୩୦ ତମ ସର୍ବଭାରତୀୟ ସମ୍ମୀଳନୀରେ ବିଶିଷ୍ଟ ଶ୍ରମିକ ନେତାଙ୍କ ମତ ପ୍ରକାଶ
କେନ୍ଦ୍ର ସରକାର ଶ୍ରମିକ କର୍ମଚାରୀଙ୍କ ସ୍ବାର୍ଥ ବିରୋଧୀ ଡାକ କର୍ମଚାରୀଙ୍କ ୩୦ ତମ ସର୍ବଭାରତୀୟ ସମ୍ମୀଳନୀରେ ବିଶିଷ୍ଟ ଶ୍ରମିକ ନେତାଙ୍କ ମତ ପ୍ରକାଶ “ପୁରୀ ୩୦/୧୧- ବିଗତ ୧୧ ବର୍ଷର ବିଜେପି ନେତୃତ୍ୱରେ କେନ୍ଦ୍ର ସରକାର ଶ୍ରମିକ କର୍ମଚାରୀଙ୍କ ସ୍ବାର୍ଥ ବିରୁଦ୍ଧରେ କାମ କରୁଛି ଓ ଶ୍ରମ କୋଡ଼ କାର୍ଯ୍ୟକାରୀ ହେବା ପରେ ଦେଶରେ ଶ୍ରମଜୀବୀ ମଣିଷ ଙ୍କ ସର୍ବନାଶ ହେବ ବୋଲି ବିଶିଷ୍ଟ ଶ୍ରମିକ ନେତାମାନେ ମତ ପ୍ରକାଶ କରିଛନ୍ତି। ଅଖିଳ ଭାରତ ଡାକ କର୍ମଚାରୀ ଉନିୟନ ( ପୋଷ୍ଟମେନ୍ ଓ ଏମ୍ ଟି ଏସ) ର ପୁରୀ ଟାଉନ ହଲରେ ଆୟୋଜିତ ୩୦ ତମ ସର୍ବଭାରତୀୟ ସମ୍ମିଳନୀର ଉଦଘାଟନ ଅଧିବେଶନକୁ ସମ୍ବୋଧନ କରି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ସି ଆଇ ଟି ୟୁ ର ରାଜ୍ୟ ସଭାପତି ବିଶିଷ୍ଟ ଶ୍ରମିକ ନେତା ଜନାର୍ଦ୍ଦନ ପତି କହିଲେ ଯେ କେନ୍ଦ୍ର ସରକାର ଶ୍ରମିକ ସପକ୍ଷବାଦୀ ପ୍ରଗତିଶୀଳ ଆଇନକୁ ଖତମ୍ କରି ଆଣିଥିବା ଶ୍ରମ କୋଡ଼ କାର୍ଯ୍ୟକାରୀ ହେବା ପରେ ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ ଛଟେଇ ହେବେ । ଏହି ଆଇନରେ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସର୍ବନିମ୍ନ ବେତନ ଆଇନ ବିଲୋପ ହେବା ସହ ଦୈନିକ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ ହେବେ ।ସମ୍ମିଳନୀକୁ ଉଦଘାଟନ କରି ସର୍ବଭାରତୀୟ ସଭାପତି ଏମ୍ ପି ଯାଦବ କହିଲେ ଯେ ଡାକ ବିଭାଗକୁ କେନ୍ଦ୍ର ସରକାର କ୍ରମାଗତ ଘରୋଇକରଣ କରିବାକୁ ପଦକ୍ଷେପ ନେଇ ଚାଲିଛନ୍ତି। ପୋଷ୍ଟ ମେନ୍ ଓ ଏମ୍ ଟି ଏସ ଙ୍କୁ ଛଟେଇ କରି ଡାକ ବିଭାଗ ଭଳି ଏକ ରାଷ୍ଟ୍ରୟତ ଉଦ୍ୟୋଗକୁ ପଞ୍ଜିପତିଙ୍କ ହାତକୁ ଟେକି ଦେବାକୁ ବସିଛନ୍ତି ।