ଛାତ୍ରଛାତ୍ରୀଙ୍କୁ ସନ୍ତାନର ସ୍ନେହ ଦେଉଥିଲେ ରାଜଲକ୍ଷ୍ମୀ ଗୁରୁମା”*

କୋଣାର୍କ,୩୧/୧୨ ଗୋପ ବ୍ଲକର ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ଅନ୍ତର୍ଗତ ଶିରିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତି ସରକାରୀ ବୃତ୍ତିରୁ ବୁଧବାର ଅବସର ନେଇଛନ୍ତି। ସେ ଵିଗତ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ ନିଜ ଗ୍ରାମ ଶିରିପୁର ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଦାୟିତ୍ୱ ନିର୍ବାହ ଅବସରରେ ବିଦ୍ୟାଳୟର ଭୌତିକ ଓ ଶୈକ୍ଷିକ ପରିବେଶର ବିକାଶ ସାଧନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ନିଜର ସନ୍ତାନଭଳି ସ୍ନେହ ଶ୍ରଦ୍ଧା ଦେଇ ଆସୁଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ବୁଧବାର ପୂର୍ବାହ୍ନରେ ବିଦ୍ୟାଳୟର ପରିଚାଳନା କମିଟି ପକ୍ଷରୁ ରାଜଲକ୍ଷ୍ମୀ ଗୁରୁମାଙ୍କ ସମ୍ମାନାର୍ଥେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ଆଲୁମିନି କମିଟିର ସଭାପତି ରାମକୃଷ୍ଣ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଗୋପ ଏଵିଇଓ ତଥା ଵିଆରସିସି ବିନୋଦିନୀ ମହାପାତ୍ର ମୁଖ୍ୟ ଅତିଥି, ଶିକ୍ଷାବିତ୍ ଶରତ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ରୂପେ ସିମିଳି ସରପଞ୍ଚ ବିଶ୍ୱଜିତ୍ ସ୍ୱାଇଁ, ସମିତିସଭ୍ୟା ମିନତି ସାହୁ, ଏଵିଇଓ ସମ୍ରାଟ ଭଞ୍ଜ ଭୋଇ, ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିୟନର ସଂପାଦକ ଶିଵଦତ୍ତ ନାୟକ, ସିଆରସିସି ରବୀନ୍ଦ୍ରନାଥ ବାହିନୀପତି ଓ ସିଆରସିସି ତ୍ରିଲୋଚନ ବେଜ ଯୋଗଦେଇ ରାଜଲକ୍ଷ୍ମୀ ଗୁରୁମାଙ୍କ ଆଦର୍ଶ କର୍ମ ସଂସ୍କୃତିର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିୟନ, ଆଲୁମିନି କମିଟି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ରାଜଲକ୍ଷ୍ମୀ ଗୁରୁମାଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢ଼ୌକନ ପ୍ରଦାନପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜିତେନ୍ଦ୍ର କାଣ୍ଡି, ସହକାରୀ ଶିକ୍ଷୟିତ୍ରୀ ପିଙ୍କି ବେହେରା, ପୁରାତନ ଛାତ୍ର ଈଶାନ ମହାନ୍ତି ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ଗ୍ରାମବାସୀଙ୍କ ପକ୍ଷରୁ ରାଜଲକ୍ଷ୍ମୀ ଗୁରୁମାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ତାଙ୍କ ବାସଗୃହରେ ଛଡ଼ାଯାଇଥିଲା।

Leave a Reply

Your email address will not be published. Required fields are marked *