ବିକଶିତ ଓଡ଼ିଶା ଦୃଷ୍ଟିକୋଣ ୨୦୩୬ ଓ ୨୦୪୭ ଲକ୍ଷ୍ୟ ରଖି ପ୍ରଶାସନିକ ବ୍ୟବସ୍ଥା ଓ ଶାସନ ପରିଚାଳନା ନିମନ୍ତେ ସଂସ୍କାର କମିଟି ଗଠିତ
ଭୁବନେଶ୍ୱର ତା-୦୬.୧୧.୨୦୨୫ ଓଡ଼ିଶା ସରକାର ଏକ ଦାୟିତ୍ୱସଂପନ୍ନ, ପାରଦର୍ଶୀ, ଏବଂ ଦକ୍ଷ ନାଗରିକକୈନ୍ଦ୍ରିକ ଶାସନ ପ୍ରଣାଳୀ ବ୍ୟବସ୍ଥାରେ ବିକଶିତ ଓଡ଼ିଶା – ୨୦୩୬ ଓ ୨୦୪୭ ଲକ୍ଷ୍ୟ ସାଧନ ପାଇଁ ପ୍ରତିବଦ୍ଧ ଅଟନ୍ତି । ରାଜ୍ୟରେ ସଂସ୍ଥାଗତ ଏବଂ ସଂଗଠିତ ବ୍ୟବସ୍ଥାର ଆବଶ୍ୟକତାକୁ ଅନୁଭବ କରି ସରକାର ପ୍ରଶାସନିକ ଢାଞ୍ଚାକୁ ସମୀକ୍ଷା କରିବା, ପ୍ରଣାଳୀଗତ ତ୍ରୁଟି ବା ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରିବା ଏବଂ ଭବିଷ୍ୟତ ଦୃଷ୍ଟିକୋଣରୁ ସଂସ୍କାରମୂଳକ ପରାମର୍ଶ ଦେବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରୟାସ ଦେଶର ଅନ୍ୟ ରାଜ୍ୟରେ ଗଠିତ ସମାନ ସଂସ୍କାର ବ୍ୟବସ୍ଥାରୁ ପ୍ରେରଣା ଲାଭ କରି ଏବଂ ୨୦୪୭ ସୁଦ୍ଧା ଓଡ଼ିଶାକୁ ଶାସନ ପରିଚାଳନାରେ ଉତ୍କର୍ଷତା ଏବଂ ଅଗ୍ରଣୀ ଭାବେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜ୍ୟପାଳ, ଓଡ଼ିଶାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଗତ ଅକ୍ଟୋବର ୨୭ ତାରିଖରେ ଏ ସଂପର୍କରେ ପ୍ରଶାସନିକ ବ୍ୟବସ୍ଥା ଓ ଶାସନ ପରିଚାଳନା ପାଇଁ ସଂସ୍କାର କମିଟି ଗଠନ ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କମିଟିରେ ପ୍ରାକ୍ତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଯୁଗଳ କିଶୋର ମହାପାତ୍ର ଅଧ୍ୟକ୍ଷ ରହିଥିବା ବେଳେ ଏଥିରେ ଶ୍ରୀ ଓ.ପି.ଅଗ୍ରଓ୍ୱାଲ,ଭା.ପ୍ର.ସେ(ଅବସରପ୍ରାପ୍ତ)-ସଦସ୍ୟ ଏବଂ ଶ୍ରୀ ଟି.ଏମ୍. ବିଜୟ ଭାସ୍କର, ଭା.ପ୍ର.ସେ (ଅବସରପ୍ରାପ୍ତ)-ସଦସ୍ୟ ରହିଛନ୍ତି । ଏହି କମିଟି ବିକଶିତ ଓଡ଼ିଶା ଭିଜନ – ୨୦୩୬ ଓ ୨୦୪୭ ଆଭିମୁଖ୍ୟକୁ ଲକ୍ଷ୍ୟ ରଖି ବର୍ତ୍ତମାନ ରହିଥିବା ପ୍ରଶାସନିକ ଢାଞ୍ଚା, ନୀତି ଏବଂ ପ୍ରକ୍ରିୟାଗୁଡିକୁ ସମୀକ୍ଷା କରିବେ ଏବଂ ସେଥିରେ ରହୁଥିବା ଆବଶ୍ୟକ ସରଳୀକରଣ, ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱକୁ ନିଶ୍ଚିତ କରିବା ପାଇଁ ପରାମର୍ଶ ଦେବେ । ଆହୁରି ମଧ୍ୟ ଏହି କମିଟି ଓଡ଼ିଶା, ଅନ୍ୟ ରାଜ୍ୟ ଓ ଆନ୍ତର୍ଜାତୀୟ ମଡେଲରୁ ସର୍ବଶ୍ରେଷ୍ଠ ଅଭ୍ୟାସଗୁଡ଼ିକ(ବେଷ୍ଟ ପ୍ରାକ୍ଟିସେସ୍) ଆଧାରରେ ସେବା ପ୍ରଦାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି, ଫଳାଫଳ-ଭିତ୍ତିକ ଓ ଡିଜିଟାଲ ଅନୁପ୍ରୟୋଗ ବୃଦ୍ଧି ପାଇଁ ସଂସ୍କାର ସୁପାରିଶ କରିବେ। ସୁଦୃଢ଼ ଶାସନ ଫଳାଫଳ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ, ବିକେନ୍ଦ୍ରୀକରଣ ଏବଂ କ୍ଷେତ୍ର ପରିଦର୍ଶନକୁ ସୁଦୃଢ଼ କରି ଉନ୍ନତ ପରିଚାଳନା ଫଳାଫଳ ନିମନ୍ତେ ସୁପାରିଶ କରିବେ, ଭାଗିଦାରୀ ଶାସନ ପରିଚାଳନା ପାଇଁ ସୁଯୋଗର ପରୀକ୍ଷା କରିବା, ନାଗରିକମାନଙ୍କ ଠାରୁ ମତାମତ ନେବା ସହିତ ଅଭିଯୋଗ ଶୁଣାଣି ଏବଂ ତଥ୍ୟ ପରିଚାଳିତ ନିଷ୍ପତ୍ତି ନେବାରେ ପରାମର୍ଶ ଦେବେ । କମିଟି ମଧ୍ୟ ପ୍ରଶାସନରେ ପେଶାଗତ, ନୈତିକତା ଏବଂ ସୃଜନଶୀଳତାକୁ ସୁନିଶ୍ଚିତ କରିବା ପାଇଁ ନାଗରିକ ସେବା(ସିଭିଲ ସର୍ଭିସେସେ)ରେ ଦକ୍ଷତା ବୃଦ୍ଧି ଏବଂ ମାନବ ସମ୍ବଳ କ୍ଷେତ୍ରରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଦେବେ । କମିଟି ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ଏକ ବର୍ଷ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବେ । ସରକାର ଆବଶ୍ୟକ ହେଲେ ଏହି ସମୟ ସୀମାକୁ ବୃଦ୍ଧି କରିବେ । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ କମିଟିକୁ ଆବଶ୍ୟକ ସଚିବାଳୟ ସହାୟତା, ତଥ୍ୟ ସହାୟତା, ଗବେଷଣା ଇନପୁଟ୍ ଏବଂ ସରକାରଙ୍କ ଅନୁମୋଦନ ଅନୁସାରେ ଭୁବନେଶ୍ୱର କିମ୍ବା ଅନ୍ୟ କେତେକ ସ୍ଥାନକୁ ଗସ୍ତ ଏବଂ ରହଣି ଖର୍ଚ୍ଚ ଆଦି ଆନୁଷଙ୍ଗିକ ସୁବିଧା ଯୋଗାଇଦେବେ । ସୂଚନା ଯୋଗ୍ୟ ଯେ, ଏହିଭଳି ପ୍ରଶାସନିକ ସଂସ୍କାର କମିଟି କେରଳରେ ୨୦୧୬ ମସିହାରେ, କର୍ଣ୍ଣାଟକରେ ୨୦୦୧ ରେ ଏବଂ ରାଜସ୍ଥାନରେ ୨୦୧୯ରେ ଗଠନ କରାଯାଇଛି, ଯେଉଁଠାରୁ ଓଡ଼ିଶା ପାଇଁ ପରାମର୍ଶ ସୁପାରିଶ କରାଯିବାବେଳେ ଅଭିଜ୍ଞତା ଆହରଣ କରାଯାଇପାରିବ ।
