ପୁରୀ ପୋଲିସ ର ସାଇବର ଅପରାଧୀ ଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଅପରେସନ କବଚ
ସାଇବର ଅପରାଧୀ ଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜାରି ରହିଛି ସ୍ବତନ୍ତ୍ର ଅଭିଯାନ ଅପରେସନ କବଚ। ଏହି ପରିପ୍ରେକ୍ଷୀରେ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ପୁରୀ ସାଇବର ଥାନା ଆନ୍ତଃରାଜ୍ୟ ସାଇବର ଲୁଟେରାର ଏକ ରାକେଟକୁ ଗିରଫ କରିବାରେ ସଫଳ ହୋଇଛି। ବାଲେଶ୍ଵରରୁ ପଶ୍ଚିମବଙ୍ଗ, ତାମିଲନାଡୁ ପର୍ଯ୍ୟନ୍ତ ଲମ୍ବିଛି ଠକେଇର ଏହି ଲମ୍ବା ଚେର। ସାଇବର ଫ୍ରଡ, ଫେକ୍ ସିମ୍ ପ୍ରସ୍ତୁତି ସହ ଲିମିଟ ଲେସ୍ କରେଣ୍ଟ ଆକାଉଣ୍ଟ ମାଧ୍ୟମରେ ଅଭିଯୁକ୍ତ ମାନେ କରୁଥିଲେ ଠକେଇ। ଗିରଫ ଅଭିଯୁକ୍ତ ହେଉଛନ୍ତି ତାମିଲନାଡୁର ଅହମଦ ଟୋପନ, ପଶ୍ଚିମବଙ୍ଗର ଅବଦୁଲ ଆଜିଜ ଶେଖ ଏବଂ ବାଲେଶ୍ବରର ସୁଶାନ୍ତ କୁମାର ପରିଡ଼ା। ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ସିମ୍ କାର୍ଡ ବ୍ୟବହାର ହୋଇଥିଲା। ବିଜିନେସ୍ ଅପର୍ଚୁନିଟି କହି ପ୍ରାୟ ଏକକୋଟି ଟଙ୍କାର ହୋଇଥିଲା ଠକେଇ। ‘Speeding Exim’ କମ୍ପାନୀ ନାମରେ ଚାଲିଥିଲା ବେନାମୀ ଆକାଉଣ୍ଟ। ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୫ ଟି ଏଟିଏମ କାର୍ଡ, ୧୫ଟି, ସିମ୍ କାର୍ଡ, ୬ଟି ମୋବାଇଲ୍ ଫୋନ୍, ୭ଟି ଚେକ ବୁକ୍ ଜବତ କରିଛି। ଏହି ଘଟଣଣାରେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ବେଳେ ପୋଲିସ ଛାନ୍ ଭିନ୍ କରୁଥିବା ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ସୂଚନା ଦେଇଛନ୍ତି।
