କମ୍ୟୁନିଟି ରେଡ଼ିଓ ପ୍ରସାରକଙ୍କ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ
କମ୍ୟୁନିଟି ରେଡ଼ିଓ ମାଧ୍ୟମରେ 10000 ଗାଁରେ ପହଂଚିବ ନିପୂଣ-ଓଡିଶାର ବାର୍ତ୍ତା ରାଜ୍ୟର 20 ଜିଲ୍ଲାରେ ନିପୁଣ-ଓଡ଼ିଶା ଅଭିଯାନ ଆରମ୍ଭ କମ୍ୟୁନିଟି ରେଡ଼ିଓ ପ୍ରସାରକଙ୍କ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ କୋଣାର୍କ ଯାତ୍ରୀ ନିବାସ ଠାରେ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର ପ୍ରସାରକ ମାନଙ୍କର ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆର ୨୦ ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୨୫ ଜଣ ପ୍ରତିନିଧି ଏହି କର୍ମଶାଳାରେ ଯୋଗ ଦେଇଥିଲେ । ୟୁନିସେଫ ସହାୟତାରେ ୟଙ୍ଗ ଇଣ୍ଡିଆ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ କରିଥିବା “ନିପୁଣ ଓଡ଼ିଶା” ସଂପର୍କରେ ସମସ୍ତ ଗୋଷ୍ଠୀ ବେତାରକେନ୍ଦ୍ରର ପ୍ରସାରକ ମାନଙ୍କୁ ତାଲିମ ଦିଆଯାଇଥିଲା । ନିପୁଣ ଓଡ଼ିଶା ଦ୍ଵାରା ପିଲାମାନଙ୍କର ପ୍ରାଥମିକ ଶିକ୍ଷାରେ ମାତୃଭାଷା ଏବଂ ବ୍ୟବହାରତ୍ମକ ଆଚରଣରେ ଉନ୍ନତି କରିବା ଉପରେ ଆଲୋଚନା କରାଯାଇଥିଲା। ମାତା ପିତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ଆଚରଣରେ ପରିବର୍ତ୍ତନ ଆଣି ପିଲାଙ୍କର ସମସ୍ୟା ବୁଝି ସେମନଙ୍କର ମୌଳିକ ଶିକ୍ଷାର ଉନ୍ନତି ପାଇଁ ସହଯୋଗ କରିବେ । ନିପୁଣ ଓଡ଼ିଶାର ଏହି ଲକ୍ଷ୍ୟକୁ ଗୋଷ୍ଠୀ ବେତାରକେନ୍ଦ୍ର ମାନେ ପ୍ରସାର ନିମନ୍ତେ କିଭଳି କାର୍ଯ୍ୟକ୍ରମ ପ୍ରସ୍ତୁତି କରିବେ ଏହା ଉପରେ ତାଲିମ ଦିଆଯାଇଥିଲା । ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍ ଏ ସଫିକ୍ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ଦିବସରେ ୟୁନିସେଫ୍ ର ବରିଷ୍ଟ ଅଧିକାରୀ ଡ. ସୁଗତ ରାୟ, ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ସରିତା ମିଶ୍ର, ପ୍ରଶାନ୍ତ ଧଳ, ଚକ୍ରଧର ସାହୁ, ୟଙ୍ଗ ଇଣ୍ଡିଆର ସଭାପତି ଏନ୍ ଏ ଶାହ ଅନସାରୀ, ବେତାର ବିଶେଷଜ୍ଞ ଡ଼ ଅଶୋକ କୁମାର ପାଣିଗ୍ରାହୀ, ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ, ଶିକ୍ଷାବିତ୍ ପ୍ରତାପ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ନିପୁଣ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଭୂମିକା, ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଗୋଷ୍ଠୀ ବେତାର କେନ୍ଦ୍ର ମାନଙ୍କର ଦାୟିତ୍ଵ ଏବଂ ବେତାର କାର୍ଯ୍ୟକ୍ରମର ପ୍ରସ୍ତୁତି କିଭଳି ରହିବା ସେ ସମ୍ପର୍କରେ ଅତିଥି ମାନେ ଆଲୋଚନା କରିଥିଲେ । ଏହି କର୍ମଶାଳାକୁ ରୋଜାଲିନ ପ୍ରଧାନ, ଅନୁପ କୁମାର ସାହୁ, ଏସ କାଜଲ, ରାନୁ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅଭିଯାନ ୨ ମାସ ଧରି ୨୦ଟି କମ୍ୟୁନିଟି ରେଡ଼ିଓ ମାଧ୍ୟମରେ ରାଜ୍ୟର ୨୦ଟି ଜିଲ୍ଲାରେ ଚାଲିବ। ଏହି ମାଧ୍ୟମରେ ପ୍ରାୟ ୧୦ ହଜାର ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପ୍ରସାରଣ ଭିତ୍ତିକ ଜନଜାଗରଣ କରାଯିବ ।
