କୋଣାର୍କରେ ସ୍ନାନ ପୂର୍ଣ୍ଣିମା ଓ ଅଣସର ବିଜେ
କୋଣାର୍କରେ ସ୍ନାନ ପୂର୍ଣ୍ଣିମା ଓ ଅଣସର ବିଜେ
କୋଣାର୍କ – କୋଣାର୍କରେ ଥିବା ରାଜାରାମ ମଠ ଟ୍ରଷ୍ଟ ବୋର୍ଡ ପରିଚାଳିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଓ ଅଣସର ବିଜେ ନୀତି ଆଧ୍ୟାତ୍ମିକ ପରିବେଶରେ ଆୟୋଜିତ ହୋଇଯାଇଛି। ପ୍ରାତଃରୁ ସେବାୟତ ମାନଙ୍କ ଦ୍ଵାରା ଚତୁ୍ଦ୍ଧାମୂର୍ତ୍ତିଙ୍କ ଗୋଟି ପହଣ୍ଡି କରାଯାଇ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ସୁବାସିତ ଜଳ, ପୁଷ୍ପ ଓ ନୈବେଦ୍ୟରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ପୂର୍ବକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ପରେ ପରେ ଠାକୁରଙ୍କ ଦୁର୍ଲ୍ଲଭ ଗଜାନନ ତଥା ହାତୀ ବେଶ ଅନୁଷ୍ଠିତ ହୋଇଥିଲା। ଯାହା ଅତି ଆକର୍ଷଣୀୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ସନ୍ଧ୍ୟାରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୁରୀର ସ୍ୱରଞ୍ଜଳୀ ପକ୍ଷରୁ ଚିତ୍ତାକର୍ଷକ ଶ୍ରୀ ଜଗନ୍ନାଥ ଭଜନ ପରିବେଷଣ କରାଯାଇଥିଲା। ଟ୍ରଷ୍ଟି ବୋର୍ଡ଼ ସଭ୍ୟ ଅମରେଶ୍ୱର ନାୟକ, ଶିଶିର ସେଠ୍, ମନୋରଞ୍ଜନ ପଣ୍ଡା, ସୁମନ୍ତ ବେଉରା, ଗୋପାଳ ଦାଶ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଯାତ୍ରାରେ ସେବାୟତ ଭାବେ ଅଜୟ କୁମାର ଦାଶ, ମୁକୁନ୍ଦ ଦାଶ, ପ୍ରଦୀପ ଦାଶ ଓ ନବଘନ ପଣ୍ଡା ପ୍ରମୁଖ ଠାକୁରଙ୍କ ନିତିକାନ୍ତି କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ଟ୍ରଷ୍ଟି ପରିଚାଳକ ନିରଂଜନ ବାରିକ ଓ ଜୟଦେବ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।
