ରଜନୀ ଖୋଜୁଛି ରଜନୀଗନ୍ଧା
ରଜନୀ ଖୋଜୁଛି ରଜନୀଗନ୍ଧା
▪️କବିରତ୍ନ ନୂତନ କୁମାର ବେହେରା
ଶାଶ୍ଵତ ପ୍ରେମର ପ୍ରତିଜ୍ଞା ପୂରଣ ନିମିତ୍ତ
ଯୁଗ ଯୁଗ ଯାଏଁ ସାନ୍ନିଧ୍ୟରେ ରହିବାକୁ
ଏକାତ୍ମାରେ ଏକ ମନ ଏକ ପ୍ରାଣ ନେଇ
ନୀରବ ନିସ୍ତବ୍ଧତାର ନିର୍ଜନରେ ଏକାକିନୀ
ପବିତ୍ର ଓ ମଧୁର ସଂପର୍କରେ ହେବାକୁ ବନ୍ଧା
ରଜନୀ ଖୋଜୁଛି ରଜନୀଗନ୍ଧା
ଦିବସର କ୍ଳାନ୍ତି ଆଉ କୋଳାହଳ ସବୁ
ସ୍ଥଗିତ ରହିଲା ପରେ ପରେ
ଅଭିସାରିକା ସାଜି ରଜନୀ ରାଣୀ
ଅନିନ୍ଦ୍ୟା ସୁନ୍ଦରୀର ସୌନ୍ଦର୍ଯ୍ୟ ପ୍ରକାଶି
ସୁଗୁଣର ଶୋଭାରେ ସୁନା ଗହଣା ପିନ୍ଧି
ଗାଏ ଲଘୁ ସଂଗୀତ ଛନ୍ଦେ ହୋଇ ମଧୁଛନ୍ଦା
ବରଷାଇବାକୁ ପ୍ରୀତିର ସ୍ୱର୍ଗୀୟ ସୁଧା
ହୋଇ ଭାବପ୍ରବଣା ଭାବେ ହୁଅଇ ନିମଗ୍ନା
ଭୁଲିବାକୁ ଅଜ୍ଞାନ ଅନ୍ଧକାରର ଗ୍ଳାନି
ଦେଖେ ଶୁଭ୍ରା ସ୍ନିଗ୍ଧା ବଦନୀ ରଜନୀଗନ୍ଧାକୁ
ଚାହେଁ ତା’ ପରି ହେବାକୁ ସୁଧାସ୍ଵିନୀ
ତାର ମହକରେ ହୋଇ ଆପ୍ୟାୟିତା
ଆପ୍ୟାୟିତ କରିବାକୁ ତାର ପ୍ରିୟଜନକୁ
ଏଡ଼ି ଯାଇ ପ୍ରତିକୂଳର ଯେତେ ବାଧା
ରଜନୀ ଖୋଜୁଛି ରଜନୀଗନ୍ଧା
ଖୋଜିବାର ପ୍ରୟାସରେ ହୁଏ ଉଦବିଘ୍ନା
ମରେ ଯେବେ ଆଶା ଫୁଟେ ନାହିଁ ଆଉ ଭାଷା
ବିନା ଦୋଷେ ହୁଅ ସେ ଅଭିଶପ୍ତା
ମନ ପ୍ରାଣରୁ ହାରି ନ ଯାଇ ଜାଳେ ଜାଗର
ହୃଦୟର ସକଳ ଅହଂଭାବକୁ ଛାଡ଼ି
ଭରସା ବିଶ୍ବାସ ରଖି ହୁଏ ଯେବେ ସମର୍ପିତା
ବାଜି ଉଠେ ମିଳନର ଶୁଭ ସାହାନାଇଁ
ପ୍ରତୀକ୍ଷାର ସମୟ ହୁଏ ଅତିକ୍ରାନ୍ତ
ବିରହର ବିଳାପରେ ଆଉ ରହେନା ସନ୍ତାପ
ବସନ୍ତର ମୃଦୁ ମଳୟ ସ୍ପର୍ଶରେ ହୁଏ ପରିପୂର୍ଣ୍ଣା
ଅଭିପ୍ସାର ଅଭ୍ୟର୍ଥନା ପାଇ ହୁଏ ଧନ୍ୟା
ଜୀବନ ଜ୍ଵାଳା ଲାଘବର ଅନୁଭବେ ଅନୁପମ
ତାର ଉପଚାରରେ ରଖି ଅଗାଧ ଶ୍ରଦ୍ଧା
ରଜନୀ ଖୋଜୁଛି ରଜନୀଗନ୍ଧା…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।
