ରଜ ଦୋଳି
ରଜ ଦୋଳି
🖊️କବିରତ୍ନ ନୂତନ କୁମାର ବେହେରା
ଏକ ଋତୁ ପରେ ଆଉ ଏକ ଋତୁ
ଛଅ ଋତୁ ଯାକ ଭ୍ରମନ୍ତି ଚକ୍ରାକାରରେ
ଅଦୃଶ୍ୟ ତାଙ୍କର ଚେହେରା
ପ୍ରକୃତିର ରୂପ କିନ୍ତୁ ଦିଅନ୍ତି ବଦଳାଇ
ବର୍ଷା ଖରାରେ ଭିଜାନ୍ତି ଧରା
ପ୍ରଚଣ୍ଡ ନିଦାଘର ନିଆଁ ପରି ଉତ୍ତପ୍ତ ଝାଞ୍ଜିରେ
ଆତଙ୍କିତ ହେଉଥିବା ବେଳେ ଜୀବନ
ତୃଷାରେ ଆତୁର ହୁଏ ବସୁନ୍ଧରା
ଶୁଷ୍କ ଭୂଇଁର ରୁକ୍ଷ ଶୂନ୍ୟ କୋଳକୁ
ଆଦ୍ର କରିବା ପାଇଁ
ଆଶୀର୍ବାଦର ଆଶ୍ଵାସନାରେ
ଦେବାକୁ ଭରି ମାଟିର ବୈକୁଣ୍ଠରେ
ଭିଜା ଭିଜା ବାସ୍ନା
ସମୟ ଆମନ୍ତ୍ରଣ କରି ଆଣେ
ବର୍ଷାର ଆଷାଢ଼କୁ
ସାଥୀରେ ସେ ନେଇ ଆସେ
ଗଣପର୍ବ ରଜ ସଂକ୍ରାନ୍ତି
ହସ ଖୁସି ଆନନ୍ଦର ସୃଷ୍ଟି ହୁଏ ମାହୋଲ
ଶାନ୍ତିର ସାନ୍ତ୍ଵନା ଟିକିଏ ପାଇବା ଲାଗି
ଅନୂଢ଼ା କନ୍ୟାମାନେ ଝୁଲନ୍ତି ଦୋଳି
ରଜସ୍ଵଳା ବସୁମତୀକୁ ନ କରିବା ପାଇଁ ସ୍ପର୍ଶ
ସେମାନେ କଦଳୀ ପଟୁକାରେ
ତିନିଦିନ ପାଦ କରିଥାନ୍ତି ଆବୃତ୍ତ
ପହିଲି ରଜ ରଜ ସଂକ୍ରାନ୍ତି ଓ ଭୂମି ଦହନ
ଖାଇ ପିଠାପଣା ହୋଇ ସଜବାଜ
ପାଟି କଡ଼ରେ ଚାପି ରଜର ମିଠା ଖିଲି ପାନ
ଆତ୍ମ ବିଭୋରରେ ପ୍ରାଣର ପୁଲକରେ
ଗାଇ ରଜ ଗୀତ ଝୁଲନ୍ତି ଦୋଳି
ଓଡ଼ିଆ ଐତିହ୍ୟ ପରମ୍ପରା ସଂସ୍କୃତିର
ଲହରୀ ଛୁଟେ ପଲ୍ଲୀ ଗୀତରେ
ଛନ୍ଦ ତାଳ ଲୟର
ରାଗ ରାଗିଣୀ ମଧୁର ମୂର୍ଚ୍ଛନା
ତରୁଣ ତରୁଣୀର ପ୍ରେମ ଉଦ୍ଦୀପନା
ଜାଗେ ତନୁମନରେ
ଆହ୍ଵାନ କରି ତାଙ୍କୁ ଦିଏ ପ୍ରେରଣା
ସଂଯମତା ପାଳି ରହିବାକୁ ସୁରକ୍ଷିତେ
ଚାଷୀଙ୍କ ମନରେ ଭରି ଯାଏ ଆଗ୍ରହ ଉତ୍ସାହ
କୃଷିକାର୍ଯ୍ୟରେ ହେବାକୁ ନିମଗ୍ନ
ପାଣି କାଦୁଅ ଘାଣ୍ଟି ଶ୍ରମ ସେବା ଯତ୍ନରେ
ପଳାଇବାକୁ ଫସଲ
ଦୂରାଇବାକୁ ପେଟର କ୍ଷୁଧା
ସବୁଜିମା ହସେ ପ୍ରାନ୍ତରେ ପ୍ରାନ୍ତରେ
ଭବିଷ୍ୟତରେ ସୁଖ ସାଉଁଟିବାକୁ
ଯୋଗାଏ ଇନ୍ଧନ
ରଜ ଦୋଳି ଘୁରେ ଅର୍ଦ୍ଧ ବୃତ୍ତାକାରରେ
ଜୀବନ ଦର୍ଶନର ହୋଇ ପ୍ରତୀକ
ହସ ଲୁହ ସୁଖ ଦୁଃଖ
ଉତ୍ଥାନ ପତନକୁ ନେଇ
ସଂସାରରେ ମାନବର ଜୀବନଧାରା
ଦୋଳି ପରି ବିଧିର ବିଧାନରେ ଝୁଲୁଛି ସବୁ
ଶୂନ୍ୟ ଶୂନ୍ୟରେ ଆଶାକୁ ସଞ୍ଚାରି ତାର
ଯେତେ ଯା’ କରୁ ଏ ମଣିଷ
ତା’ ଜୀବନର ଆସକ୍ତି ଯେ
ଅର୍ଦ୍ଧ ବୃତ୍ତାକାର
ରଜ ପର୍ବ ଆସି ଦିଏ ଚେତନା ଭରି
ଅସଂପୂର୍ଣ୍ଣ ଜୀବନେ
ମଧୁମୟ କର ସଂସାର
ବୁଝାଏ… ସମାଜ ସଜାଡ଼ି ବଢ଼ ଆଗକୁ
ଆଉ ନାହିଁ ଯଦିଓ
ସେ ଦୋଳି ଆଗ ଭଳି
ରଜପର୍ବର ଅନ୍ତଃସ୍ଵର କହେ
ଶୃଙ୍ଖଳିତ ହୋଇ ସର୍ବେ…ଝୁଲ ଜୀବନ ଦୋଳି
ଓଠରୁ ହସ ନିରନ୍ତର ପଡ଼ୁଥିବ ଉଛୁଳି…।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
