କୃଷକ ବିଜୟ ସମାବେଶ ନିମନ୍ତେ ରାକ୍ଷୀ ବାନ୍ଧିଲେ ମହିଳା ସଂଗଠିକା

ସେପ୍ଟେମ୍ବର 9 ତାରିଖରେ ପୁରୀଠାରେ ଆୟୋଜିତ ହେଉଥିବା କୃଷକ ବିଜୟ ସମାବେଶ ନିମନ୍ତେ ଅଭିନବ ଉପାୟରେ ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି ମହିଳା ସଂଗଠିକାମାନେ । ସୋମବାର ପୂର୍ବାହ୍ନରେ ଶ୍ରୀମତୀ ସସ୍ମିତା ବେହେରାଙ୍କ ପରିଚାଳନାରେ ପ୍ରତିନିଧିମାନେ ଭୁବନେଶ୍ୱର ଆଇନଜୀବୀ ସଂଘ କାର୍ଯ୍ୟାଳୟକୁ ଯାଇ ସଭାପତି ଶ୍ରୀ ଧନେଶ୍ୱର ମହାନ୍ତିଙ୍କ ସମେତ ବହୁ ଆଇନଜୀବୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ସମ୍ବାଦର ସଂପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ସମାଜର ବାର୍ତ୍ତା ସଂପାଦକ ଶ୍ରୀ ପ୍ରସନ୍ନ ପତି, ବରିଷ୍ଠ ସ୍ତମ୍ଭକାର ଶ୍ରୀ ରାଜେଶ ନାୟକ, ନିର୍ଭୟର ସଂପାଦକ ଶ୍ରୀ ନବୀନ ଦାସ ପ୍ରମୁଖଙ୍କ ବାସଭବନ ଓ କାର୍ଯ୍ୟାଳୟ ଯାଇ ସେମାନଙ୍କ ହାତରେ ରାକ୍ଷୀ ପିନ୍ଧାଇବା ସହିତ ମିଠା ଖୁଆଇଥିଲେ ।

ରାକ୍ଷୀ ପୂର୍ଣ୍ଣିମା ହେଉଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବଡଭାଇ ବଳଭଦ୍ରଙ୍କର ଜନ୍ମଦିନ ଏବଂ ଏହି ଦିନ ବଳଦମାନଙ୍କୁ ପୂଜା କରାଯାଇଥାଏ । ରାକ୍ଷୀ ପୂର୍ଣ୍ଣିମାକୁ କୃଷିର ଅନ୍ୟତମ ପର୍ବ ଭାବେ ପାଳନ କରାଯାଏ। ସେ ଦୃଷ୍ଟିରୁ କୃଷି ଜମି, କୃଷି ଓ କୃଷକଙ୍କୁ ରକ୍ଷା କରିବା ପାଇଁ ଭଉଣୀମାନେ ଆଜି ସାଧାରଣ ଲୋକଙ୍କର ସମର୍ଥନ ଲୋଡୁଛନ୍ତି ବୋଲି ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି । କେବଳ ଭଉଣୀମାନଙ୍କର ବା ଝିଅମାନଙ୍କର ସୁରକ୍ଷା ନୁହେଁ ଆଜି ମାଟି ମାଆର ସୁରକ୍ଷା ସମସ୍ତଙ୍କର ନୈତିକ କର୍ତ୍ତ୍ୟବ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସୁଶ୍ରୀ ଆରତୀ ପଟ୍ଟନାୟକ, ଜ୍ୟୋତି ପଣ୍ଡା, ଭାଗ୍ୟଲକ୍ଷ୍ମୀ ରାଉତରାୟ, ଅଳକା ମହାପାତ୍ର, ସ୍ମିତା ସାମଲ, ଶ୍ରୀ ମନୋଜ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *