ନବବର୍ଷ ୨୦୨୬ ଉପଲକ୍ଷେ ଜଗନ୍ନାଥ ମନ୍ଦିରରେ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ସେବାୟତଙ୍କ ସହ ପୁରୀ ପୋଲିସର ସମନ୍ୱୟ ବୈଠକ

୩୧ ଡିସେମ୍ବର ଓ ନବବର୍ଷ ୨୦୨୬ ଉପଲକ୍ଷେ ଜଗନ୍ନାଥ ମନ୍ଦିରରେ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ସେବାୟତଙ୍କ ସହ ପୁରୀ ପୋଲିସର ସମନ୍ୱୟ ବୈଠକ*ଆସନ୍ତା ୩୧ ଡିସେମ୍ବର ଓ ନବବର୍ଷ ୨୦୨୬ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି, ଜଗନ୍ନାଥ ମନ୍ଦିର ଭିତରେ ଓ ଚାରିପାଖରେ ସୁଚାରୁ, ସୁନିୟୋଜିତ ଓ ସୁରକ୍ଷିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକଟି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ସେବାୟତ, ପୁରୀ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ପତିତପାବନ ବାନା ପରିବର୍ତ୍ତନ ସମୟ, ମନ୍ଦିର ଭିତରେ ବେଢ଼ା ଅଞ୍ଚଳରେ ଭୀଡ଼ ପରିଚାଳନା, ଦର୍ଶନ ସୁଚାରୁ ଗତି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସବିସ୍ତାର ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପତିତପାବନ ବାନା ପରିବର୍ତ୍ତନ ସମୟରେ ହେବାକୁ ଥିବା ଅତ୍ୟଧିକ ଭୀଡ଼କୁ ଦୃଷ୍ଟିରେ ରଖି, ପୁରୀ ପୋଲିସ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ ଓ ନିୟୋଜିତ ଭାବରେ ଭୀଡ଼ ପରିଚାଳନା କରାଯିବ। ଶ୍ରଦ୍ଧାଳୁମାନେ ଯେପରି ସୁରକ୍ଷିତ ଭାବେ ଓ ଶୃଙ୍ଖଳିତ ଦର୍ଶନ କରିପାରିବେ, ସେଥିପାଇଁ ଯଥେଷ୍ଟ ପୋଲିସ ବ୍ୟବସ୍ଥା, ବ୍ୟାରିକେଡିଂ ଓ ରେଗୁଲେସନ୍ ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ସହିତ ଲକ୍ଷ୍ମୀ ମନ୍ଦିର ଦର୍ଶନକୁ ମଧ୍ୟ ସୁଚାରୁ ଭାବେ ନିୟମିତ ଓ ସୁନିୟୋଜିତ କରିବା ପାଇଁ ଆଲୋଚନା କରାଯାଇଥିଲା। ନବବର୍ଷ ଅବସରରେ ଲକ୍ଷ୍ମୀ ମନ୍ଦିରରେ ହେବାକୁ ଥିବା ଭୀଡ଼କୁ ଦୃଷ୍ଟିରେ ରଖି, ଅଲଗା ଭାବେ ଭୀଡ଼ ପରିଚାଳନା ଓ ଦର୍ଶନ ବ୍ୟବସ୍ଥା କରାଯିବ। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ ସମସ୍ତ ସେବାୟତଙ୍କୁ ଆହ୍ୱାନ କରି କହିଥିଲେ ଯେ, ଆସନ୍ତା ୩୧ ଡିସେମ୍ବର ଓ ନବବର୍ଷ ଦିନଗୁଡ଼ିକରେ ମନ୍ଦିରର ନୀତିକୁ ସଠିକ୍ ଭାବେ ପାଳନ କରାଗଲେ, ଶ୍ରଦ୍ଧାଳୁମାନେ ସହଜ, ସୁରକ୍ଷିତ ଓ ସୁମଧୁର ଦର୍ଶନର ସୁଯୋଗ ପାଇପାରିବେ ଏବଂ ଦୀର୍ଘ ସମୟ ଅପେକ୍ଷା କରିବାର ସମସ୍ୟା ମଧ୍ୟ କମିପାରିବ। ଏହା ସହ ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସୁନିୟୋଜିତ ଭାବେ ଦର୍ଶନ ସୁବିଧା ଦେବା ସମ୍ଭବ ହେବ।

ଏହି ସମନ୍ୱୟ ବୈଠକରେ ଏସଏସଏମଏସଭି କମାଣ୍ଡାଣ୍ଟ ଶ୍ରୀ ତପସ ଦାସ, ଅତିରିକ୍ତ ଏସ୍ପି ଶ୍ରୀ ସୁଶୀଲ ମିଶ୍ର, ଅତିରିକ୍ତ ଏସ୍ପି ଶ୍ରୀ ଦେବ ପ୍ରତାପ, ଡିସି ଏସଏସଏମଏସଭି ଶ୍ରୀ କୌଶିକ ନାୟକ, ସିଟି ଡିଏସପି ଶ୍ରୀ ପ୍ରଶାନ୍ତ ସାହୁ, ଆଇଆଇସି ଟାଉନ ଥାନା ଶ୍ରୀ ଗୋକୁଳ ରଞ୍ଜନ ଦାସ, ଏମସି ସଦସ୍ୟ ଶ୍ରୀ ଜଗନ୍ନାଥ ପୂଜାପଣ୍ଡା, ମଧୁସୂଦନ ସିଂହାରୀ, ଶ୍ରୀ ଅନନ୍ତ ତିଆଡ଼ି, ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ମୀନା ହଜୁରୀ, ହରେକୃଷ୍ଣ ସିଂହାରୀ ସହ ଅନ୍ୟାନ୍ୟ ସେବାୟତମାନେ ଉପସ୍ଥିତ ଥିଲେ।ଶେଷରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ ଯେ, ପୋଲିସ ଓ ମନ୍ଦିର ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ, ରେଗୁଲେସନ୍ ଓ ଶୃଙ୍ଖଳା ବ୍ୟବସ୍ଥାକୁ ସହଯୋଗ କରି, ସମସ୍ତେ ମିଶି ନବବର୍ଷ ଦର୍ଶନକୁ ସୁଚାରୁ ଓ ସ୍ମରଣୀୟ କରିବାକୁ ସହଯୋଗ କରନ୍ତୁ ଏହା ସହ ସମସ୍ତେ ଏହାକୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *