ବାଲି ଗରଡ଼ା
ବାଲି ଗରଡ଼ା
🖋️କବିରତ୍ନ ନୂତନ କୁମାର ବେହେରା
ଜାଣେନା କେଉଁ ବିରାଟ ପଥରର
ଅଂଶ ବିଶେଷ ହୋଇ ମୁଁ
ସମୟର ସ୍ରୋତରେ ଗଡ଼ି ଗଡ଼ି
ପାଲଟିଛି ଏକ ବାଲି ଗରଡ଼ା
ପାଇ ନାହିଁ କିବା ଦେଇ ନାହିଁ କେହି
ମୋତେ ମୋର ପରିଚୟ
ଦିଗନ୍ତ ବିସ୍ତାରି ବାଲୁକା ଶଯ୍ୟାର
ହୋଇଛି ମୁଁ ଶରଣାର୍ଥୀ
ଏହା ବି ଜାଣେନା ମୋ ପାଇଁ ଅଜଣା
କେବେ ଯଦି କୂଳ ଲଙ୍ଘିଯାଏ ନଦୀ ସୁଅ
ମୁଁ ପୋତି ହୋଇ ଯିବି କେଉଁଠି
ଅବା ଉପରେ ପଡ଼ି ହେଉଥିବି ଉତ୍ତପ୍ତ
ଘାତ ପ୍ରତିଘାତ ସହି ସହି
ସ୍ନିଗ୍ଧ ମନୋହର ଲାଗେ କା’ ଆଖିକୁ
ମୋ ଅନ୍ତର ପିଡ଼ା କହି ପାରେନା
ସାଉଁଟି ନେଇ ସଜାଏ କିଏ
ମୁଁ କେବେ ଶାମୁକା ଗର୍ଭର ମୋତି ହୁଏନା
ସୂର୍ଯ୍ୟ ତାପରେ ତାତି ଯାଏଁ
ଜହ୍ନର ଜ୍ୟୋତ୍ସ୍ନାରେ ଭିଜେ ରାତି ରାତି
ମୋ ଆଖି ସ୍ବପ୍ନ ଦେଖି ପାରେନା
ବାଲି ଗରଡ଼ାର କି ଜୀବନ
ଆନନ୍ଦ ଉଲ୍ଲାସରେ ନାଚିବି ଯାଇ
କେଉଁ ସମ୍ଵର୍ଦ୍ଧନାର ଶୋଭାଯାତ୍ରାରେ
ମୁଁ ଉପରକୁ ଯେତେ ଚିକ୍କଣ ହେଲେ ବି
ଭିତର ତ ଅଦ୍ରବଣୀୟ ବାଲି ଅଣୁ
ଟିକିଏ ଯଦି ଜହ୍ନ କି ସୂର୍ଯ୍ୟର କିରଣ
ସାଇତି ପାରନ୍ତି ମୋ ହୃଦୟରେ
ହୋଇ ଯାଆନ୍ତି ଏକ ମୂଲ୍ୟବାନ ମଣି
ମୋର ଏତେ ବଡ଼ ଭାଗ୍ୟ କାହିଁ
ମୁଁ ଯେ ଏକ ନଗଣ୍ୟ ବାଲି ଗରଡ଼ା
ପାର୍ଥିବ ଜଗତେ ରହିଥିବାରୁ
କାମନା କିଛି ଅବଶ୍ୟ ରହିଛି ମୋର
ନିଜ ସ୍ଵାର୍ଥ ପାଇଁ ନୁହେଁ ସମୂହଙ୍କ ପାଇଁ
ମିଶିଥାନ୍ତି ଯଦି କେଉଁ ନିର୍ମାଣରେ
ହୁଅନ୍ତି ପାନ୍ଥଶାଳା ଅବା ମନ୍ଦିରର ଚଟାଣ
ଆଉ ବିକ୍ଷିପ୍ତ ହୁଅନ୍ତି ନାହିଁ କେବେ
ସହସ୍ର ପାଦକୁ ସେବା ଦେଇ
ଧନ୍ୟ ହୁଅନ୍ତି ମୁଁ ପ୍ରଣାମ କରି ତାଙ୍କୁ
ବିରାଟ ପଥରର ଅଂଶ ହୋଇ
ପୁନଶ୍ଚ ହୋଇଯାନ୍ତି ଦୃଢ଼ ଚଟାଣର ଅଙ୍ଗ
ଗଡ଼ୁ ନଥା’ନ୍ତି ଆଉ ବାଲି ଗରଡ଼ା ରୂପରେ
ଆଶା ମୋର ହୋଇଥାନ୍ତା ପୂର୍ଣ୍ଣ…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
