ଲୋକଙ୍କ ସରକାର ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ପାଇଁ ସଦାସର୍ବଦା କାର୍ଯ୍ୟରତ

ଲୋକଙ୍କ ସରକାର ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ପାଇଁ ସଦାସର୍ବଦା କାର୍ଯ୍ୟରତ : ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ ଜିଲ୍ଲା ରଇପୁରଠାରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀଙ୍କ ଜନ ଅଭିଯୋଗ ଶୁଣାଣି ଶିବିର, ୪୦୨ ଅଭିଯୋଗ ପତ୍ର ପଞ୍ଜିକୃତ

ଭୁବନେଶ୍ୱର
୬ ମେ’ ୨୦୨୫

ଆଜି ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି ଅଧୀନସ୍ଥ ରଇପୁରଠାରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଆଜିର ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଉଭୟ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟାକୁ ନେଇ ସର୍ବମୋଟ ୪୦୨ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା।

ଲୋକଙ୍କର ସମସ୍ୟା ଶୁଣିବା ସହିତ ଏହାର ତ୍ୱରିତ ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିଜର ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ଲୋକଙ୍କ ଦ୍ୱାର ନିକଟରେ ପହଂଚି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। କେବଳ ଅଭିଯୋଗ ଶୁଣିବା ନୁହେଁ ବରଂ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ମଧ୍ୟ କରାଯାଉଛି। ସେବା, ସମର୍ପଣ ଓ ସୁଶାସନରେ ବିଚାରରେ ଆମ ସରକାର କାର୍ଯ୍ୟ କରୁଛନ୍ତି। ସମାଜରେ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ମଧ୍ୟ ଯେପରି ସମସ୍ତ ସରକାରୀ ସୁବିଧା ଓ ସରକାରୀ ଯୋଜନା ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ଭଦ୍ରକ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାଏ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ମଡ଼କର ସନ୍ଦୀପ ସମ୍ପତଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅମ୍ଳାନ ଦାସ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *