ଦୁଃଖ ଓ ସୁଖ
ଦୁଃଖ ଓ ସୁଖ
🖋️କବିରତ୍ନ ନୂତନ କୁମାର ବେହେରା
ଦୁଃଖ ସବୁ ଜୋକମାନଙ୍କ ପରି
ଦେହରୁ ରକ୍ତ ଶୋଷି ନିଅନ୍ତି
ଆଖିରୁ ଲୁହ ଝରାନ୍ତି
ମନକୁ ପୁରା ଦୁର୍ବଳ କରି ଦିଅନ୍ତି
ଆଉ
ସୁଖମାନେ
ଉଡ଼ନ୍ତା ପ୍ରଜାପତି
ଆଖିର ଦୃଷ୍ଟିଶକ୍ତି ଟାଣି ନିଅନ୍ତି
ସାମ୍ନାରେ ନାଚନ୍ତି
ଆଶାର ଫୁଲରେ ଖେଳନ୍ତି
ଦେହରେ ଶିହରଣ ସୃଷ୍ଟି ହୁଏ
ମନ ଉଲ୍ଲସି ଉଠେ
ଦେଖୁ ଦେଖୁ
ହଜି ଯା’ନ୍ତି କାମନାର ଭିଡ଼ ଭିତରେ
ଦୁଃଖକୁ ଭାଗ କରି ନେବାକୁ
କେହି ହାତ ପାତେ ନା
ସୁଖ କାହାକୁ ମାଗଣାରେ ମିଳେ ନାହିଁ
ଦୁଃଖ ଆସେ
ନିଚ୍ଛାଟିଆ ମଧ୍ୟାହ୍ନରେ
ନିଆଁ ହୁଳା ପରି ଚେଙ୍କ ଦିଏ
ଅନ୍ତର କାନ୍ଦେ
ତାର ରୂପ ଫଟା ଆଇନାର
ପ୍ରତିବିମ୍ବ ପରି
ଭୟଙ୍କର ବିଭତ୍ସ ଦିଶେ
ସୁଖ ତ
ବେକରେ ଲମ୍ବାଇଥିବା ଫୁଲହାର ସମାଜ
ମଉଳି ଯାଏ କେହି ମୁହୂର୍ତ୍ତରେ
ଦୁଃଖ ଓ ସୁଖ
ଉଠାପକା ଭାରଦଣ୍ଡରେ ଖେଳୁଥିବା
ଦୁଇ ପାଖର ଦୁଇ ପ୍ରତିଦ୍ଵନ୍ଦୀ
ସନ୍ତୁଳିତ ଜୀବନର ଏକ ଏକ ଅବସ୍ଥା
ଦୁଃଖ ହୁଏ ଯଦି ଛାତିର କୋହ
ସୁଖ ମାୟାର ଏକ ମୋହ…. !
କୋହି,ବାରିପଦା,ମୟୂରଭଞ୍ଜ।
