ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଏଲଏଚବି କୋଚ ସହ ଚଳାଚଳ କରିବ

ଭୁବନେଶ୍ୱର, 28.04.2025:12892/12891 ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସକୁ ଆଧୁନିକ ଲିଙ୍କେ ହଫମାନ ବୁଶ (LHB) କୋଚ ଚଳାଚଳ କରାଯିବ ପାଇଁ ରୂପାନ୍ତରିତ କରାଯାଇଛି ଯାହା ଯାତ୍ରୀମାନଙ୍କୁ ଉନ୍ନତ ନିରାପତ୍ତା ଏବଂ ଆରାମ ପ୍ରଦାନ କରିଥାଏ | ଆଜି ପୂର୍ବାହ୍ନରେ ବାଙ୍ଗିରିପୋଷି ରେଳ ଷ୍ଟେସନରୁ ଏହି ରୂପାନ୍ତରିତ ଟ୍ରେନ ସେବାର ଶୁଭାରମ୍ଭ କରାଯାଇଅଛି | ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଏଲଏଚବି କୋଚ ସହିତ ନିୟମିତ ସେବା 29 ଏପ୍ରିଲ୍ 2025 ଠାରୁ ପୁରୀରୁ ଏବଂ 30 ଏପ୍ରିଲ୍ 2025 ଠାରୁ ବାଙ୍ଗିରିପୋଷିରୁ ଆରମ୍ଭ ହେବ | ପୂର୍ବରୁ ଏହି ଟ୍ରେନଟି ପାରମ୍ପରିକ ଆଇସିଏଫ କୋଚ ସହିତ ଚଳାଚଳ କରୁଥିଲା | ରୂପାନ୍ତରିତ ଟ୍ରେନ୍ ସଂରଚନାରେ ଗୋଟିଏ ଏସି ଚେୟାର କାର, 6ଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ଆସନ କୋଚ୍, 5ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍, ଗୋଟିଏ ଗାର୍ଡ ତଥା ପାୱାର କାର୍ ଏବଂ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ଗୋଟିଏ ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ କୋଚ୍ ରହିଛି | ବାଙ୍ଗିରିପୋଷି ଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନେକ ସମ୍ମାନିତ ବ୍ୟକ୍ତି ଯୋଗ ଦେଇଥିଲେ ଯେଉଁଥିରେ ମୟୂରଭଞ୍ଜ (ଲୋକସଭା)ର ମାନ୍ୟବର ସାଂସଦ ଶ୍ରୀ ନବ ଚରଣ ମାଝୀ, ମାନନିୟା ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ବାଙ୍ଗିରିପୋଷି ବିଧାୟିକା ଶ୍ରୀମତୀ ସଞ୍ଜଳୀ ମୁର୍ମୁ ଏବଂ ସରସକଣାର ମାନ୍ୟବର ବିଧାୟକ ଶ୍ରୀ ଭାଦବ ହାଁସଦା ପ୍ରମୁଖ ସାମିଲ ଥିଲେ | ଏଲଏଚବି କୋଚ୍ ପ୍ରଚଳନ ଏହି ଗୁରୁତ୍ୱପୂର୍ଣ୍ଣ ରୁଟ୍ ପାଇଁ ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଭୁବନେଶ୍ୱରରେ ରାଜ୍ୟ ରାଜଧାନୀ ମଧ୍ୟଦେଇ ଓଡ଼ିଶାର ଉପକୂଳ ଏବଂ ଉତ୍ତର ଓଡ଼ିଶାର ଆଦିବାସୀ ଅଞ୍ଚଳଗୁଡ଼ିକୁ ସଂଯୋଗ କରୁଛି |

Leave a Reply

Your email address will not be published. Required fields are marked *