ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ପ୍ରତିବାଦରେ ମାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ପ୍ରତିବାଦରେ ମାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ଜଗତସିଂହପୁର ୫/୯ ଜଗତସିଂହପୁର ପବିତ୍ର ଗୁରୁଦିବସ ଅବ୍ୟବହିତ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓଡିଶା ସେକେଣ୍ଡାରୀ ଏଜୁକେସନ ନିର୍ଦ୍ଦେଶ ଅନୁସାରେ ପତ୍ର ସଂଖ୍ୟା ୭୩୯୪/୪.୯.୨୦୨୫ରେ ପୁନଙ୍ଗ ସ୍ଥିତ ନରେନ୍ଦ୍ରନାଥ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସନାତନ ଖୁଣ୍ଟିଆଙ୍କୁ ନିଲମ୍ବିତ କରିଛନ୍ତି। ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜିଲ୍ଲାପାଳଙ୍କୁ ଭେଟି ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ ୨୬.୧.୨୦୨୫ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ନରେନ୍ଦ୍ରନାଥ ସରକାରୀ ହାଇସ୍କୁଲରେ ପିଲାମାନେ ଆଧୁନିକ ଗୀତ ଲଗାଇ ନାଚିବା ପ୍ରସଙ୍ଗକୁ ନେଇ ପ୍ରଧାନ ଶିକ୍ଷକଙ୍କୁ ୭ ମାସ ପରେ ନିଲମ୍ବନ କରାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୬.୧.୨୦୨୫ର ଘଟଣା ସମ୍ପର୍କରେ ୧ ମାର୍ଚ୍ଚ ୨୦୨୫ରେ ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ଖବର ପ୍ରକାଶନ ପରେ ସେହିଦିନ ଜିଲ୍ଲା ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟକୁ ଘଟଣାର ଅନୁସନ୍ଧାନ ପାଇଁ ଯାଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପତ୍ର ସଂଖ୍ୟା ୨୧୧୧/୧.୩.୨୦୨୫ରେ ସେକେଣ୍ଡାରୀ ଏଜୁକେସନଙ୍କ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ଯେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଉ। ସେ ଏକଥା ଉଲ୍ଲେଖ କରିଥିଲେ ଯେ ସାଧାରଣତନ୍ତ୍ର ଦିବସ ପାଳନ ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରଖିଥିଲେ ଓ ଏକ ଆଧୁନିକ ଗୀତରେ ନାଚିଥିଲେ। ଏଠାରେ ଉପସ୍ଥିତ ଥିବା ପ୍ରଧାନ ଶିକ୍ଷକ ମାଇକ ଅପରେଟରଙ୍କୁ ଗୀତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଏଥିରୁ ନିବୃତ୍ତ କରିଥିଲେ। ମାତ୍ର ଦୁର୍ଭାଗ୍ୟର ପ୍ରସଙ୍ଗ ଯେ ସମସ୍ତ ପ୍ରସଙ୍ଗ ଜାଣିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ନକରି ଦାଇତ୍ୱହୀନ ଭାବେ ନିଲମ୍ବନ କରିବା ନିମନ୍ତେ ନିର୍ଦ୍ଦେଶର, ସେକେଣ୍ଡାରୀ ଏଜୁକେସନକୁ ୧.୩.୨୦୨୫ରେ ପତ୍ର ଲେଖିଥିଲେ। ନିର୍ଦ୍ଦେଶକ ସେକେଣ୍ଡାରୀ ଏଜୁକେସନ ପତ୍ର ସଂଖ୍ୟା ୨୩୦୬୪ ତା ୨.୯ ୨୦୨୫ରେ ରୂଲ ୧୨(୧) ଅନୁସାରେ ପ୍ରଧାନ ଶିକ୍ଷକ ସନାତନ ଖୁଣ୍ଟିଆଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସାଧାରଣତନ୍ତ୍ର ଦିବସର ଘଟଣାକୁ ନେଇ ୭ ମାସ ତଳେ ନରେନ୍ଦ୍ରନାଥ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦାଇତ୍ୱହୀନ ଭାବେ ନିଲମ୍ବନ କରାଯିବା ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆଜି ଜିଲ୍ଲାପାଳଙ୍କୁ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *