ପୁରୀ ପୋଲିସ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଅପରାଧ ସମୀକ୍ଷା ବୈଠକ

ପୁରୀ ପୋଲିସ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଅପରାଧ ସମୀକ୍ଷା ସଭା ଆଜି ପୁରୀ ପୋଲିସ ମୁଖ୍ୟାଳୟରେ ଆୟୋଜିତ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ, ଆଇପିଏସ୍ ଅଧ୍ୟକ୍ଷତା କରିଥିଲେ।ଏହି ସଭାରେ ଅନଖା ବିଜୟ, ଆଇପିଏସ୍, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଶ୍ରୀ ସୁଶୀଲ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଶ୍ରୀ ଦେବୀ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ ସହିତ ସମସ୍ତ ସବ୍-ଡିଭିଜନ୍‌ର ଅଧିକାରୀ, ଥାନା ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅପରାଧ ସମୀକ୍ଷା ସଭାରେ ପୁରୀ ଜିଲ୍ଲାର ସାମଗ୍ରିକ ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ରୋକ, ମାମଲାର ତ୍ୱରିତ ତଦନ୍ତ, ଅପରାଧ ଚିହ୍ନଟ ଓ ଦୋଷୀ ଧରା ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଶ୍ରୀ ପ୍ରତୀକ ସିଂହ, ଆଇପିଏସ୍ ତାଙ୍କ ଉଦ୍ବୋଧନରେ ୨୦୨୬ ବର୍ଷ ପାଇଁ ପୁରୀ ପୋଲିସର ସ୍ପଷ୍ଟ ଦୃଷ୍ଟିକୋଣ ଓ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ। ସେ ସମସ୍ତ ପୋଲିସ ଅଧିକାରୀଙ୍କୁ ସାଧାରଣ ଲୋକଙ୍କ ସହିତ ସୁସଭ୍ୟ, ସମ୍ବେଦନଶୀଳ ଓ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରିବାକୁ କଠୋର ଭାବରେ ନିର୍ଦ୍ଦେଶ ଦେଇଥିଲେ।

ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭରସା ଓ ସହଯୋଗ ବଢ଼ାଇବାକୁ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହା ସହ କହିଥିଲେ ଯେ ଆଧୁନିକ ପ୍ରଯୁକ୍ତିର ବେବହାର, ଡିଜିଟାଲ ତଦନ୍ତ ପଦ୍ଧତି, ସିସିଟିଭି ନେଟୱାର୍କ, ସାଇବର ଟୁଲ୍ସ ଓ ଡାଟା ଆଧାରିତ ପୋଲିସିଂ ଉପରେ ଆଗାମୀ ଦିନରେ ଅଧିକ ଗୁରୁତ୍ୱ ଦିଆଯିବ। ଅପରାଧ ଘଟିବା ପୂର୍ବରୁ ତାହାକୁ ରୋକିବା ପାଇଁ ପ୍ରୋଆକ୍ଟିଭ୍ ପୋଲିସିଂ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଜଣାଇଥିଲେ।ସଭାରେ କମ୍ୟୁନିଟି ପୋଲିସିଂକୁ ଆହୁରି ବଢେଇବା, ସ୍ଥାନୀୟ ଲୋକଙ୍କ ସହିତ ସମନ୍ୱୟ, ଯୁବକ, ସ୍ୱୟଂସେବୀ ସଂଗଠନ ଓ ସାମାଜିକ ପ୍ରତିଷ୍ଠାନଙ୍କ ସହଯୋଗରେ ଅପରାଧ ନିୟନ୍ତ୍ରଣ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀ ସିଂ ଥାନାସ୍ତରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ କଳ୍ୟାଣ, ସୁବିଧା, ମନୋବଳ ବୃଦ୍ଧି ଓ କାର୍ଯ୍ୟପରିବେଶ ଉନ୍ନତ କରିବା ଉପରେ ବିଶେଷ ଜୋର ଦେଇଥିଲେ। ସୁସ୍ଥ ଓ ପ୍ରେରିତ କର୍ମଚାରୀମାନେ ମାତ୍ର ସାଧାରଣ ଲୋକଙ୍କୁ ଉତ୍ତମ ସେବା ଦେଇପାରିବେ ବୋଲି ସେ କହିଥିଲେ। ଅପରାଧ ମାମଲାର ତ୍ୱରିତ ତଦନ୍ତ, ଗୁଣାତ୍ମକ ଚାର୍ଜସିଟ୍ ଦାଖଲ, ଦୋଷୀଙ୍କ ଶୀଘ୍ର ଚିହ୍ନଟ ଓ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସଭା ଶେଷରେ ପୁରୀ ପୋଲିସ ୨୦୨୬ ବର୍ଷର ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କୁ ନ୍ୟାୟସମ୍ମତ, ସ୍ୱଚ୍ଛ ଓ ଲୋକମୂଖୀ ପୋଲିସ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ ବୋଲି ପୁନରୁଚ୍ଚାରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *