ମୁକ୍ତି
ମୁକ୍ତି
🖋️କବିରତ୍ନ ନୂତନ କୁମାର ବେହେରା
ମୁକ୍ତି କାହିଁ … ଖୋଜିଲେ ମିଳିବ ଇଚ୍ଛାରେ
ଜୀବନ ତ ବନ୍ଧା ପଡ଼ିଛି ମାୟା ମୋହରେ
ଓଟାରି ହୁଏ ପଘାରେ ବନ୍ଧା ଗାଈ ପରି
ସଂପର୍କର ଅଝାଲ ଦଉଡ଼ି ହୁଏନା ଛିଡ଼ାଇ
ବନ୍ଦୀରେ ଛନ୍ଦି ହୋଇ ରହିବାକୁ ହୁଏ
ଗୋଟେ ଗୋଟେ ଦିନ ଗଣନେ ବିତିଯାଏ
ଯଦିଓ ମୁକ୍ତି ମନ ପ୍ରାଣ ଆତ୍ମାର କାମ୍ୟ
ବିଷୟା ବିଷକୁ ଇଚ୍ଛାଶକ୍ତି ମଣେ ରମ୍ୟ
ଜନମ ହୋଇଥାଇ ପାରେ ସ୍ଵାଧୀନରେ
ମାତ୍ର ଜୀବନ ଯେ ସବୁଠି ଅଛି ବନ୍ଧନରେ
ପିତା ମାତାଙ୍କର କୋମଳ କୋଳ’ଠାରୁ
ପ୍ରାଣପ୍ରିୟା ପତ୍ନୀର ରୂପ ଲାବଣ୍ୟର ଚାରୁ
ସନ୍ତାନ ସନ୍ତତି ମାନଙ୍କ ପ୍ରତି ଅନୁରାଗ
ସାଙ୍ଗ ସାଥୀ ବନ୍ଧୁ ପରିଜନଙ୍କ ସରାଗ
ସବୁ ବନ୍ଧନ ଲାଗେ ତ ମଧୁର ଅମୃତମୟ
ଏ ମହାମିଳନର ବିଚ୍ଛେଦ ଚାହେଁ କି ହୃଦୟ
ମୁକ୍ତିର ଅର୍ଥ ନୁହେଁ ସବୁ କିଛିର ସମାପ୍ତି
ତାହା ହିଁ ପ୍ରକୃତ ମୁକ୍ତି ଜୀବନର ଶାନ୍ତି ତୃପ୍ତି
ଯେଉଁଠି ନଥାଏ ଛନ୍ଦ କପଟର ମାୟା ଜାଲ
ସ୍ଵାର୍ଥ ପୂରଣ ପାଇଁ ଜଣେ କରୁଥିବ ମୂଲଚାଲ
ମଣିଷଟିଏ ହୋଇ ସଂଯମୀ ଶୃଙ୍ଖଳିତ
ଜୀବନର ଚଲାପଥେ କରୁଥିବ ଉଚିତ
ରହି ସ୍ଵତନ୍ତ୍ର ନିରଙ୍କୁଶ ଭାବେ ଜୀଇଁଥିବ
ନଥିବ ବାଧ୍ୟ ବାଧ୍ୟକତାରେ ଚାପର ପ୍ରଭାବ
ମନ ହିଁ ମଣିଷର ମୁକ୍ତି ଓ ବନ୍ଧନର କାରଣ
ଚାହିଁଲେ ସେ ବନ୍ଧନରେ ପକାଏ ତା’ ଗୁଣ
ନିରନ୍ତର ମନରେ ଭାବିଲେ ସ୍ଵଚ୍ଛ ନିର୍ବିକାର
ସାରା ସଂସାରରେ ପାର୍ଥିବ ସମ୍ପର୍କ ହୁଏ ମଧୁର
ରହି ଜଣେ ମୁକ୍ତ ପ୍ରୟୋଗ କଲେ ଆତ୍ମଶକ୍ତି
ସାଧନରେ ସାଧକ ସର୍ବଦା ପାଇଥାଏ ମୁକ୍ତି।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
