ବେଆଇନ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ଗଣିଆ ବ୍ଳକ ସମ୍ମୁଖରେ ଧାରଣା

ଗଣିଆ – ବେଆଇନ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ଗଣିଆ ବ୍ଳକ ସମ୍ମୁଖରେ ଖଲିସରା ଗ୍ରାମବାସୀ ଧାରଣା ଦେଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଖଲିସରା ଗ୍ରାମରେ ଗୋଟିଏ ବସଷ୍ଟାଣ୍ଡ ଥିବାବେଳେ ଆଉ ଗୋଟିଏ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି । ପାଣ୍ଡରାସିଙ୍ଗା ଗ୍ରାମବାସୀ ଖଲିସରା ସୀମା ସର଼ହଦରେ ଏକ ପ୍ରାଇଭେଟ ଯାଗାରେ ଉକ୍ତ ବସଷ୍ଟାଣ୍ଡ ନିର୍ମାଣ କରୁଥିବା ବେଳେ ଏହାକୁ ବେଆଇନ ଦର୍ଶାଇ ଖଲିସରା ଗ୍ରାମବାସୀଙ୍କ ତରଫରୁ ବିଡ଼ିଓଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନଦେବାରୁ ଲୋକମାନେ ଆଜି ବାଧ୍ୟହୋଇ ବ୍ଳକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଉକ୍ତ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ ଦିନ ଠାରୁ ସେମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ନିର୍ମାଣ ସରିଗଲେ ବି ସେମାନଙ୍କ ଦୁଃଖ କେହି ଶୁଣିଲେ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତିି । ଏପରିକି ଯଦି ଉକ୍ତ ବସଷ୍ଟାଣ୍ଡର ସମସ୍ତ କାଗଜପତ୍ର ଖଲିସରା ନାମରେ ନାମିତ କରାଯିବ ତେବେ ସେମାନେ ଧାରଣାରୁ ଉଠିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ସେମାନେ ଗଣିଆ ବ୍ଳକ ମୁଖ୍ୟ ଫାଟକ ସମ୍ମୁଖରେ ଦିନ ତମାମ ଧାରଣାରେ ବସି ରହିଛନ୍ତି । ଘଟଣାସ୍ଥଳରେ ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ତହସିଲଦାର ପ୍ରିତିବାଳା ରଣା,ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ହଟିନଥିଲେ । ତେବେ ଗୋଟିଏ ଗ୍ରାମ ଭିତରେ ଦୁଇ ଦୁଇଟି ବସଷ୍ଟାଣ୍ଡ କିଭଳି ନିର୍ମାଣ କରାଗଲା ଆଉ ସେଥିପାଇଁ ଅନୁମତି କିଏ ପ୍ରଦାନ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଧାରଣାରେ ଗ୍ରାମ ସଭାପତି କୃଷ୍ଣଚନ୍ଦ୍ର ମୁଦୁଲି, ଓ୍ବାର୍ଡମେମ୍ବର ସୈଦାମିନୀ ନାୟକ, ଗଙ୍ଗାଧର ନାୟକ, ବିଭୂତି ନାୟକ,ଦଣ୍ଡଧର ମୁଦୁଲିଙ୍କ ସମେତ ଗ୍ରାମର ୬୦ ରୁ ଅଧିକ ମହିଳା ଓ ପୁରୁଷ ବସି ରହିଛନ୍ତି । ଖବର ଲେଖା ହେବା ବେଳକୁ ଗ୍ରାମବାସୀ ମାନେ ଧାରଣାରେ ବସି ରହିଥିବା ଜଣାପଡିଛି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *