ଇସ୍କନର ଅଦିନିଆ ରଥଯାତ୍ରା ନେଇ ପ୍ରେସମିଟ
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଅଦିନିଆ ଘୋଷଯାତ୍ରାକୁ ନେଇ କିଛିବର୍ଷ ହେବ ସାରା ବିଶ୍ୱରେ ଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି l ଭାରତ ଓ ବିଦେଶର ବିଭିନ୍ନ ସ୍ଥାନରେ ଇସ୍କନ ଦ୍ୱାରା ଅଦିନିଆ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନକୁ ନେଇ ସବୁ ଯାଗାରେ ଚର୍ଚ୍ଚା ଲାଗିରହିଛି l ସ୍କନ୍ଦ ପୁରାଣ ଓ ବ୍ରହ୍ମପୁରାଣ ଅନୁଯାଇ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆଷାଡ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ l କିନ୍ତୁ ଇସ୍କନ ସଂଗଠନ ଏହାକୁ ମନମାନି କରିବା ସହିତ ପ୍ରାଚୀନ ପରମ୍ପରାକୁ ଉଲଂଘନ କରିଆସୁଛନ୍ତି l ଯାହାକୁ ନେଇ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ ପାଇଛି l ଇସ୍କନ ଅଦିନିଆ ରଥଯାତ୍ରା ବନ୍ଦ କରିବା ନେଇ ଗତ ଅକ୍ଟୋବରରେ 19 ରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ ପରିଚାଳନା ପରିଷଦ କମିଶନକୁ ଚିଠି ଲେଖାଯାଇଥିଲା l ତାହା ସତ୍ୱେ ମଧ୍ୟ ଇସ୍କନ ଗତବର୍ଷ ନଭେମ୍ବର 22 ରେ ନାଇଜେରିଆରେ, ନଭେମ୍ବର 23 ରେ ତାଇୱାନର ତାଇପେଇ ସିଟି, ଡ଼ିସେମ୍ବର 6 ରେ ନେପାଳ, ଡିସେମ୍ବର 13 ରେ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ ସହର, ଡିସେମ୍ବର 27 ରେ ଆମେରିକାର ପୁଏଟୋ ରିକୋ, ଚଳିତବର୍ଷ ଜାନୁଆରୀ 1 ରେ ନ୍ୟୁଜଲ୍ୟାଣ୍ଡ, ଜାନୁଆରୀ 3 ରେ ମାଲେସିଆର କୁଆଲାଲମ୍ପୁର, ଜାନୁଆରୀ 4 ରେ ଆମେରିକାର ଫ୍ଲୋରିଡା ସହର ଏବଂ ଜାନୁଆରୀ 18 ରେ ଆମେରିକା ଆରିଜୋନା ସହରରେ ଅଦିନିଆ ରଥଯାତ୍ରା କରିଆସୁଛନ୍ତି ଯାହାକି ଶାସ୍ତ୍ର ଓ ପରମ୍ପରାର ବିରୋଧି l ଧର୍ମର ବ୍ୟତିକ୍ରମ ଘଟିଲେ ସମାଜ ପାଇଁ ବିପଦ ସୃଷ୍ଟି ହୁଏ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି l ଏହି ବିଷୟକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ୱତ୍ରନ୍ତ୍ର ପତ୍ର ମାଧ୍ୟମରେ ବିଶ୍ୱର ବିଭିନ୍ନ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାର ପ୍ରଦର୍ଶନକୁ ଯଥାଶୀଘ୍ର ବନ୍ଦ କରିବାକୁ ପୁନର୍ବାର ନିବେଦନ କରାଯାଇଛି | ଏହା ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରାଯାଇଛି l
