ରାଗ ବ୍ରହ୍ମଚଣ୍ଡାଳ 

       ରାଗ ବ୍ରହ୍ମଚଣ୍ଡାଳ 
    ( ରାଗ — ମାଳିନୀ )

✍🏼କବିରତ୍ନ ନୂତନ କୁମାର ବେହେରା

        ସଦା ରହି’ ଅଧୀର ଏ ମନ’,
ଭାବୁଥାଏ ଅନୁକ୍ଷଣ’ ଆଶା କରିବାକୁ ପୂର୍ଣ୍ଣ’,
  ଇନ୍ଦ୍ରିୟର ବଶେ ଥାଇ’ ଦେଖଇ ସପନ’,
କାମନା ପରେ କାମନା’ କରେ ପ୍ରତିଦିନ’।୧।

         ସତ୍ତ୍ଵ ରଜଃ ତମଃ ଗୁଣେ ଭାବି,
ଯା’ର ଯେମିତି ଭାବନା କରିଥାଏ ସେ କଳ୍ପନା,
   ବୁଦ୍ଧି ଜ୍ଞାନ ପାଇ ଜଣେ ହୁଏ ଅନୁଭବୀ,
ମାନସ ପଟରେ ଦିଶେ ତାକୁ ତାର ଛବି।୨।

           ରଜଃ ତମଃ ଗୁଣେ ଷଡ଼ରିପୁ
କାମ,କ୍ରୋଧ,ଲୋଭ,ମୋହ,ମଦ,ମାତ୍ସର୍ଯ୍ୟର ଦାହ,
    ଅସଂଯମୀ ପାଏନା ତ୍ରାହି ତା’ ଅଭିଶାପୁ,
ଥିଲେ ଥାଉ ପଛେ ତାର ଯେତେ ବଡ଼ ବପୁ।୩।

         ଶାସ୍ତ୍ରେ ଅଛି ଅନେକ ପ୍ରମାଣ,
କ୍ରୋଧରେ ସିଦ୍ଧ ସାଧକ ମଧ୍ୟ ହରାନ୍ତି ବିବେକ,
    ନିଜକୁ କରି ପାରନ୍ତି ନାହିଁ ନିୟନ୍ତ୍ରଣ,
ରାଗ ବ୍ରହ୍ମଚଣ୍ଡାଳ ଛାଡ଼େନା ବଡ଼ପଣ।୪।
        
        ଥିଲେ ସତ୍ତ୍ବ ଗୁଣରେ ସରାଗ,
ମିଳଇ ଶାନ୍ତି ସନ୍ତୋଷ ପ୍ରତିଭା ହୁଏ ବିକାଶ,
  ସୁଖେ ରହି ଜୀବନକୁ କରେ ଉପଭୋଗ,
ବିଷମେ ଆସଇ ମନେ ଘୃଣା ଈର୍ଷା ରାଗ।୫।

      ଚାପେ ତାପେ ଜନ୍ମ ନିଏ ରୋଗ,
ଜ୍ଞାନଶକ୍ତି ଦିଏ ନାଶି ହିଂସା ଦ୍ୱେଷକୁ ପ୍ରକାଶି,
   ବ୍ରହ୍ମ ଚଣ୍ଡାଳ ଏ ରାଗ ନାହିଁ ତାର ବାଗ,
ଚିହ୍ନେ ନାହିଁ ସଂପର୍କକୁ ନୀତି କରେ ଭଙ୍ଗ।୬।

      କରି ରାଗ ପାରେନା କେ ଜିଣି,
ଶାନ୍ତ ନମ୍ର ଭଦ୍ର ଗୁଣେ ନିଜକୁ ଉଚିତ ମଣେ,
  ତା’ ପାଇଁ ଭବ ସଂସାର ଯେ ପରଶମଣି,
  ଜୀବନର ପଥେ ସିଏ ହୁଅଇ ଅଗ୍ରଣୀ।୭।

         ନିୟନ୍ତ୍ରଣେ ରାଗ ହୁଏ କ୍ଷାନ୍ତ,
ବୁଝି ବିଚାରି ମଣିଷ ଅଜ୍ଞାନତା କରେ ନାଶ,
  ସୁକର୍ମ କରି ସେ ନ୍ୟାୟେ ହୁଏ ବଳବନ୍ତ,
  ତା’ ପ୍ରତି ସାହା ହୁଅନ୍ତି ଅନାଦି ଅନନ୍ତ।୮।

         ରାଗ ରୋଷ ମାନ ଅଭିମାନ
ମନରୁ କରେ ଯେ ଦୂର ସୁଖ ଶାନ୍ତି ପାଏ ଚିର,
    ଉତ୍ତମ ଚରିତ୍ର ଗଢ଼ି ହୁଅଇ ମହାନ,
ସଂସାରେ ସାର୍ଥକ ହୁଏ ତାହାର ଜୀବନ। ୯।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,      କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *