ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।ବନ୍ଧୁଗଣ, ଅମର ଶହୀଦ ଭଗତ ସିଂ ପ୍ରତ୍ୟେକ ଭାରତବାସୀ, ବିଶେଷକରି ଦେଶର ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ନିର୍ଭୀକତା ତାଙ୍କ ସ୍ୱଭାବରେ ଭରିରହିଥିଲା । ଦେଶ ପାଇଁ ଫାଶିଖୁଣ୍ଟରେ ଝୁଲିବା ପୂର୍ବରୁ ଭଗତ ସିଂ ଇଂରେଜମାନଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଥିଲେ । ସେ କହିଥିଲେ ଯେ, ମୁଁ ଚାହୁଁଛି, ଆପଣ ମୋତେ ଏବଂ ମୋର ବନ୍ଧୁମାନଙ୍କ ସହ ଯୁଦ୍ଧବନ୍ଦୀ ଭଳି ବ୍ୟବହାର କରନ୍ତୁ । ତେଣୁ, ଆମକୁ ଫାଶୀ ନୁହେଁ, ଗୁଳି କରି ହତ୍ୟା କରାଯାଉ । ଏହା ତାଙ୍କ ଅଦମ୍ୟ ସାହସର ପ୍ରମାଣ । ଭଗତ ସିଂ ଲୋକଙ୍କ କଷ୍ଟ ପ୍ରତି ବହୁତ ସମ୍ବେଦନଶୀଳ ଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବାରେ ସର୍ବଦା ଆଗଭର ରହୁଥିଲେ । ମୁଁ ଶହୀଦ ଭଗତ ସିଂଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ବନ୍ଧୁଗଣ, ଆଜି ମଧ୍ୟ ଲତା ମଙ୍ଗେଶକରଙ୍କ ଜୟନ୍ତୀ । ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତରେ ଋଚି ରଖିଥିବା କେହିବି ତାଙ୍କ ଗୀତ ଶୁଣି ଅଭିଭୂତ ନ ହୋଇ ରହିପାରିବ ନାହିଁ । ତାଙ୍କ ଗୀତରେ ସେହି ସବୁକିଛି ଅଛି, ଯାହା ମାନବୀୟ ସମ୍ବେଦନଶୀଳତାକୁ ଆନ୍ଦୋଳିତ କରିଥାଏ । ସେ ଯେଉଁ ଦେଶଭକ୍ତି ଗୀତଗୁଡ଼ିକ ଗାଇଛନ୍ତି, ସେହି ଗୀତଗୁଡ଼ିକ ଲୋକମାନଙ୍କୁ ବହୁତ ପ୍ରେରଣା ଯୋଗାଇଛି । ଭାରତର ସଂସ୍କୃତି ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା । ମୁଁ ଲତା ଦିଦିଙ୍କ ପାଇଁ ଅନ୍ତରରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବନ୍ଧୁଗଣ, ଲତା ଦିଦି ଯେଉଁ ମହାନ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ବୀର ସାବରକର ମଧ୍ୟ ଜଣେ, ଯାହାଙ୍କୁ ସେ ତାତ୍ୟା ବୋଲି ଡାକୁଥିଲେ । ସେ ବୀର ସାବରକରଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।