ଗଣିଆ ମହାନଦୀ ପବ୍ଲିକ ସ୍କୁଲରେ ତାମିଲନାଡୁର ଯୁବ କଲ୍ୟାଣ ଓ କ୍ରିଡା ବିଭାଗର ପ୍ରମୁଖ ସଚିବ
ଗଣିଆ -ପରିଶ୍ରମ କଲେ ସଫଳତା ଆପେ ଆପେ ଚାଲିଆସେ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆଇଏଏସ୍ ଅଫିସର ସତ୍ୟବ୍ରତ ସାହୁ । ଗଣିଆ ବ୍ଳକ ବିଜୟନଗର ଗ୍ରାମର ଏକ ଯୁବକ ଆଜି ତାମିଲନାଡୁ ସରକାରଙ୍କ ଯୁବ କଲ୍ୟାଣ ଏବଂ କ୍ରିଡା ବିଭାଗର ପ୍ରମୁଖ ସଚିବ । ଗାଁରେ ହାଇସ୍କୁଲ ପଢା ସାରି ସେ ସୁଦୂର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କେମେଷ୍ଟ୍ରିରେ ଏମ୍ଏସି କରି ସାରିବା ପରେ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେ ଆଜି ନିଜ ଗାଁକୁ ଆସିଥିବା ବେଳେ ଗଣିଆରେ ଥିବା ଇଂରାଜୀ ମିଡିୟମ ମହାନଦୀ ପବ୍ଲିକ ସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ବିଦ୍ୟାଳୟ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ସ୍ନେହଲତା ମିଶ୍ର, ସମ୍ପାଦକ ପଙ୍କଜ କୁମାର ସାହୁ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କ ସହିତ ସେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଗାଁ ମାଟିର କଥା କହି ପିଲାଙ୍କୁ ସଚେତନ କରିଥିଲେ । ମାଟି ପାଇଁ କିଛି ସ୍ବପ୍ନ ଦେଖି ଆଗକୁ ବଢିଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ ପ୍ରକାଶ କରିଥିଲେ । ସଫଳତାର ଶ୍ରେୟ ସେ ନିଜ ମା’ଙ୍କୁ ଦେବା ସହିତ ମା’ର ମମତା ପିଲାମାନଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ବର୍ଣନା କରିଥିଲେ । ଜଣେ ଆଇଏଏସ ଅଧିକାରୀ ହୋଇଥିଲେ ମଧ୍ୟ ନିରାଡ଼ମ୍ବର ଜୀବନ ଶୈଳୀ ସାଙ୍ଗକୁ ଶାନ୍ତ ସରଳ ସ୍ବଭାବ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଛାତ୍ର ଜୀବନରୁ ସେ ବାହାରେ ଚଳି ଆସିଥିଲେ ମଧ୍ୟ ଗାଁ ମାଟି ଆଜି ତାଙ୍କୁ ଟାଣି ଆଣିଥିଲା । ଛାତ୍ର ଛାତ୍ରୀ ମାନଙ୍କ ସହିତ ଭାବର ଆଦାନପ୍ରଦାନ କଲାବେଳେ ସେ ଅତ୍ୟନ୍ତ ଭାବ ବିହ୍ୱଳ ହୋଇପଡୁଥିଲେ ।
