଭୟ ମନତ ଆନ’’ – ଅର୍ଥାତ୍, ଆମେ ଅନ୍ୟମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଉଚିତ୍ ନୁହେଁ କିମ୍ବା ଅନ୍ୟମାନଙ୍କ ଭୟରେ ବଞ୍ଚିବା ଉଚିତ୍ ନୁହେଁ।କେବଳ ନିର୍ଭୀରତାର ଏହି ଭାବନା ସହିତ ହିଁ ଜାତିର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ଭାରତ ପ୍ରମାଣ କରିଛି ଯେ କ୍ଷମତାକୁ ଦାୟିତ୍ୱ ଏବଂ ବିଚକ୍ଷଣତାର ସହିତ ବ୍ୟବହାର କରାଯାଇପାରିବ। ସିନ୍ଦୂର ଅପରେସନ୍ ସମୟରେ ବିଶ୍ୱ ଭାରତୀୟ ପ୍ରତିରକ୍ଷା ବାହିନୀର ବୀରତ୍ୱ ଏବଂ ପରାକ୍ରମ ଦେଖିଛି। ନିଜସ୍ୱ ସମ୍ବଳ ବ୍ୟବହାର କରି ଆମ ଦେଶ ଆତଙ୍କବାଦୀଙ୍କ ଆଧାର ଶିବିରଗୁଡ଼ିକୁ ଧ୍ୱଂସ କରିଛି। ମୋ ସରକାର ଏକ ଦୃଢ଼ ବାର୍ତ୍ତା ପଠାଇଛି ଯେ ଭାରତ ଉପରେ ଯେକୌଣସି ଆତଙ୍କବାଦୀ ଆକ୍ରମଣର ଦୃଢ଼ ଏବଂ ନିର୍ଣ୍ଣାୟକ ଜବାବ ଦିଆଯିବ। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ମଧ୍ୟ ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇର ଏକ ଅଂଶ। ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ମିଶନ ସୁଦର୍ଶନ ଚକ୍ର ଜାରି ରହିଛି।ମାନନୀୟ ସଦସ୍ୟଗଣ,27. ମୋ ସରକାରଙ୍କ ନୀତି ଅନୁଯାୟୀ, ସୁରକ୍ଷା ବାହିନୀ ମଧ୍ୟ ମାଓବାଦୀ ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ ଭାବରେ କାର୍ଯ୍ୟ କରିଛନ୍ତି। ବର୍ଷ ବର୍ଷ ଧରି ଦେଶର 126 ଜିଲ୍ଲାରେ ଅସୁରକ୍ଷା, ଭୟ ଏବଂ ଅବିଶ୍ୱାସର ବାତାବରଣ ରହିଛି। ମାଓବାଦୀ ଚିନ୍ତାଧାରା ଅନେକ ପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ଆମର ଯୁବପିଢ଼ି, ଆଦିବାସୀ ଏବଂ ଦଳିତ ଭାଇଭଉଣୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ।ଆଜି, ମାଓ ଆତଙ୍କ ସମସ୍ୟା 126 ଜିଲ୍ଲାରୁ ମାତ୍ର ଆଠଟି ଜିଲ୍ଲାରେ ହ୍ରାସ ପାଇଛି। ଏଥିମଧ୍ୟରୁ କେବଳ ତିନୋଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଗତ ଏକ ବର୍ଷ ମଧ୍ୟରେ, ମାଓବାଦ ସହିତ ଜଡିତ ପ୍ରାୟ ଦୁଇ ହଜାର ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *