ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଲଟିଛି ମରଣଯନ୍ତା

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅଧୀନରେ ଥିବା ବରାଡ଼ି ଠାରୁ ଭାୟା ଅମୃତୁଲୁ ଦେଇ ଲୋକାମାରି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଲୋକଙ୍କ ପାଇଁ ପାଲଟିଛି ମରଣ ଯନ୍ତା।ରାସ୍ତା ସାରା ବଡ଼ ବଡ଼ ଖାଲ ଖମାରେ ଭର୍ତି ହୋଇ ରହିଛି। ଅଳ୍ପ ଟିକିଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି।ଏହି ରାସ୍ତା ଦେଇ ପାଞ୍ଚଟି ପଂଚାୟତର ୭୦ ଖଣ୍ଡରୁ ଉର୍ଦ୍ଧ ଗାଁ ର ଲୋକେ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ମେଡିକାଲ,ବଜାର, କଲେଜ ଓ ବିଭିନ୍ନ ବ୍ୟାଙ୍କ ସୁବିଧା ପାଇବା ପାଇଁ ସୋରଡ଼ା ସହରକୁ ଆସିଥାନ୍ତି। କିନ୍ତୁ ରାସ୍ତାର ଅବସ୍ଥା ଅତି ଦୟନୀୟ ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି।ଗ୍ରାମାଞ୍ଚଳର ଉର୍ନତି ଓ ଗମନାଗମନ ର ସୁବିଧା କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହି ଯୋଜନା ମାଧ୍ୟମରେ ଆସୁଥିବା ଟଙ୍କାକୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଆତ୍ମାସାତ କରାଯାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରି ୨୦୨୧ – ୨୦୨୨ ଆର୍ଥିକ ବର୍ଷରେ ସରକାର ୫ କୋଟି ୧୮ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟବରାଦ କରିଥିଲେ।ସେପ୍ଟେମ୍ବର ୨୦୨୨ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଡେଡ ଲାଇନ ରଖିଥିଲେ। ସମ୍ପୃକ୍ତ ଠିକା ସଂସ୍ଥା ବହୁ ବିଳମ୍ବରେ କାର୍ଯ୍ୟ ସାରିଥିଲା।କେଶରୀ ପାଟଣା, ବାଘଲିଙ୍ଗି ଭଳି ବହୁ ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି ।ଅତି ନିମ୍ନ ମାନର କଂକ୍ରିଟ ରାସ୍ତା ତିଆରି କରାଯଇଥିବା ଯୋଗୁଁ ନିର୍ମାଣର ମାସକ ପରେ ରାସ୍ତା ଉପରୁ ସିମେଣ୍ଟ ଓ ଗୁଡ଼ି ବାହାରି ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି।ଫଳରେ ଯାନବାହାନ ଚଳାଚଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ ।

ସ୍ଥାନୀୟ ବାସିନ୍ଦା ବଳଦେବ ପାଣିଗ୍ରାହୀ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀଙ୍କୁ ସାକ୍ଷାତ କରି ରାସ୍ତାର ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଆଜିଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିବା ସହ ତୁରନ୍ତ ରାସ୍ତାକୁ ମରାମତି କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।ପାଞ୍ଚ ବର୍ଷ ଯାଏଁ ରାସ୍ତା ମରାମତି ଓ ରାକ୍ଷଣାବେକ୍ଷଣ ପାଇଁ ୨୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ରହିଥିଲେ ମଧ୍ୟ କାମ କରୁନି ଠିକା ସଂସ୍ଥା। ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ଲୋକେ।ଘଟଣା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଏହି ରାସ୍ତାର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯାଇଥିବା କହି ନିଜ ମୁଣ୍ଡରୁ ଦୋଷ ଓଲ୍ହାଇ ଦେଇଛି।ବର୍ତମାନ ସୁଦ୍ଧା ସମ୍ପୃକ୍ତ ରାସ୍ତାକୁ ହସ୍ତାନ୍ତର କରାଯାଇନଥିବା କହିଛନ୍ତି ବିଭାଗର ଅଧିକ୍ଷଣ ଯନ୍ତ୍ରୀ।ହେଲେ ଏବେ ପ୍ରଶ୍ନ ଉଠୁଛି ରାସ୍ତାଟିର ମରାମତି କେଉଁ ବିଭାଗ କରିବ ଆଉ କେବେ କରିବ,କେତେ ଦିନ ଯାଏଁ ଦୁର୍ଘଟଣାର ଶିକାର ହେବେ ଯାତାୟତ କରୁଥିବା ଲୋକେ ?

Leave a Reply

Your email address will not be published. Required fields are marked *