ଡାକ ବିଭାଗ ଅଧିନରେ ଥିବା ବିପୁଳ ଜମି ଓ ଢାଞ୍ଚାଗତ ସମ୍ପଦକୁ ବିକି ଦେବା ପାଇଁ କେନ୍ଦ୍ର ସରକାର ସମସ୍ତ ଷଡଯନ୍ତ୍ର କରୁଛନ୍ତି । ସଂସ୍କାର ନାମରେ ନୂତନ ନିଯୁକ୍ତି ବନ୍ଦ, ନିୟମିତ କାମ ସବୁ ଘରୋଇ ସଂସ୍ଥାକୁ ଦେବା , ପେନସନ ବ୍ୟବସ୍ଥା ବିଲୋପ, ଗ୍ରାମାଞ୍ଚଳ ପୋଷ୍ଟ ଅଫିସ କର୍ମଚାରୀ ନଥିବା ଯୋଗୁଁ ଡାକ ସେବା ବସ୍ତୁତଃ ବନ୍ଦ ହେବା ଆଦି ପଦକ୍ଷେପ ଡାକ ବିଭାଗକୁ ଅଚଳ କରିବା ଓ ଶେଷରେ ବିକିବାର ବାଟକୁ ପ୍ରଶସ୍ତ କରିବ ବୋଲି ସେ କହିଥିଲେ ।ପ୍ରାରମ୍ଭରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧି ଗୋପବନ୍ଧୁ ଆୟୁର୍ବେଦ କଲେଜ ଠାରୁ ଏକ ଶୋଭାଯାତ୍ରାରେ ଆସିଲା ପରେ ଖୋଲା ଅଧିବେଶନ ହୋଇଥିଲା ।ପ୍ରାରମ୍ଭରେ ଜାତୀୟ ପତାକା ଓ ଏଫ୍ ପି ଇ ଇ ପତାକା ଉତ୍ତୋଳନ କରାଯାଇଥିଲା । ଜାତୀୟ କର୍ମଚାରୀ ନେତା ଆଲୋକ ଶର୍ମା,ସାଧାରଣ ସମ୍ପାଦକ ବିକ୍ରମ ସାରା, ପୂର୍ବତନ ସାଧାରଣ ସମ୍ପାଦକ ଦେବବ୍ରତ ମହାନ୍ତି, କର୍ମଚାରୀ ନେତା ରବୀନ୍ଦ୍ର ଧଳ, ରାଜୀବ ନାୟକ, ଏମ୍ ଚନ୍ଦ୍ର ଶେଖର ରାଓ, ରାଜେଶ୍ ବହିଦାର, ରବି ନାରାୟଣ ମହାନ୍ତି, ବିଶ୍ୱଜିତ୍ ନାୟକ , ମହେଶ କୁମାର ସାହୁ , ଅଶୋକ ସାମଲ , ସାଥୀ ସନ୍ତୋଷ ଓ ସି ଆଇ ଟି ୟୁ ନେତା ଜଗନ୍ନାଥ ଦେଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ୭୦୦ ପ୍ରତିନିଧି ଯୋଗ ଦେଇଛନ୍ତି । ସମ୍ମିଳନୀ ଡିସେମ୍ବର ୨ ରେ ଉଦଯାପିତ ହେବ । ଭାରତର ଛାତ୍ର ଫେଡେରେସନ୍ (ଏସ ଏଫ୍ ଆଇ ), ଆଶା କର୍ମୀ ସଂଘ, ଅଙ୍ଗନ ବାଡ଼ି ଶ୍ରମିକ ସଂଘ ପକ୍ଷରୁ ସଂହତି ପୂର୍ବକ ପ୍ରତିନିଧି ମାନକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ।ସଦୟ ପ୍ରକାଶନ / ପ୍ରସାରଣ ନିମନ୍ତେ ଦେବବ୍ରତ ମହାନ୍ତି l
