ସଖୀ ଆସ ଥରେ
ସଖୀ ଆସ ଥରେ
ଡ. ପ୍ରେମାନନ୍ଦ ବେହେରା
ସଖୀ ଆସ ଥରେ,
ଏଇ ଶୂନ୍ୟ ସନ୍ଧ୍ୟାରେ
ମୋ ପାଖରେ ବସ
ଝରିପଡୁଥିବା ସୂର୍ଯ୍ୟର
ଲାଳିମା ଭିତରେ
ମୋ ଅକୁହା କଥା
ଶୁଣି ଯାଅ ମାତ୍ର ଥରେ ।।
ଦେଖ ନା….
ଆଜି ଆକାଶ କିପରି ନିରବ
ପକ୍ଷୀମାନେ ଫେରିଗଲେଣି
ନିଜ ନିଜ ନୀଡକୁ
କିନ୍ତୁ ମୋ ମନଟା
ଅଭିମାନୀ ଚଡେଇ ଭଳି
ତୁମ ଦ୍ୱାର ପାଖରେ…..
ଘୁରି ଘୁରି ଥକିଯାଏ ।।
ସଖୀ ଆସ ଥରେ
ଏଇ ଜୀବନ ଗୀତରେ
ହେବ ମୋ ସୁର
ମୋ ଅନୁଭବର
ପ୍ରେମପୂର୍ଣ୍ଣ ଅକ୍ଷରଗୁଡିକୁ
ତୁମ ହସରେ ଦେବ ନୂଆ ଅର୍ଥ ।।
ତୁମ ଆଖିର…..
ଗଭୀର ନୀଳ ସାଗରେ
ମୋ ସ୍ୱପ୍ନର ନୌକା
ଭାସିବାକୁ ଚାହେଁ
ତୁମ ହସର ମୁକୁତା ଝରିଲେ
ମୋ ଦୁଃଖର ମେଘ
ଅପସରି ଯାଏ ନିରବେ ।।
ସଖୀ……
ତୁମେ ହସିଲେ
ଫୁଲମାନେ ମଧ୍ୟ ହସିଉଠନ୍ତି
କୋଇଲି କୁହୁ କୁହୁ ଗୀତ ଗାଏ
ଚାନ୍ଦ ମଧ୍ୟ ଲଜ୍ଜା ପାଏ
ତୁମ ମୁହଁର ଚମକ ଦେଖି ।।
ତୁମୋ ଆସିଲ ବୋଲି….
ମୋ ମନର ଶୁଖିଲା ମାଟିରେ
ପ୍ରେମର ପ୍ରଥମ ବର୍ଷା ପଡ଼ି
ଜୀବନର ପୃଷ୍ଠାରେ
ନୂଆ ସୁନ୍ଦର ଅଭୁଲା
କାହାଣୀ ଲେଖା ହୋଇଛି ।।
ସଖୀ ଆସ ଥରେ
ମୋ ହାତ ଧରି
ଚାଲିବ ଦୂର ପଥ
ଯେଉଁଠି ସ୍ମୃତି ହେବ ଫୁଲବନ
ଏବଂ ଭରସା ହେବ
ଆମ ପଥ ପ୍ରଦର୍ଶକ ।।
ଏଇ ହୃଦୟ ମନ୍ଦିରରେ
ତୁମ ପାଇଁ ଜଳୁଛି
ଅନନ୍ତ ଦୀପ
ତୁମ ନାମଟି
ମୋ ଶ୍ୱାସରେ ଲେଖା
ଯେପରି ମନ୍ତ୍ର ଗୁପ୍ତ ଅଭିଲେଖ ।।
ସଖୀ ଆସ ଥରେ…
ମୋ ଅଭିମାନ ଭାଙ୍ଗିଦେଇ
ମୋ ନିରବତାକୁ ଦୂରେଇ
କଥା ଦିଅ….
ଏଇ ଜୀବନର
ସୁନ୍ଦର ଯାତ୍ରାରେ
ହେବ ମୋ ସାଥୀ ସଦା ।।।
ପଦ୍ମପୁର, ବରଗଡ଼
