ରମ୍ଭା ସହରରେ ବୃଦ୍ଧି ପାଉଛି ରୋମିଓ ଗ୍ୟାଙ୍ଗ
ରମ୍ଭା ସହରରେ ବୃଦ୍ଧି ପାଉଛି ରୋମିଓ ଗ୍ୟାଙ୍ଗ, ଟାର୍ଗେଟରେ ନାବାଳିକା ଛାତ୍ରୀ
ରମ୍ଭା, ତା ୭/୪/୨୬; ରମ୍ଭା ସହରରେ ରୋମିଓ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଥିବା ବେଳେ, ସହରର ବିଭିନ୍ନ ଛକ ଏବଂ ଆଖପାଖ ଗାଁ ରାସ୍ତା ଛକରେ ରୋମିଓଙ୍କ ପ୍ରାଦୁର୍ଭାବ ବଢିଛି । ବିଶେଷକରି ରୋଡ୍ ରୋମିଙ୍କ ଟାର୍ଗେଟରେ ନାବାଳିକା ରହିଛନ୍ତି । ଟୁ୍ୟସନ ସ୍କୁଲ ଛାତ୍ରୀ , କଲେଜ ଛାତ୍ରୀଙ୍କ ଯିବାଆସିବା ବେଳେ ଏସବୁ ହେଉଥିବା ବେଳେ ଅଭିଭାବକଙ୍କ ଚିନ୍ତାର କାରଣ ହୋଇଛି । ଏହି ରୋଡ୍ ରୋମିଓମାନେ ସକାଳେ ,ସନ୍ଧ୍ୟା ସମୟରେ ଓ ସ୍କୁଲ ଓ ଟିୟସନକୁ ଯିବାଆସିବା ବେଳେ ସହରର କିଛି ସ୍ଥାନରେ ଆଡା ଜମାଇ ଛାତ୍ରୀଙ୍କୁ କମେଣ୍ଟ କରୁଛନ୍ତି । ଏ ନେଇ କୌଣସି ଭଦ୍ରବ୍ୟକ୍ତି କିମ୍ବା ଅଭିଭାବକ କୋଚିଙ୍ଗ୍ ସେଣ୍ଟର ସମ୍ମୁଖରେ ଟହଲ ମାରୁଥିବା ରୋମିଓଙ୍କୁ ଆକଟ କଲେ ରୋମିଓ ଗ୍ୟାଙ୍ଗର ଅନ୍ୟମାନେ ଆକ୍ରମଣାତ୍ମକ ଢଙ୍ଗରେ ନାଲି ଆଖି ଦେଖାଉଛନ୍ତି । ଏଥି ସହ ଦାମୀ ବାଇକ୍ ଖଣ୍ଡିଏ ଲେଖାଏଁ ଧରି ହାଇ ଷ୍ଟାଟସ ମେଣ୍ଟେଇନ କରି ଛାତ୍ରୀଙ୍କ ପିଛା କରିବା ସାଙ୍ଗକୁ ଦ୍ରୁତ ଗତିରେ ବୁଲେଇ ବଙ୍କେଇ ଓଭର୍ ଟେକ୍ ଗାଡ଼ି ଚାଳନା କରି ରୋମିଓଗିରି ଦେଖାଉଛନ୍ତି । ତେବେ ଲୋକଲଜ୍ଜା ଭୟରେ ଛାତ୍ରୀମାନେ ଏହି କଥା ନିଜ ନିଜର ପରିବାରବର୍ଗଙ୍କୁ କହୁଥିଲେ ହେଁ, ପୋଲିସରେ ଅଭିଯୋଗ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ପୂର୍ବରୁ ପୋଲିସ ଏହି ରୋଡ୍ ରୋମିଓମାନଙ୍କ ଦୌରାତ୍ମ୍ୟ ପ୍ରତି ଲଗାମ ଲଗାଇ ପ୍ରଶଂସା ପାଇଥିବା ବେଳେ, ଏବେ ପ୍ରାୟ କିଛି ମାସ ହେଲା ପୋଲିସର ଢିଲା ପଣ ଯୋଗୁଁ ପୁଣି ସେମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି l ଯାହାଫଳରେ ସହରବାସୀ ଅତିଷ୍ଠ ହୋଇ ସାରିଲେଣି ।ଏହି ରୋମିଓ ଗ୍ୟାଙ୍ଗ କୁଆଡେ କିଛି ସ୍ଥାନୀୟ କୁଜିନେତାଙ୍କ ଛତ୍ରଛାୟାରେ ରହି ଏଭଳି ଦୌରାତ୍ମ୍ୟ ଦେଖାଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।ରୋମିଓଙ୍କ ଗାଡ଼ି ଆସିଲେ ସମସ୍ତ ଗାଡ଼ି ଚାଳକ ଭୟରେ ଗାଡ଼ି ସାଇଡ଼ କରି ଦେଉଥିବା ଦେଖିବାକୁ ମିଳୁଛି । ମଦ୍ୟପ ଓ ଗଞ୍ଜେଇ ଖାଇ ମାରଣାତ୍ମକ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଛନ୍ତି । ସହରର ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି ଲାଗିଥିଲେ ମଧ୍ୟ ପୋଲିସ ରୋମିଙ୍କ ଉପରେ ନଜର ରଖୁନଥିବା ଜଣାପଡିଛି । କୁହାଯାଉଛି ସିସିଟିଭିଗୁଡ଼ିକ ଖରାପ ହୋଇ ଅଚଳ ହୋଇଯାଇଛି ବୋଲି ଜଣାପଡିଛି ।ସେଥିପାଇଁ ପୋଲିସ ଏଦିଗରେ ବିଫଳ ହେଉଛି ।ଏଣୁ ଏହି ରୋମିଓଙ୍କୁ ସାବାଡ କରିବା ପାଇଁ ପୋଲିସ କଡା ପଦକ୍ଷେପ ଗ୍ରହଣ କରିବା ନେଇ ସାଧାରଣରେ ଦାବି ହେଉଛି ।
