ଦଶପଲ୍ଲାରେ ଘନ ଘନ ବିଜୁଳୀ କାଟ ଯୋଗୁ ଜନ ଅସନ୍ତୋଷ ।
ଦଶପଲ୍ଲା–(ତୀ.ପ୍ର.)-ଦଶପଲ୍ଲା ଏନ୍.ଏ.ସି.ତଥା ବ୍ଲକ଼ ଅଞ୍ଚଳରେ ବିଗତ ୧୦ ଦିନ ଧରି ଘନ ଘନ ଅଘୋଷିତ ବିଜୁଳୀ କାଟ ଚାଲିଛି । ଏଥିପାଇଁ ପିଲା ମାନଙ୍କ ପାଠପଢ଼ା ବ୍ୟାଘାତ ହେବା ସହିତ ନବଜାତ ଶିଶୁ ତଥା ବୃଦ୍ଧବୃଦ୍ଧା ମାନଙ୍କର ଜୀବନ ଅସହ୍ୟ ହେଉଛି । ନିଜ ଘରେ ଇନ୍ଭର୍ଟର୍ କିମ୍ଵା ଡିଜିଟାଲ୍ ଜେନେରେଟର୍ ଲଗାଇ ସଉକ୍ ଜୀଵନ ବିତାଉଥିବା ଟାଟା କମ୍ପାନୀର ଯନ୍ତ୍ରୀମାନଙ୍କୁ କାରଣ ଜାଣିବା ପାଇଁ ଫୋନ୍କଲେ ବାବୁ ମାନେ ଏକେତ ଫୋନ୍ ଉଠାଉନାହାଁନ୍ତି କିମ୍ବା ନବୀନ ବାବୁଙ୍କ ଷ୍ଟାଇଲ୍ ରେ “ଆଇ ଆମ୍ ଲୁକିଂ ଇନ୍ଟୁ ଦି ମ୍ୟାଟର଼” କହି ମନଇଚ୍ଛା ବିଦ୍ୟୁତ୍ ଦେଉଛନ୍ତି । ଓଡ଼ିଶା ସରକାର ୨୪ ଘଣ୍ଟା ବିଦ୍ୟୁତ୍ ସେବା ଯୋଗାଇବାର ଏଗ୍ରୀମେଣ୍ଟ କରି ଟାଟା କମ୍ପାନୀ ଭଳି ଏକ ଦାୟୀତ୍ଵବାନ୍ କମ୍ପାନୀଙ୍କୁ ଓଡ଼ିଶାରେ

ବ୍ୟବସାୟର ସୁଯୋଗ ଦେଇଥିବାବେଳେ ଅଧସ୍ତନ କର୍ମଚାରୀମାନଙ୍କ ଅବହେଳା ତଥା ଅପାରଗତା କାରଣରୁ ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି।ବିଜୁଳୀ ବିଭ୍ରାଟରେ ବଡ଼ବଡ଼ିଆ ୧୫ ଶତକଡ଼ା ଧନୀଲୋକମାନଙ୍କର କୌଣସି ଅସୁବିଧା ହେଉନଥିବାବେଳେ ୮୫ ଶତକଡ଼ା ଲୋକ ବିଜୁଳୀ ବିଭ୍ରାଟ ପାଇଁ ଅତିଷ୍ଠ ହୋଇ ପଡ଼ିଲେଣି ।ଏହି ସମସ୍ୟାର ସମାଧାନ ପାଇଁ ଲୋକମାନେ ଆଗାମୀ ଦିନରେ ବିଧାୟକ ତଥା ମାନ୍ୟବର ସାଂସଦ ଙ୍କୁ ଏକ ପ୍ରଜ୍ଞାପନ ଦେଇ ବିଜୁଳୀ ବିଲ୍ ପୈଠ ନକରିବାକୁ ସାମୂହିକ ଯୋଜନା କରୁଛନ୍ତି।
