ରାମକୃଷ୍ଣ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ*
କାକଟପୁର,୩୧.୦୩ କାକଟପୁର ବ୍ଲକ ଅନ୍ତର୍ଗତ ଆନନ୍ଦବଜାର ସ୍ଥିତ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପକ୍ଷରୁ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସଭାପତି ସତ୍ୟବ୍ରତ ପ୍ରଧାନ ଓ ଟ୍ରଷ୍ଟି ସମ୍ପାଦକ ପବିତ୍ର ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ନିମାପଡା ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଧୁ ଚରଣ ସାହୁ ସଭାପତିତ୍ଵ କରିଥିଲେ। ଅତିଥି ଭାବେ ବିଧାୟକ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ସ୍ୱାଧୀନ କୁମାର ନାୟକ, ରତନପୁର କଲେଜ ଅଧକ୍ଷ ଚିତ ରଞ୍ଜନ ପରିଡ଼ା, ବିଦ୍ୟାଳୟର ଉପଦେଷ୍ଟା ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାହୁଙ୍କ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ହିଁ ମଣିଷ ତିଆରି ମନ୍ଦିର ସଦୃଶ, ଏଠାରେ ପଢୁଥିବା ଛାତ୍ରଛାତ୍ରୀ ମାନେ କୁନାକୁନି ଠାକୁର । ତେଣୁ ପ୍ରତ୍ୟେକ ପିଲା ଉତ୍ତମ ଶିକ୍ଷା, ଚରିତ୍ର ଓ ସୁଙ୍ଖଳିତ ହେବା ସହ ଆତ୍ମବିଶ୍ଵାସ ରଖିବା ଉଚିତ୍। ମନ ଭିତରେ ଦୃଢ଼ ସଂକଳ୍ପ ରଖି ଆଗକୁ ବଢ଼ିଲେ ସବୁ ସଫଳତା ହାସଲ କରିପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଥି ସହିତ ଗୁରୁଙ୍କ ପ୍ରତି ସମ୍ମାନ ଓ ପିତାମାତା ଅନ୍ୟ ଗୁରୁଜନଙ୍କ ପ୍ରତି ତ୍ୟାଗ କରିବା ଉଚିତ୍ ବୋଲି ମତ ପୋଷଣ କରିଥିଲେ । ଆଚାର୍ଯ୍ୟା ବର୍ଷା ମହାରଣା ବିଦ୍ୟାଳୟର ବାର୍ଷିକ ବିବରଣୀ ଓ ସ୍କୁଲର ସଫଳତାର ବିବରଣୀ ପଠନ କରିଥିଲେ।

ଏହି ଉତ୍ସବରେ ବିଦ୍ୟାଳୟର କୃତିତ୍ଵ ଲାଭ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆକର୍ଷଣୀୟ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପରି ବେଷଣ କରାଯାଇଥିଲା । ଉତ୍ସବକୁ ପ୍ରଧାନଆଚାର୍ଯ୍ୟ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସହଯୋଗ କରିଥିଲେ। ଏହି ଉତ୍ସବରେ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
କାକଟପୁରରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
