ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ରେ ପୁରସ୍କାର ବିତରଣ

ଭୁବନେଶ୍ୱର ୧୨/୧୧/୨୦୨୫ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ର ଶେଷ ତଥା ଦ୍ୱିତୀୟ ଦିନରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓ ରାଜ୍ୟ ଶିଶୁ ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଶିଶୁ ଯନି ଅନୁଷ୍ଠାନର ପିଲାମାନେ ଯୋଗଦେଇ ସାଂସ୍କୃତିକ ଓ ସୃଜନଶୀଳ ପ୍ରତିଯୋଗିତାରେ ସେମାନଙ୍କର ପାରଦର୍ଶିତା ପ୍ରତିପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୃତ୍ୟ, ସଂଗୀତ, ବକ୍ତୃତା, ଚିତ୍ରକଳା ଓ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ ସେମାନେ ସେମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଶୃଙ୍ଖଳାର ପରିଚୟ ଦେଇଥିଲେ ।

ଏହି ପୁରସ୍କାର ଉତ୍ସବରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଏବଂ ସମାଜକଲ୍ୟାଣ ନିର୍ଦ୍ଦେଶକ ଶ୍ରୀମତୀ ମୋନିଷା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ କୃତିବାସ ରାଉତ, ୟୁନିସେଫ୍‌ର ରାଜ୍ୟ ମୁଖ୍ୟ କ୍ଷେତ୍ର ଅଧିକାରୀ ୱିଲିୟମ୍‌ ହଲୋନ୍‌ ଜୁନିୟର ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ପ୍ରତିଭାର ବିକାଶ ଓ ସେମାନଙ୍କୁ ଏକ ନୂତନ ସମ୍ଭାବନା ଦିଗରେ ଅଗ୍ରସର କରାଇବା ଦିଗରେ ଏକ ପ୍ରକୃଷ୍ଟ ମଞ୍ଚ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିଭଳି ଆସନ୍ତାକାଲିଠାରୁ କଳିଙ୍ଗ ଷ୍ଟାଡିୟମ୍‌ଠାରେ ତିନିଦିନିଆ ‘ଉତ୍ସାହ’ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Leave a Reply

Your email address will not be published. Required fields are marked *