ପୁରୀ ପୋଲିସର ସାପ୍ତାହିକ ପରେଡ୍
ପୁରୀ ପୋଲିସର ସାପ୍ତାହିକ ପରେଡ୍ ଆଜି ପୁରୀ ରିଜର୍ଭ ପୋଲିସ ଲାଇନ୍ରେ ଶାନ୍ତି, ଶୃଙ୍ଖଳା ଓ ଗୌରବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ସାପ୍ତାହିକ ପରେଡ୍ର ସମୀକ୍ଷା ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ନିଜେ ତତ୍ୱାବଧାନ କରିଥିଲେ।ଏହି ପରେଡ୍ରେ ମିସ ଅନଖା କେ. ବିଜୟା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ASP), ଶ୍ରୀ ତପସ ଦାସ, କମାଣ୍ଡାଣ୍ଟ SSMSV, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଶ୍ରୀ ଦେବୀ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ, ଆରାଇ ଚିତ୍ତରଞ୍ଜନ ମହାନ୍ତି, ବାସୁଦେବ ପଣ୍ଡା ସହିତ ସମସ୍ତ DSP ଓ ସମସ୍ତ ସିଟି ସବ୍ଡିଭିଜନର IIC ମାନେ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ଥାନା ଓ ୟୁନିଟ୍ରୁ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଏହି ପରେଡ୍ରେ ଅଂଶଗ୍ରହଣ କରିଥିଲେ।

ସାପ୍ତାହିକ ପରେଡ୍ ସମୟରେ ଏସ୍ପି ପୁରୀ ପୋଲିସ ବଳର ଡ୍ରିଲ୍, ଶାରୀରିକ ଫିଟନେସ୍, ୟୁନିଫର୍ମ, ଅସ୍ତ୍ର-ଶସ୍ତ୍ରର ରକ୍ଷା-ରଖା ଓ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପରେଡ୍ ମାଧ୍ୟମରେ ପୋଲିସ କର୍ମଚାରୀମାନଙ୍କ ଶୃଙ୍ଖଳା, ଶାରୀରିକ ସକ୍ଷମତା ଓ ପେଶାଗତ ଦକ୍ଷତାକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟ ହୋଇଥିଲା।ଏସ୍ପି ଶ୍ରୀ ପ୍ରତୀକ ସିଂ ପରେଡ୍ ପରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧନ କରି ଲୋକମୁଖୀ (People-centric) ପୋଲିସିଂ, ଶିସ୍ଟାଚାର, ନିଷ୍ଠା ଓ ଦାୟିତ୍ୱବୋଧ ସହିତ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ତତ ସହ କହିଥିଲେ ଯେ, ପୋଲିସର ମୂଳ କର୍ତ୍ତବ୍ୟ ହେଉଛି ସାଧାରଣ ଜନତାଙ୍କ ସୁରକ୍ଷା, ସହଯୋଗ ଓ ବିଶ୍ୱାସ ଅର୍ଜନ କରିବା।ସେ ଆହୁରି କହିଥିଲେ ଯେ, ପୁରୀ ଜିଲ୍ଲା ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ଓ ଧାର୍ମିକ କେନ୍ଦ୍ର ହେବାରୁ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆସନ୍ତା ଦିନଗୁଡ଼ିକରେ ପର୍ଯ୍ୟଟକ ଓ ଭକ୍ତମାନଙ୍କ ସୁରକ୍ଷା, ଯାତାୟାତ ପରିଚାଳନା ଓ ଆଇନ-ଶୃଙ୍ଖଳା ରକ୍ଷାରେ ସମସ୍ତ କର୍ମଚାରୀଙ୍କୁ ସଚେତନ ଓ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସାପ୍ତାହିକ ପରେଡ୍ ଅବସରରେ ଭଲ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହିତ ଶିସ୍ଟାଚାର, ସମୟନିଷ୍ଠା ଓ ପେଶାଗତ ଆଚରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୋଲିସ ବଳକୁ ସଦା ସଜାଗ, ଶକ୍ତିଶାଳୀ ଓ ସାଧାରଣ ଲୋକଙ୍କ ପାଇଁ ସହଜଲଭ୍ୟ ରଖିବା ପାଇଁ ଏପରି ସାପ୍ତାହିକ ପରେଡ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଏସ୍ପି ପୁରୀ ମତ ପ୍ରକାଶ କରିଥିଲେ।ପୁରୀ ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ସାପ୍ତାହିକ ପରେଡ୍, ସମୀକ୍ଷା ଓ ମୋଟିଭେସନାଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ବଳର କ୍ଷମତା ବୃଦ୍ଧି ଓ ସାଧାରଣ ଲୋକଙ୍କ ସେବାକୁ ଆହୁରି ସୁଦୃଢ଼ କରାଯିବ।
