ଡ଼ ନମିତା କୁମାରୀ ମହାପାତ୍ର
ଅବସରପ୍ରାପ୍ତ ପ୍ରଧ୍ୟାପକ
ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର ।

               ପ୍ରିୟା 

ଟିକିଲି ନାଇଲେ ସିନ୍ଦୁରା ଫିଟେଲୋ
କଜଳ ନାଇଲେ ସୂରୁଜ ଢଳେ
କଜଳ ମଖା ତୋ ନିମୀଳିତ ଆଖି
ନଭେ କଳାମେଘ ଘୋଡେଇ ଦିଏ ।

ଭୟେ ଏଣେତେଣେ ଦେଖୁଥାଉ ଯେବେ
ତ୍ରସ୍ତ ହରିଣୀର ଝଲକ ଦିଏ
ଗଭା ଖୋଲିଦେଲେ ମୟୁରୀ ନାଚେଲୋ
ହସିଦେଲେ ଟିକେ ମୁକୁତା ଝରେ ।

କଥା କହୁଥିଲେ ନାଲି ଓଠ ତୋର
ଗୋଲାପ ପାଖୁଡା ବିଛାଇ ଦିଏ
ନିଶ୍ବାସ ରେ ତୋର ମଲ୍ଲିର ମହକ
ଚଉଦିଗ ବାସ ଚହଟି ଯାଏ ।

ହଳଦି ମଖା ତୋ ସରୁ ସରୁ ପାଦେ
ଅଳତା ନାଇଲେ ବାଟ ଝଟକେ,
ରୁଣୁ ଝୁଣୁ ତୋର ପାଉଞ୍ଚି ବାଜିଲେ
ଟୁପୁରୁ ଟାପୁରୁ ମେଘ ବରଷେ ।

ଚମ୍ପା ଗୋରା ଦେହ କଅଁଳ ଖରାରେ
କନକ ପ୍ରତିମା ଝଟକୁ ଥାଏ
ଚାନ୍ଦିନୀ ରାତିରେ ଜ୍ୟୋସ୍ନାସ୍ନାତ ତନୁ
ତାରକସି ମୂର୍ତ୍ତି ଗଢିଛି କିଏ ।

ଚମ୍ପାକଢି ପରି ଆଙ୍ଗୁଠିରେ ତୋର
ଛୁଇଁ ଦେଲେ ମନ ଚହଲି ଯାଏ
ଗାଧୁଆ ତୁଠରେ ତୋର ଛାଇ ଦେଖି
ନଈ ପାଣି ମଧ୍ୟ ଚମକି ଯାଏ ।


Leave a Reply

Your email address will not be published. Required fields are marked *