ଉଚ୍ଚଶିକ୍ଷାରେ ଏସଇବିସି ବିଦ୍ୟାର୍ଥୀଙ୍କୁ ସଂରକ୍ଷଣ

ଉଚ୍ଚଶିକ୍ଷାରେ ଏସଇବିସି ବିଦ୍ୟାର୍ଥୀଙ୍କୁ ସଂରକ୍ଷଣ ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏବିଭିପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଛାତ୍ର ସମାଜର ବୃହତ୍ ସ୍ବାର୍ଥ ରଖି କାର୍ଯ୍ୟ କରୁଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରୀ ଛାତ୍ରଙ୍କର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବଦ୍ଧ ପରିକର ଅଟେ। ଓଡ଼ିଶାର ସଂଖ୍ୟାଧିକ ଅନୁନ୍ନତ ଏବଂ ସାମାଜିକ ଭାବେ ପଛୁଆ ଉପ ବର୍ଗ(ଏସଇବିସି)ର ଛାତ୍ର ଛାତ୍ରୀ ତାଙ୍କର ଅର୍ଥନୈତିକ ଓ ସାମାଜିକ ସ୍ଥିତିର ଦୁର୍ବଳତା କାରଣରୁ ଉଚ୍ଚ ଶିକ୍ଷାରେ ପ୍ରବେଶ କରି ପାରୁ ନାହାଁନ୍ତି। ଏହା ଦ୍ବାରା ରାଜ୍ୟର ଶିକ୍ଷା ଓ ବିକାଶର ଗତି ବାଧା ହେଉଥିବାର ଅନୁଭବ ହୁଏ।

ଉଚ୍ଚତମ ନ୍ୟାୟାଳୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁସାରେ ଉକ୍ତ ବର୍ଗ ପାଇଁ ଆରକ୍ଷଣ ଦିଆଯିବାକୁ ପ୍ରସ୍ତାବ ରହିଛି। କିଛି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲ ନାଡୁ ଆଦି ଏସଇବିସି ବର୍ଗଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ଏହା ଲାଗୁ ହେଲେ ଅନୁନ୍ନତବର୍ଗ ଅନ୍ତର୍ଗତ ଅଗଣିତ ଛାତ୍ର ଛାତ୍ରୀ ସାମାଜିକ ଓ ଅର୍ଥନୈତିକ ଉନ୍ନତିର ଉଜ୍ଜଳ ଭବିଷ୍ୟତ ଗଢ଼ି ପାରିବେ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଦାବିକୁ ନେଇ ଏବିଭିପି ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏବିଭିପି, ଓଡ଼ିଶାର ପୂର୍ବ ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ବୁଦ୍ଧଦେବ ବାଘଙ୍କ ଉପସ୍ଥିତିରେ ଏବିଭିପି ଭଦ୍ରକ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଭାଗ ସଙ୍ଗଠନ ମନ୍ତ୍ରୀ ସମ୍ବିତ ପ୍ରସାଦ ରାଉତ, ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ପ୍ରାନ୍ତ ସବିସ୍କାର ସହ ସଂଯୋଜକ ଦେବୀ ପ୍ରସାଦ ଦାଶ, ପ୍ରାନ୍ତ ଏସଏଫଡି ସହ ସଂଯୋଜକ ବିଭୁ କିଶୋର ରାଉତ, ଜିଲ୍ଲା ସହ ସଂଯୋଜକ ଆକାଶ ପଣ୍ଡା, ରାଷ୍ଟ୍ରୀୟ କଳା ମଞ୍ଚ ଜିଲ୍ଲା ସହ ସଂଯୋଜିକା ରାଜଶ୍ରୀ ନାୟକ, ନଗର ସମ୍ପାଦକ ଓଁକାର ମହାନ୍ତି, ଗୋପୀ କ୍ରିଷ୍ଣା ବାରିକ, ଶୁଭମ ରାଉତ, ସାଇ ଶଙ୍କର ମହାନ୍ତି ଓ ମନୋରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *