ସତ୍ୟବାଦୀ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ ୨୮/୧ ସତ୍ୟବାଦୀ ମହୋତ୍ସବ ଚଳିତ ବର୍ଷ ଫେବୃୟାରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ପଞ୍ଚସଖା ପଡିଆ ଠାରେ ଅନୁଷ୍ଠିତ ହେବ।ଏହି ମହୋତ୍ସବ ର ଆକର୍ଷଣୀୟ ଜ୍ୟୋତି ଯାତ୍ରା ୫ ତାରିଖ ଅପରାହ୍ନ ୪ ଘଟିକା ରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।ଗତକାଲି ଅପରାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏହି ମହୋତ୍ସବ କୁ ଶୃଙ୍ଖଳା ର ସହ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ସତ୍ୟବାଦୀ ମହୋତ୍ସବ ଏକ ଗୌରବମୟ ଉତ୍ସବ ଭାବେ ପଞ୍ଚସଖାଙ୍କ ସ୍ବାଭିମାନ ମାଟିରେ ପ୍ରତି ବର୍ଷ ପାଳିତ ହୋଇ ଆସୁଛି।ଏହି ମହୋତ୍ସବ ମାଧ୍ୟମରେ ଆମ ରାଜ୍ୟର ସମୃଦ୍ଧ କଳା ଓ ସାଂସ୍କୃତିକ ଚେତନା କୁ ଅଧିକ ଋଦ୍ଧିମନ୍ତ କରିବାର ପ୍ରୟାସ କରାଯାଉଛି ବୋଲି କହିବା ସହ ଏହାକୁ ସଫଳ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଜିଲ୍ଲାପାଳ ଶ୍ରୀ ପରିଡା ଯେଉଁ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରି ମହୋତ୍ସବ କୁ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ।ବିଷଦ ଆଲୋଚନା କରାଯାଇ ରାସ୍ତା ମରାମତି, ପାର୍କିଂ ବ୍ୟବସ୍ଥା, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଶୃଙ୍ଖଳା ରକ୍ଷା, ସ୍ବେଛାସେବୀ ନିୟୋଜନ, ସ୍ବାସ୍ଥ୍ୟ ବ୍ୟବସ୍ଥାପରିସ୍କାର ପରିଛନ୍ନତା କୁ ସୁ ନିୟନ୍ତ୍ରିତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଗଲା।ସେହିପରି ସଂସ୍କୃତି ବିଭାଗ ସହଯୋଗ ରେ ପ୍ରତି ସଂଧ୍ୟାରେ ବିବିଧ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯିବ।ଫେବୃଆରୀ ୬ ତାରିଖରେ ରକ୍ତ ଦାନ ଶିବିର ଓ ୭ ତାରିଖରେ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ର ଆୟୋଜନ କରାଯିବ ବୋଲି ସ୍ଥିର ହୋଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,ପୋଲିସ ଡିଏସପି ଦେବାଶିଷ ମିଶ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ସତ୍ୟବାଦୀ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ଦୀପକ କୁମାର ଶତପଥୀ,ତ୍ରିଲୋଚନ ରଥ,ଭବାନୀ ନନ୍ଦ, ବଦ୍ରିନାରାୟଣ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ମହୋତ୍ସବ କମିଟି ସଂଯୋଜକ ଜାନକୀ ବଲ୍ଲଭ ବରାଳ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟ ସୂଚୀ ସମ୍ପର୍କରେ ଆଲୋକପାତ କରିଥିଲେ।
