୫୦୦ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କଲା ରୁଷିଆ

କିଭ୍‌,୨୦।୫ : ରୁଷିଆ ୫୦୦ ଆମେରିକୀୟ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଠାରୁ ଟେଲିଭିଜନ ଜଗତ ପର୍ଯ୍ୟନ୍ତ ଅନେକ ବଡ ବ୍ୟକ୍ତିତ୍ୱଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ବାଇଡେନ ପ୍ରଶାସନ ଦ୍ୱାରା ରୁଷିଆ ଉପରେ ଲଗାଯାଇଥିବା ବାରମ୍ବାର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପୁଟିନ ସରକାର ମଧ୍ୟ ଏସବୁ ଆମେରିକୀୟଙ୍କ ପାଇଁ ନିଜ ଦେଶର କବାଟ ବନ୍ଦ କରୁଛନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି,ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା କ୍ରମାଗତ ଭାବରେ ରୁଷିଆର କମ୍ପାନୀ ଏବଂ ଲୋକଙ୍କୁ ଏହାର କଳା ତାଲିକାରେ ଅନ୍ତର୍ଭୁକ୍ତ କରୁଛି, ଯାହା ଦ୍ୱାରା ରୁଷିଆର ଅର୍ଥନୀତି କ୍ଷତିଗ୍ରସ୍ତ ହେବାରେ ଲାଗିଛି॥ ଆମେରିକା ରୁଷିଆ ସହିତ ଜଡିତ ୧୦୦ରୁ ଅଧିକ ଅନୁଷ୍ଠାନ ଏବଂ ଲୋକଙ୍କ ଉପରେ ପ୍ରତିବନ୍ଧକ ଜାରି କରିଥିଲା।

ଆମେରିକାର ଏହି ପଦକ୍ଷେପ ନେଇ ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ୱାଶିଂଟନ ଜାଣିବା ଉଚିତ ଏହାର ପ୍ରତିକ୍ରିୟା ଏବେ ଦିଆଯିବ। ନିଷିଦ୍ଧ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଟିଭି ହୋଷ୍ଟ ଷ୍ଟିଫେନ କଲବର୍ଟ, ଜିମି କିମେଲ ଏବଂ ସେଥ ମାୟର୍ସ ଅଛନ୍ତି। ସିଏନଏନ ଆଙ୍କର୍‌ ଏରିନ ବର୍ନେଟ ଏବଂ ଏମଏସଏନବିସି ଉପସ୍ଥାପିକା ଜୋ ସ୍କାରବୋ ମଧ୍ୟ ଏହି ତାଲିକାରେ ଅଛନ୍ତି।

ରୁଷିଆ କହିଛି ଏହା ଆମେରିକାର ଆଇନଜୀବୀ ତଥା ଥିଙ୍କ ଟ୍ୟାଙ୍କର ଲୋକଙ୍କୁ ମଧ୍ୟ ତାଲିକାଭୁକ୍ତ କରିଛି ଯେଉଁମାନେ ରୁଷିଆ ବିରୋଧରେ ଭୁଲ ତଥ୍ୟ ବିସ୍ତାର କରୁଛନ୍ତି। ଏହା ବ୍ୟତୀତ ୟୁକ୍ରେନକୁ ଅସ୍ତ୍ର ଯୋଗାଉଥିବା କମ୍ପାନୀର ପ୍ରମୁଖ ଅଧିକାରୀଙ୍କୁ ମଧ୍ୟ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *