କ୍ରୋମାଇଟ ଖଣିର ସମ୍ପ୍ରସାରଣ

ଓଡିଶା ଖଣି ନିଗମ ବା ଓଏମସି ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ସୁକୁରଙ୍ଗୀ ଠାରେ ଥିବା କ୍ରୋମାଇଟ ଖଣିର ସମ୍ପ୍ରସାରଣ କରିବାକୁ ଚାହୁଁଛି l ଏବେ ଏହି ଖଣିରୁ ବର୍ଷକୁ ଶୂନ୍ୟ ଦଶମିକ ତିନି ମିଲିୟନ ଟନ କ୍ରୋମାଇଟ ଉତ୍ତୋଳନ କରାଯାଉଥିବା ବେଳେ ଏହାକୁ ବାର୍ଷିକ ଶୂନ୍ୟ ଦଶମିକ ନଅ ମିଲିୟନ ଟନ କୁ ବୃଦ୍ଧି କରିବାକୁ ଓଡିଶା ଖଣି ନିଗମ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l ଏଥିପାଇଁ ସ୍ଥାନୀୟ ସୁକୁରଙ୍ଗୀ, ସାରୁଅବିଲ , ଓସ୍ତପାଳ, କମରଦା ଓ ତଳଙ୍ଗୀ ଆଦି ଗ୍ରାମ ସୀମାକୁ ଲାଗିରହି ଥିବା ୩୮୨ ହେକ୍ଟର ଜମି କୁ ଓଡିଶା ଖଣି ନିଗମ ଅଧିଗ୍ରହଣ କରିବାକୁ ଯାଉଛି l ଏହାର ପରିବେଶ ମଞ୍ଜୁରୀ ନିମନ୍ତେ ଆଜି କାଳିଆପାଣି ଠାରେ ରାଜ୍ଯ ପ୍ରଦୂଷଣ ବିଭାଗ ପକ୍ଷରୁ ଏକ ଜନଶୁଣାଣିର ଆୟୋଜନ କରାଯାଇଥିଲା l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ଜନଶୁଣାଣି ରେ ପ୍ରଭାବିତ ଅଞ୍ଚଳର ଦୁଇ ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ନିଜର ମତାମତ ଉପସ୍ଥାପନ କରିଥିଲେ l ଅନେକ ଏହି ସମ୍ପ୍ରସାରଣ କୁ ବିରୋଧ କରି ଥିବା ବେଳେ ଅର୍ଦ୍ଧାଧିକ ଲୋକ ଓଡିଶା ଖଣି ନିଗମ ସପକ୍ଷରେ ମତ ରଖିଥିଲେ l ସ୍ଥାନୀୟ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଗମନାଗମନ ଓ ପାନୀୟ ଜଳର ବ୍ୟବସ୍ଥା କରି ଓଡିଶା ଖଣି ନିଗମ ତାର ଖଣି ସମ୍ପ୍ରସାରଣ କରୁ ବୋଲି ପ୍ରାୟ ସପକ୍ଷବାଦି ମତ ରଖିଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ଥିଲେ l

Leave a Reply

Your email address will not be published. Required fields are marked *