ଉଚ୍ଛେଦ ପରେ ଗୋପ ର ଅବ୍ୟବସ୍ଥା ସମ୍ପର୍କ ରେ ପ୍ରଶାସନ ଦୁଷ୍ଟି ଦେବାକୁ ସାଧାରଣରେ ଦାବି
ଗୋପ, 12/01- ପୁରୀ ଜିଲ୍ଲାର ଗୋପ ବଜାର ଅଞ୍ଚଳରେ ବେଆଇନ ଜବରଦଖଲ ଉଚ୍ଛେଦ ପରେ ସ୍ଥାନୀୟ ପ୍ରଶାସନ ନିଜ ଦାୟିତ୍ୱକୁ ଅଧା ରାସ୍ତାରେ ଛାଡ଼ି ଦେଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ବୁଲଡୋଜର ଚାଲିଗଲା, କିନ୍ତୁ ରାସ୍ତା କଡ଼ରେ ପଡ଼ିରହିଛି ଭଙ୍ଗା ଇଟା, ରଡ଼, କଂକ୍ରିଟ କାନ୍ଥ ଓ ଆଜବେଷ୍ଟସ—ଯାହା ଗୋପକୁ ଏବେ ଏକ ଅଘୋଷିତ ଦୁର୍ଘଟଣା କ୍ଷେତ୍ରରେ ପରିଣତ କରିଦେଇଛି। ଉଚ୍ଛେଦ ପୂର୍ବରୁ ଯେଉଁଠି ଟ୍ରାଫିକ ସମସ୍ୟା ଥିଲା, ଉଚ୍ଛେଦ ପରେ ସେହି ସମସ୍ୟା ଆଉ ଅଧିକ ଭୟାବହ ରୂପ ନେଇଛି। ପିପିଲି ର ମଙ୍ଗଳପୁର ଠାରେ ହୋଇଥିବା ଦୃଘଟଣା ର ମୁଖ୍ୟ କାରଣ ଥିଲା ରାସ୍ତା ଉପରେ ପଡ଼ିଥିବା ବାଲି l ସେଥିପାଇଁ ରାଜ୍ୟ ସରକାର ପୂର୍ତ୍ତ ବିଭାଗ କୁ କଡା ନିର୍ଦେଶ ଦେଇଛନ୍ତି କୀ ତୁରନ୍ତ ରାସ୍ତା ର ମଧ୍ୟଭାଗ ଓ ଦୁଇ କଡ଼ରେ ଛିଟିକି ପଡ଼ିଥିବା ନିର୍ମାଣ ଅବଶେଷ ଦେଖିଲେ ମନେହୁଏ—ଗୋପ ଉପରେ କୌଣସି ବଡଧରଣ ଭୂମିକମ୍ପ ଅବା ବାତ୍ୟା ଆସି ଧ୍ୱଂସ କରିଛି । ଦିନରେ ଏପରି ଅବସ୍ଥା ଥିଲେ ମଧ୍ୟ, ରାତି ହେଲେ ଆଲୋକ ଅଭାବରୁ ପରିସ୍ଥିତି ଆଉ ଅଧିକ ଜଟିଳ ହୋଇଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉଚ୍ଛେଦ ପରେ ଯଦି ତୁରନ୍ତ ଭଙ୍ଗା କାନ୍ଥ ଓ ନିର୍ମାଣ ଅବଶେଷ ସଫା କରାଯାଇଥାନ୍ତା, ତେବେ ଦୈନିକ ଛୋଟ ଛୋଟ ଦୁର୍ଘଟଣା ଘଟୁନଥାନ୍ତା। ବିଶେଷକରି ଦୁଇ ଚକିଆ ଯାନ ଚାଳକ, ପଦ ଚାରୀ, ବୃଦ୍ଧ ଓ ଛାତ୍ରଛାତ୍ରୀମାନେ ଜୀବନକୁ ସାରୁ ପତ୍ରରେ ରଖି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ପୁରୀ–କଟକ ଓ କୋଣାର୍କ–ଭୁବନେଶ୍ୱର ମୁଖ୍ୟ ସଂଯୋଗ ରାସ୍ତାର ଏକ ଅତ୍ୟନ୍ତ ସଂବେଦନଶୀଳ ମଧ୍ୟସ୍ଥଳରେ ଏପରି ଅବହେଳା ପ୍ରଶାସନିକ ଅକ୍ଷମତାର ସ୍ପଷ୍ଟ ପ୍ରମାଣ ବୋଲି ସଚେତନ ନାଗରିକମାନେ ମତ ପ୍ରକାଶ କରୁଛନ୍ତି। “ଉଚ୍ଛେଦ ହେଲା ଫଟୋ ପାଇଁ, ସଫେଇ ଅଧା ରହିଲା କାହା ପାଇଁ?”—ଏହି ପ୍ରଶ୍ନ ଏବେ ସମଗ୍ର ଗୋପ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ଏହି ପ୍ରସଙ୍ଗରେ ଗୋପ ଅଞ୍ଚଳ ର ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନେ କହିଛନ୍ତି ଯେ, ପ୍ରଶାସନ ଆଉ ଏକ ଦୁର୍ଘଟଣା ଅପେକ୍ଷା କରିବା ଉଚିତ୍ ନୁହେଁ। ସେ ସ୍ପଷ୍ଟ ଦାବି କରିଛନ୍ତି—ତୁରନ୍ତ ରାସ୍ତା କଡ଼ରେ ପଡ଼ି ରହିଥିବା ସମସ୍ତ ଭଙ୍ଗା ନିର୍ମାଣ ଅବଶେଷ ସଫା କରାଯାଉ, ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଚଉଡା ହେବା ସହିତ ଉଭୟ ପାର୍ଶ୍ଵ ଥିବା ବିଦ୍ୟୁତ ଖୁଣ୍ଟ ସହିତ ଅଭିନନ୍ଦନ ଶୁଭେଚ୍ଛା ବାର୍ତ୍ତା ହୋଡିଙ୍ଗ କୁ ତୁରନ୍ତ ଉଠାଯାଉ l ଗୋପ ବଜାର ଅଞ୍ଚଳରେ ଛୋଟ ଯାନବାହନ ପାଇଁ ସୁବିଧାଜନକ ପାର୍କିଂ ବ୍ୟବସ୍ଥା ତୁରନ୍ତ କରାଯାଉ। ଏହି ବିଷୟରେ ସେ ପ୍ରଶାସନ ସହ ତୁରନ୍ତ କଥା ହେବେ ବୋଲି ଦୃଢ଼ ସଙ୍କଳ୍ପ ପ୍ରକାଶ କରିଛନ୍ତି। ଏଥିପ୍ରତି ତୁରନ୍ତ ବିହିତ ପଦକ୍ଷେପ ନିଆଯାଉ ନଚେତ , ଆଗାମୀ ଦିନରେ କୌଣସି ବଡ଼ ଦୁର୍ଘଟଣା ଘଟିଲେ, ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ କାହାର—ଏହି ପ୍ରଶ୍ନର ଉତ୍ତର ପ୍ରଶାସନକୁ ଜନସାଧାରଣଙ୍କ ସମ୍ମୁଖରେ ଦେବାକୁ ପଡ଼ିବ।