ଲତା ଦିଦିଙ୍କ ସହିତ ମୋର ଯେଉଁ ସ୍ନେହର ବନ୍ଧନ ଥିଲା, ତାହା ସବୁଦିନ ପାଇଁ ଅତୁଟ ରହିଥିଲା । ସେ ପ୍ରତିବର୍ଷ ମନେକରି ମୋତେ ରାକ୍ଷୀ ପଠାଉଥିଲେ । ମୋର ମନେଅଛି, ମରାଠୀ ସୁଗମ ସଙ୍ଗୀତର ମହାନ ଶିଳ୍ପୀ ସୁଧୀର ଫଡ଼କେ ସର୍ବପ୍ରଥମେ ଲତା ଦିଦିଙ୍କ ସହିତ ମୋତେ ପରିଚିତ କରାଇଥିଲେ ଏବଂ ମୁଁ ଲତା ଦିଦିଙ୍କୁ କହିଥିଲି ଯେ, ସୁଧୀର ଜୀଙ୍କ ସ୍ୱର ସଂଯୋଜନାରେ ଆପଣ ଗାଇଥିବା ଗୀତ “ଜ୍ୟୋତି କଲଶ୍ ଛଲକେ” ମୋର ଅତି ପ୍ରିୟ ।ବନ୍ଧୁଗଣ, ଆପଣମାନେ ମଧ୍ୟ ମୋ ସହିତ ଏହାକୁ ଉପଭୋଗ କରନ୍ତୁ ।(audio)ମୋର ପ୍ରିୟ ଦେଶବାସୀଗଣ, ନବରାତ୍ରିର ଏହି ସମୟରେ ଆମେ ଶକ୍ତି ଉପାସନା କରିଥାଉ । ଆମେ ନାରୀ-ଶକ୍ତିର ଉତ୍ସବ ପାଳନ କରିଥାଉ । ବ୍ୟବସାୟ ଠାରୁ ଆରମ୍ଭକରି କ୍ରୀଡ଼ା ପର୍ଯ୍ୟନ୍ତ ଏବଂ ଶିକ୍ଷାଠାରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ, ଯେକୌଣସି କ୍ଷେତ୍ର ଆପଣ ଦେଖନ୍ତୁ, ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛନ୍ତି । ଆଜି ସେମାନେ ଏଭଳି ଆହ୍ୱାନଗୁଡ଼ିକର ମୁକାବିଲା ମଧ୍ୟ କରୁଛନ୍ତି, ଯାହାର କଳ୍ପନା କରିବା ମଧ୍ୟ କଷ୍ଟକର । ମୁଁ ଯଦି ଆପଣଙ୍କୁ ପଚାରେ ଯେ, ଆପଣ କଣ ସମୁଦ୍ରରେ କ୍ରମାଗତ ଭାବେ ୮ ମାସ ଧରି ରହିପାରିବେ ? ଆପଣ କ’ଣ ସମୁଦ୍ରରେ ଆହୁଲା ମାରିବା ଡଙ୍ଗା ଅର୍ଥାତ ପବନର ବେଗରେ ଅଗ୍ରସର ହେଉଥିବା ଡଙ୍ଗାରେ ୫୦ ହଜାର କିଲୋମିଟର ଯାତ୍ରା କରିପାରିବେ ? ତାହା ପୁଣି ଏଭଳି ପରିସ୍ଥିତିରେ ଯେଉଁଠି ସମୁଦ୍ରରେ କେବେ ବି ପାଗ ଖରାପ ହେବାର ଆଶଙ୍କା ଥାଏ! ଏଭଳି କରିବା ଆଗରୁ ଆପଣ ହଜାରେ ଥର ଚିନ୍ତା କରିବେ । କିନ୍ତୁ ଭାରତୀୟ ନୌବାହିନୀର ଦୁଇଜଣ ସାହସୀ ଅଧିକାରୀ ନାବିକା ସାଗର ପରିକ୍ରମା ସମୟରେ ଏହା କରିଦେଖାଇଛନ୍ତି । ସାହସ ଏବଂ ଦୃଢ଼ ସଂକଳ୍ପ କାହାକୁ କୁହାଯାଏ, ତାହା ସେମାନେ ଦେଖାଇ ଦେଇଛନ୍ତି । ଆଜି ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଏହି ଦୁଇ ସାହସୀ ଅଧିକାରୀମାନଙ୍କ ସହିତ ପରିଚିତ କରାଇବାକୁ ଚାହୁଁଛି । ଜଣେ ହେଲେ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା ଏବଂ ଅନ୍ୟ ଜଣେ ହେଲେ ଲେଫ୍ଟେନାଣ୍ଟ କମାଣ୍ଡର ରୁପା । ଏହି ଦୁଇ ଅଧିକାରୀ ଫୋନଲାଇନରେ ଆମ ସହିତ ଯୋଡ଼ି ହୋଇଛନ୍ତି ।
