ରେଡିଓ ଆଉଟରିଚ ପକ୍ଷରୁ ସାମ୍ୱାଦିକ ନୃସିଂହ ବାରିକ ସମ୍ମାନିତ
ତିର୍ତ୍ତୋଲ-୧୪/୫-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଶନିବାର ଦିନ ଅନୁଷ୍ଠିତ ରେଡ଼ିଓ ଆଉଟରିଚ୍ ର ରଜ ମହୋତ୍ସବରେ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ ସମ୍ମାନିତ ହୋଇଛନ୍ତି। ଷ୍ଟେସନ ଡାଇରେକ୍ଟର ସୁବ୍ରତ ପତି ଶ୍ରୀ ବାରିକଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସେହିପରି ସାମ୍ବାଦିକ ପ୍ରମୋଦ ମଲ୍ଲିକ, ସାରଦା ପ୍ରସନ୍ନ ପରିଜା, ଶ୍ରୀବତ୍ସ ଲାଞ୍ଛନ ପାଢୀଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଓଡିଆ ରଜ ପର୍ବର ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ରଜ ମହୋତ୍ସବ ଆୟୋଜିତ ହୋଇଥିବା ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ତୃପ୍ତି ରଞ୍ଜନ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ଦୋଳି,ତାସ,କଉଡ଼ି,ଲୁଡୁ ଖେଳ, ପୋଡ଼ପିଠା ଓ ରଜ ପାନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ସମବେତ ହୋଇ ରଜ ମହୋତ୍ସବର ମଜା ଉଠାଇଥିଲେ। କୁନି କୁନି ପିଲାମାନଙ୍କ ଦ୍ବାରା ନୃତ୍ୟ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
