ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପରେ ସେଚାଞ୍ଚଳ ଉନ୍ନୟନ ଏବଂ ଜଳ ପରିଚାଳନା କାର୍ଯ୍ୟ

ଭୁବନେଶ୍ୱର, ତା- ୦୬.୧୦.୨୦୨୫ ଚାଷ ପାଇଁ ଜଳ ନିତାନ୍ତ ଆବଶ୍ୟକ । କ୍ଷେତକୁ ଚାଷ ପାଇଁ ଆବଶ୍ୟକ ସମୟରେ ପାଣି ମିଳିଲେ ଚାଷୀ ମନରେ ଆତ୍ମ ସନ୍ତୋଷ ଭରିଉଠେ । ତା’ର ଜମିରେ ସୁନାର ଫସଲ ଫଳାଇବାକୁ କାହିଁ କେତେ ଆଶା ସଂଚରି ଯାଏ । ବର୍ଷକୁ ଯଦି ସେ ଚାଷ ପାଇଁ ଦରକାର ମୁତାବକ ପାଣି ପାଇପାରେ ଏବଂ ୨-୩ ଥର ବିଭିନ୍ନ ଫସଲ କରିବାର ସୁଯୋଗ ପାଏ, ତେବେ ନିଜର ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଚାଷୀର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାରେ ତାହା ସହାୟକ ହୋଇଥାଏ । ଚାଷୀମାନଙ୍କୁ ଜଳସେଚନ ସୁବିଧା ଯୋଗାଇଦେଇ ସେମାନଙ୍କ ମୁହରେ ହସ ଫୁଟାଇବାର ନିରନ୍ତର ପ୍ରୟାସ କରି ଚାଲିଛନ୍ତି ଓଡ଼ିଶା ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ । ସେ ବୃହତ୍ , ମଧ୍ୟମ, କ୍ଷୁଦ୍ର ଜଳସେଚନ କିମ୍ବା ଉଠା ଜଳସେଚନ ବ୍ୟବସ୍ଥା ହେଉ ବା ବିଭାଗର ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ହେଉ, ସବୁ ଚାଷ ଯୋଗ୍ୟ ଜମିକୁ ଜଳ ସେଚନ ସୁବିଧା ଯୋଗାଇଦେଇ କୃଷି ଉତ୍ପାଦନ ବୃଦ୍ଧି କରିବା, ଜଳ ସଂପଦର ସୁପରିଚାଳନା କରି କୃଷକମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାରେ , ବିଭାଗ ନିଜେ ପ୍ରୟାସ କରିବା ସହ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଆପଣେଇବା ଲକ୍ଷ୍ୟରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ ଆଦି ବିଭାଗ ସହ ସମନ୍ୱିତ ପ୍ରକଳ୍ପ କାର୍ଯ୍ୟକାରୀ କରି ଆସୁଛନ୍ତି । ତନ୍ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ (ଆରଆଇଡିଏଫ୍‌ ) ଅନ୍ୟତମ । ଏହି ପ୍ରକଳ୍ପ ଅଧିନରେ ରାଜ୍ୟର ବିଭିନ୍ନ ଅଂଚଳରେ ସେଚାଞ୍ଚଳ ଉନ୍ନୟନ ଏବଂ ଜଳ ପରିଚାଳନା କାର୍ଯ୍ୟ କରାଯାଉଥିବା ବେଳେ ୨୦୨୪-୨୫ ରେ ସେଚାଂଚଳ (କମାଣ୍ଡ ଏରିଆ) ଡିଭିଜନ-୭ରେ କୃଷକମାନଙ୍କ ଜମି ପର୍ଯ୍ୟନ୍ତ କ୍ଷେତ୍ରନାଳୀ ପ୍ରସ୍ତୁତି ଫଳରେ ମାଲକାନଗିରି ଜିଲ୍ଲାର ମାଲକାନଗିରି ବ୍ଲକ ଅନ୍ତର୍ଗତ ବାମ ତଟ କେନାଲ ୨-ଆର-ଆଉଟଲେଟ୍ ରେ ତଟିଗୁଡା ଗ୍ରାମ ଅଂଚଳରେ ୩୩ ହଜାର ୯୬୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି କରାଯିବା, ସଫଳତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଏହି ପ୍ରକଳ୍ପ ଅନ୍ତର୍ଗତ ତଟିଗୁଡା ଗାଁରେ ୬୦୦ ମିଟର ସୁଦୃଢ ସିମେଣ୍ଟ କଂକ୍ରିଟ୍ (ଆର୍‌.ସି.ସି) ଲାଇନିଂ ବିଶିଷ୍ଟ କ୍ଷେତ୍ର ପ୍ରଣାଳୀ ସହ ୧୫ ଟି ହାଇଡ୍ରୋଲିକ୍‌ ସଂରଚନା ନିର୍ମାଣ କାର୍ଯ୍ୟ କରାଯାଇଛି । ଏହାର କାର୍ଯ୍ୟକାରିତାରେ “ନୀଳଗଗନ ପାଣି ପଞ୍ଚାୟତ” ଉଲ୍ଲେଖନୀୟ ଯୋଗଦାନକୁ ଜଳ ସଂପଦ ବିଭାଗ ତରଫରୁ ପ୍ରଶଂସା କରାଯାଇଛି । ଏଠାରେ ଫସଲ ବିବିଧିକରଣ କୃଷକମାନଙ୍କର ଆୟ ବୃଦ୍ଧିରେ ସହାୟକ ହୋଇଛି । ପୂର୍ବରୁ ଏହି ଅଂଚଳର କୃଷକମାନେ କେବଳ ଖରିଫ ଋତୁରେ ଧାନ ଫସଲ କରିପାରୁଥିଲେ ଏବଂ ପାଣିର ଅଭାବ ତଥା ଏହାର ଠିକ୍ ଭାବେ ବଣ୍ଟନ ହୋଇପାରୁନଥିବା ଯୋଗୁଁ ୨ୟ ଫସଲ ସମ୍ଭବ ହୋଇପାରୁନଥିଲା । କିନ୍ତୁ ଏହି କ୍ଷେତ୍ର ପ୍ରଣାଳୀ ନିର୍ମାଣ ହେବା ଯୋଗୁଁ କୃଷକମାନେ ନିଜ ନିଜ ଜମିରେ ଚିନା ବାଦାମ, ପନିପରିବା, ତରଭୁଜ, ଇତ୍ୟାଦି ସମେତ ଉଭୟ ଖରିଫ ଓ ରବି ସହିତ ଅନ୍ୟ ମୌସୁମୀୟ ମାସରେ ମଧ୍ୟ ଚାଷ କରିବା ସହଜ ହୋଇଛି । କଂକ୍ରିଟ କେନାଲ ଯୋଗୁଁ ଜଳ ପ୍ରବାହଜନିତ କ୍ଷତି ହ୍ରାସ ଫଳରେ କେନାଲ ବ୍ୟବସ୍ଥାରେ ଥିବା ଶେଷ ମୁଣ୍ଡକୁ ଜଳ ଉପଲବ୍ଧ ହୋଇପାରିଛି । ଜଳର ସୁପରିଚାଳନା ଓ ଉପଯୋଗିତାର ସୁ ଅଭ୍ୟାସ ଦ୍ୱାରା ପଡିଆ ଜମିକୁ ଠିକ୍ ଭାବେ ବ୍ୟବହାର କରି କୃଷକମାନଙ୍କ ଅତିରିକ୍ତ ଆୟ ସମ୍ଭାବନା ଉଜ୍ୱଳ ହୋଇପାରିଛି । ସେ ଅଂଚଳରେ ଏହା ଦ୍ୱାରା ୧୮ରୁ ଅଧିକ ପରିବାର ସିଧାସଳଖ ଉପକୃତ ହୋଇପାରିବା ସଙ୍ଗେ ସଙ୍ଗେ ପରୋକ୍ଷ ଭାବେ ଅଧିକ କୃଷକ ଉପକୃତ ହେଉଛନ୍ତି । ଏ ସଂପର୍କରେ ସ୍ଥାନୀୟ ତଟିଗୁଡା ଗ୍ରାମର ବାସିନ୍ଦା ଚିତ୍ତ ବିଶ୍ୱାସ କୁହନ୍ତି ଆମର ଏଠାରେ ଜଳସେଚନ ସୁବିଧା ନଥିବାରୁ ଚାଷକାମ ହୋଇ ପାରୁନଥିଲା । ଏବେ କରନାଳୀ ହେବା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୭୧ ହେକ୍ଟର ଜମିରେ ୭୨ ଜଣ ଚାଷୀ ଚାଷ କରିପାରୁଛନ୍ତି । ଏଠାରେ ପନିପରିବା, ମକା, ବାଦାମ ଆଦି ଚାଷକରି ଲାଭବାନ ହେବାର ଆଶା ରଖିଛନ୍ତି । ସେ ନିଜେ ମଧ୍ୟ ଏଠି ୩ ଏକର ଜମିରେ ଧାନ ଚାଷ ପରିବର୍ତ୍ତେ ମକା ଚାଷ କରିଛନ୍ତି । କଳନାଳୀ ଦ୍ୱାରା ଧାନ ଚାଷ ଅପେକ୍ଷା ମକା ଚାଷ ଦ୍ୱାରା ଅଧିକ ଲାଭବାନ ହେବେ ବୋଲି ଶ୍ରୀ ବିଶ୍ୱାସ ଆଶା ପୋଷଣ କରିଛନ୍ତି । ଜଳସଂପଦ ବିଭାଗରେ ସେଚାଞ୍ଚଳ ଉନ୍ନୟନ ଯୋଜନାରେ ଏହିଭଳି ବହୁ ସଂଖ୍ୟକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଆଗାମୀ ଦିନରେ ସବୁ ଅଣ-ଜଳସେଚିତ ଜମିକୁ ସୁବିଧାରେ ଜଳ ଯୋଗାଇବା ପାଇଁ ଜଳ ସଂପଦ ବିଭାଗର ଏଭଳି ପଦକ୍ଷେପ, ଚାଷୀମାନଙ୍କ ପାଇଁ ଦୃଢ଼ ଆଶା ସଂଚାର ହୋଇଛି ।

Leave a Reply

Your email address will not be published. Required fields are marked *