ସ୍ଵତନ୍ତ୍ର ଆଧ୍ୟାତ୍ମିକ ତତ୍ତ୍ଵ ଓ ତଥ୍ୟଭିତ୍ତିକ ପୁସ୍ତକ ’ଶନି ମହାଗ୍ରହ ପ୍ରଭାବ ଓ ପ୍ରତିକାର’ ଉନ୍ମୋଚିତ
ସ୍ଵତନ୍ତ୍ର ଆଧ୍ୟାତ୍ମିକ ତତ୍ତ୍ଵ ଓ ତଥ୍ୟଭିତ୍ତିକ ପୁସ୍ତକ ’ଶନି ମହାଗ୍ରହ ପ୍ରଭାବ ଓ ପ୍ରତିକାର’ ଉନ୍ମୋଚିତ
ଭୁବନେଶ୍ଵର : ତା. ୩/୦୫ : ଭୁବନେଶ୍ୱରସ୍ଥିତ ପୋଖରୀପୁଟ ଶ୍ରୀହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଆଧ୍ୟାତ୍ମିକ ଲେଖକ ଡ. ପ୍ରଦୀପ କୁମାର ଚୌଧୁରୀଙ୍କ ଲିଖିତ ଓ ଜ୍ଞାନଯୁଗ ପ୍ରକାଶନ ଦ୍ଵାରା ପ୍ରକାଶିତ ‘ଶନି ମହାଗ୍ରହ ପ୍ରଭାବ ଓ ପ୍ରତିକାର’ ପୁସ୍ତକ ଏକ ଭବ୍ୟ ସମାରୋହରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ପର୍ଶୁରାମ ପଣ୍ଡା ଏହି ପୁସ୍ତକକୁ ପ୍ରଥମେ ଶ୍ରୀହନୁମାନଙ୍କ ପଦାରବିନ୍ଦରେ ଦେବାର୍ପଣ କରିଥିଲେ। ଏଥିରେ ଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ସମ୍ପର୍କିତ ବୈଜ୍ଞାନିକ ତଥ୍ୟ ଓ ପୌରାଣିକ ତତ୍ତ୍ୱକୁ ପୁଙ୍ଖାନୁପୁଙ୍ଖ ଭାବରେ ଉଲ୍ଲେଖ କରାଯାଇଛି ବୋଲି ସେ କହିଥିଲେ। ଶନିଶ୍ଚରଙ୍କୁ ନେଇ ୩୦୦ ପୃଷ୍ଠାରୁ ଊର୍ଦ୍ଧ ଏକ ତତ୍ତ୍ୱ ଓ ତଥ୍ୟଭିତ୍ତିକ ପୁସ୍ତକ କୌଣସି ଭାଷାରେ ଆଜି ପର୍ଯ୍ୟନ୍ତ ପ୍ରକାଶିତ ହେବା ଦୃଷ୍ଟିକୁ ଆସିନାହିଁ ବୋଲି ଶ୍ରୀ ପଣ୍ଡା କହିଥିଲେ।
ଏହି ଦିବ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ରାକ୍ତନ ଭାରତୀୟ ପ୍ରଶାସନିକ ଅଧକାରୀ, ବିଶିଷ୍ଟ ସାହିତ୍ୟିକ ଓ କବି ଶ୍ରୀ ରତ୍ନାକର ରାଉତ ଜୀବନରେ ଆଧ୍ୟାତ୍ମିକତାର ମହତ୍ଵ ଉପରେ ଗୁରୁତ୍ଵାରୋପ କରି ଶନିଶ୍ଚର ମହାରାଜ ଆମ ଜୀବନକୁ କେତେ ଓ କିଭଳି ପ୍ରଭାବିତ କରନ୍ତି ଏବଂ ତାଙ୍କ ଦ୍ଵାରା ପ୍ରଭାବିତ ବ୍ୟକ୍ତି କେଉଁ ଆଧ୍ୟାତ୍ମିକ ଉପାୟ ଅବଲମ୍ବନ କଲେ ତାଙ୍କର କୃପାଦୃଷ୍ଟି ଲାଭ କରିପାରିବ ତାହା ନିଜ ବକ୍ତବ୍ୟରେ ଦର୍ଶାଇଥିଲେ। ସେ ଡ. ଚୌଧୁରୀ ଶ୍ରୀ ଶନିଶ୍ଚରଙ୍କୁ ନେଇ ଏକ ଯୁଗୋପଯୋଗୀ ତତ୍ତ୍ବ ଓ ତଥ୍ୟଭିଭିକ ଗ୍ରନ୍ଥ ସମାଜକୁ ପ୍ରଦାନ କରିଥିବା ହେତୁ ତାଙ୍କୁ ସାଧୁବାଦ ଜଣାଇଥିଲେ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବିଶିଷ୍ଟ ଆଧ୍ୟାତ୍ମିକ ଲେଖକ, ବାଗ୍ମୀ, ପ୍ରବଚକ ଶ୍ରୀ ବିଜୟ ଦାଶ ଏହି ପୁସ୍ତକ ଜ୍ୟୋତିଷ ଦୃଷ୍ଟିରୁ ଏକ ଉପାଦେୟ ଗ୍ରନ୍ଥ ହେବା ସହିତ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଉପଯୋଗୀ ଏବଂ ଏଥିରେ ପ୍ରକୃତ ଉପଚାର ପ୍ରାଞ୍ଜଳ ଭାବରେ ଉପସ୍ଥାପିତ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। ଡ. ଚୌଧୁରୀଙ୍କ ରଚିତ ଏହି ପୁସ୍ତକ ତଥ୍ୟ ଏବଂ ତତ୍ତ୍ଵ ଉପରେ ପର୍ଯ୍ୟବସିତ ବୋଲି କହି ଲେଖକ ଓ ପ୍ରକାଶକଙ୍କୁ ସେ ପ୍ରଶଂସା କରିଥିଲେ।
ଲେଖକ ଡ. ଚୌଧୁରୀ କହିଥିଲେ ଯେ ଉଭୟ ବୈଜ୍ଞାନିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ଶନିଶ୍ଚର ମହାଗ୍ରହ ଗ୍ରହମଣ୍ଡଳରେ ଏକ ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି ଯାହାଙ୍କର ପ୍ରଭାବରେ ସକଳ ଜଗତ ପରିଚାଳିତ। ଯାହାଙ୍କୁ ପାଥେୟ କରି ଭୌତିକ ତଥା ଆଧ୍ୟାତ୍ମିକ ଜଗତର ଜଗତର ବିକାଶର ଧାରାକୁ ନିର୍ଣ୍ଣୟ କରିହୁଏ, ଯାହାଙ୍କ ଅନୁଗ୍ରହ ହେଲେ ଜଣେ ସାଧାରଣ ବ୍ୟକ୍ତି ଅନନ୍ୟ ଦିବ୍ୟକୃପା ପ୍ରାପ୍ତ କରିଥାଏ। ଶନିଙ୍କ ଅନୁଗ୍ରହରେ ଜଣେ ସବୁକ୍ଷେତ୍ରରେ ସଫଳତା ଅର୍ଜନ କରିପାରିବ।
ଏହି କାର୍ଯ୍ୟକ୍ରମର ସଭାପତି ଜାତୀୟ ରାଜପଥର ପ୍ରାକ୍ତନ ପ୍ରକଳ୍ପ ନିର୍ଦ୍ଦେଶକ ଓ ବର୍ତମାନର ପୂଜ୍ୟତେ ବୈଷୟିକ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ପ୍ରମୋଦ କୁମାର ସାବତ ନିଜର ବକ୍ତବ୍ୟରେ କହିଥିଲେ ଯେ ଡ. ଚୌଧୁରୀଙ୍କ ଏହି ସ୍ଵତନ୍ତ୍ର ପୁସ୍ତକ ସମସ୍ତଙ୍କ ପାଇଁ ଏକ ଉପାଦେୟ ଗ୍ରନ୍ଥ ଅଟେ । ଏହି ପୁସ୍ତକ ଜଣେ ପାଠକଲେ ଶନିମହାଗ୍ରହଙ୍କ ବିଷୟରେ ବୈଜ୍ଞାନିକ ତଥ୍ୟ, ଜ୍ୟୋତିଷ ତତ୍ତ୍ବ, ଧର୍ମ, ଆଧ୍ୟାତ୍ମିକ ପରିଭାଷା, ଶନିଙ୍କର ସମସ୍ତ ଉପଚାର ବିଷୟରେ ଅବଗତ ହୋଇପାରିବେ। ସଭାରେ ବିଶିଷ୍ଟ ସଂଗୀତଜ୍ଞ ତଥା ନିର୍ଦ୍ଦେଶକ ଶ୍ରୀ କେଶବ ଚନ୍ଦ୍ର ସାହୁ ପ୍ରାରମ୍ଭିକ ଭକ୍ତିସଂଗୀତ ପରିବେଷଣ କରିଥିଲେ ଓ ଡ. ଚୌଧୁରୀଙ୍କ ଦ୍ୱାରା ଲିଖିତ ଶ୍ରୀହନୁମାନଙ୍କ ଉପରେ ଏକ ଭକ୍ତିପୂର୍ଣ ଭଜନ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଜ୍ଞାନଯୁଗ ପବ୍ଲିକେଶନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ତୁଷାରକାନ୍ତ ସାହୁ ଡ. ଚୌଧୁରୀଙ୍କ ଲିଖିତ ୬୦ ରୁ ଊର୍ଦ୍ଧ୍ବ ଆଧ୍ୟାତ୍ମିକ, ଜ୍ୟୋତିଷ ପୁସ୍ତକ ପ୍ରକାଶନ କରି ଜ୍ଞାନଯୁଗ ପବ୍ଲିକେଶନ ନିଜକୁ ଧନ୍ୟ ମନେ କରିଥିଲାବେଳେ ଏହି ପୁସ୍ତକ ’ଶନି ମହାଗ୍ରହ ପ୍ରଭାବ ଓ ପ୍ରତିକାର’ର ପ୍ରକୃତ ଉପାଦେୟତା ଓ ଆବଶ୍ୟକତା ନିଜେ ଗଭୀର ଭାବରେ ଅନୁଭବ କରିଥିବା କଥା କହିଥିଲେ । ଏହି ପୁସ୍ତକର ପ୍ରଥମ ସଂସ୍କରଣ ୨୦୦୮ ମସିହାରେ ପ୍ରକାଶିତ ହୋଇ ପୁସ୍ତକର ଲୋକପ୍ରିୟତା ଦୃଷ୍ଟିରୁ ଅନେକ ଥର ପ୍ରକାଶ ପାଇଛି । ଆଜିର ଏହି ସଂସ୍କରଣକୁ ଏକ ନୂତନ ପରିବର୍ଧିତ ସଂସ୍କରଣ ଭାବରେ ପ୍ରକାଶ କରାଯାଇଛି।
ଏକାମ୍ର ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପିକା ଶ୍ରୀମତୀ ପ୍ରଭା ମଞ୍ଜରୀ ପଟ୍ଟନାୟକ ଏହି କାର୍ଯକ୍ରମର ଆଭିମୁଖ୍ୟ, ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଂଗେସଂଗେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ ।
ଉତ୍ସବରେ ଆଧ୍ୟାତ୍ମିକ କ୍ଷେତ୍ର ଉପରେ ରୁଚି ରଖିଥୁବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ବହୁସଂଖାରେ ଆଧ୍ୟାତ୍ମିକ ସାଧକ ଓ ଭକ୍ତମାନେ ଯୋଗଦେଇଥିଲେ ।
