କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ
ଶିକ୍ଷା ଏବଂ ଗବେଷଣାରେ ଭାରତ ଓ ସାଉଦି ଆରବ
ସହଯୋଗ ହେବ ଅଧିକ ମଜବୁତ୍ – ଧର୍ମେନ୍ଦ୍ର ପ୍ରଧାନ
ଉଭୟ ଦେଶରେ ପରସ୍ପରର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସ୍ଥାପନ କରିବା ଉପରେ ଚର୍ଚ୍ଚା
ସାଉଦି ଛାତ୍ରଛାତ୍ରୀମାନଙ୍କୁ ଭାରତରେ ଅଧ୍ୟୟନ କରିବା ପାଇଁ ଆମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ
ଭାରତର ‘ବିକଶିତ ଭାରତ ୨୦୪୭’ ଏବଂ ସାଉଦିର ‘ଭିଜନ ୨୦୩୦’ ର ଶିକ୍ଷାଗତ ପ୍ରାଥମିକତାରେ ଦୃଢ଼ ସମନ୍ୱୟ ରହିଛି

ନୂଆଦିଲ୍ଲୀ, ଡିସେମ୍ବର ୦୯ – ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି । ଶିକ୍ଷା ଏବଂ ଗବେଷଣାରେ ଭାରତ-ସାଉଦି ଆରବ ସହଯୋଗକୁ ଆହୁରି ମଜବୁତ କରିବା ଦିଗରେ ଉଭୟ ମନ୍ତ୍ରୀ ଚର୍ଚ୍ଚା କରିଛନ୍ତି ।
ଏହି ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ଶିକ୍ଷା, ଉଦ୍ଭାବନ ତଥା ଗବେଷଣା କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବା ପାଇଁ ସାଉଦି ଆରବରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଏବଂ ଭାରତରେ ସାଉଦି ବିଶ୍ୱବିଦ୍ୟାଳୟଗୁଡ଼ିକର ବିଦେଶୀ କ୍ୟାମ୍ପସ୍ ସ୍ଥାପନ କରିବା ଉପରେ ଆଲୋଚନା କରାଯାଇଥିଲା । ବିଶେଷକରି ଉଦୀୟମାନ ଏବଂ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମିଳିତ ଗବେଷଣା ଆରମ୍ଭ କରିବା ପାଇଁ ଆଲୋଚନା ହୋଇଥିଲା । ସାଉଦି ଆରବରେ ଅଧିକ ସଂଖ୍ୟକ ସିବିଏସଇ ବିଦ୍ୟାଳୟ ଖୋଲିବାର ସମ୍ଭାବନା ଉପରେ ମଧ୍ୟ ବୈଠକରେ ଆଲୋକପାତ ହୋଇଥିଲା । ଶ୍ରୀ ପ୍ରଧାନ ସାଉଦି ଛାତ୍ରଛାତ୍ରୀମାନଙ୍କୁ ଭାରତରେ ଅଧ୍ୟୟନ କରିବା ପାଇଁ ଆମନ୍ତ୍ରଣ କରିଥିଲେ, ଯାହା ଉଭୟ ଦେଶ ମଧ୍ୟରେ ଜ୍ଞାନ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ସୁଗମ କରିବ।
ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତର ‘ବିକଶିତ ଭାରତ ୨୦୪୭’ ଏବଂ ସାଉଦିର ‘ଭିଜନ ୨୦୩୦’ ର ଶିକ୍ଷାଗତ ପ୍ରାଥମିକତାରେ ଦୃଢ଼ ସମନ୍ୱୟ ରହିଛି । ଆଜିର ବୈଠକ ଭାରତ ଏବଂ ସାