ଜଗତେ ଦୁର୍ଲଭ ମାନବ ଜନ୍ମ

      ଜଗତେ ଦୁର୍ଲଭ ମାନବ ଜନ୍ମ
         ( ରାଗ — ରସକୁଲ୍ୟା )

   🖊️କବିରତ୍ନ ନୂତନ କୁମାର ବେହେରା

ଜଗତେ ଦୁର୍ଲଭ’ ମାନବ ଜନ୍ମ’
           ସୃଷ୍ଟିରେ ନାହିଁ ତ’ କେହି ତା’ ସମ,
ମାନବ ସେବାରେ’ ଜୀବନ ଧନ୍ୟ’
     ପୁଣ୍ୟ ଅର୍ଜି ଲଭେ’ ବହୁତ ମାନ୍ୟ’ ସେ’,
ବୁଦ୍ଧି ବିବେକରେ’ ଶ୍ରେଷ୍ଠ’ ଯେ’
         ତାର କର୍ମ ବଳେ’ ରୁହଇ ମଙ୍ଗଳେ’
ହୁଅଇ କର୍ତ୍ତବ୍ୟ’ ନିଷ୍ଠ’ ଯେ’।୧।

ବହୁ ପୁଣ୍ୟ କରି ପ୍ରାରବ୍ଧ ବଳେ
                 ଜନମିଛି ଏଇ ମହୀ ମଣ୍ଡଳେ,
କୋଟି କୋଟି ଜୀବ ମଧ୍ୟେ ମହାନ,
       ସଂସାରେ ପାଇଛି ଅମୂଲ୍ୟ ପ୍ରାଣ ସେ,
କରେ ଯିଏ ଅନୁଭବ ଯେ
         ସତ୍ୟ ରକ୍ଷା କରି ବଢ଼ାଏ ତା’ ଶିରୀ
ରଖିଥାଏ ସଦଭାବ ଯେ।୨।

ପରିବାର ମଧ୍ୟେ କରଇ ବାସ
            ଦୁଃଖ ସାଥେ ଲଢ଼ି ଫୁଟାଏ ହସ,            
ହୃଦୟେ ତାହାର ରଖି ସରାଗ
      ପ୍ରତିଭା ବିକାଶେ ପାଏ ସୁଯୋଗ ସେ,
କଷ୍ଟରେ ଗଢ଼େ ଜୀବନ ଯେ
              ଆଚାର ବିଚାର କରିଣ ସୁନ୍ଦର
ସଂପର୍କ ରଖେ ଅମ୍ଳାନ ଯେ।୩।

ବାପାର ଶରଧା ମା’ର ମମତା
               ବଢ଼ାଏ ତାହାର କାର୍ଯ୍ୟ ଦକ୍ଷତା,         
ସବୁରି ସହିତ ଆନ୍ତରିକତା
       ଭାଇ ଭାଇ ମଧ୍ୟେ ରଖେ ଏକତା ସେ,
ଘରକୁ କରେ ମନ୍ଦିର ଯେ
                ପରିବାର ମାନ ରଖଇ ଅକ୍ଷୁଣ୍ଣ
ସଂକଟ କରଇ ଦୂର ଯେ।୪।

ସବୁରି ହିତରେ ରଖଇ ଧ୍ୟାନ
               ସେବା ଯତନରେ ଦିଅଇ ମନ,
ନିଷ୍ଠାରେ କରଇ ଶ୍ରମ ସାଧନ
         ଅରଜେ ସୁଖ୍ୟାତି ଯଶ ସମ୍ମାନ ସେ,
ଗଢ଼େ ନିର୍ମଳ ଚରିତ୍ର ଯେ
             କରି ଉପକାର ରହେ ନିର୍ବିକାର
ହୃଦୟ ରଖେ ପବିତ୍ର ଯେ।୫।

ହୃଦେ ରଖି ଦେବ ସୁଲଭ ଗୁଣ
        ଆଶା ଆକାଂକ୍ଷା ତା’ କରେ ପୂରଣ,
ଇନ୍ଦ୍ରିୟ ସଂଯମେ ରଖଇ ଧ୍ୟାନ
          ଲଭଇ ଉତ୍ତମ ସ୍ଵଭାବ ଗୁଣ ସେ,
ପାଳେ ମାନବ ଧରମ ଯେ
           ବିନୟ ବଚନେ ସମସ୍ତଙ୍କୁ ଜିଣେ
ତୁଷ୍ଟ ହୁଅନ୍ତି ପରମ ଯେ।୬।

ସୁଗୁଣକୁ ଭୁଲି କଲେ ଅନର୍ଥ
            ମୂଲ୍ୟବାନ ପ୍ରାଣ ହୁଅଇ ବ୍ୟର୍ଥ,
ବୁଝିଥାଏ ଯିଏ ଜୀବନ ଅର୍ଥ
    ସଦା ତ୍ୟାଗ କରେ କପଟ ସ୍ବାର୍ଥ ସେ,
ଅନ୍ତରରେ ଦିବ୍ୟଜ୍ଞାନ ଯେ
             କରି ଅନୁଭବ ଘୁଞ୍ଚାଏ ଅଭାବ
ମାନବ ହୁଏ ମହାନ ଯେ।୭।

ଜଗତେ ଦୁର୍ଲଭ ମାନବ ଜନ୍ମ
              ଜାଣି ବି ଅଧମେ ହୁଅନ୍ତି ବାମ,
ତାମସିକ ଗୁଣେ ହୋଇ ଆସକ୍ତ
        ଚିହ୍ନୁ ନାହିଁ ନିଜେ ନିଜର ରକ୍ତ ସେ,
ପରମାତ୍ମା ବଶେ ଆତ୍ମା ଯେ
        ସତ୍ୟ ପଥ ଏଡ଼ି ମିଛେ ରହେ ବୁଡ଼ି
ବୁଝେନା ବ୍ରହ୍ମଙ୍କୁ ଜମା ଯେ।୮।

ଆଜିର ଜୀବନ କାଲିକୁ ନାହିଁ
            ଗର୍ବ ଅହଙ୍କାର କଅଣ ପାଇଁ ?
କରୁଥିଲେ ସେବା ଅରଜେ ପୁଣ୍ୟ
       ମାନବ ଜନମେ ହୁଅଇ ଧନ୍ୟ ସେ,
ଏ ଜୀବନ କ୍ଷଣସ୍ଥାୟୀ ଯେ
         ନିରାମୟ ପ୍ରାଣ ଲଭଇ ନିର୍ବାଣ      
ରହେ ପ୍ରଭୁପାଦ ଧ୍ୟାୟି ଯେ। ୯।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
   ନବସୃଜନ ଇ-ପତ୍ରିକା,

   କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *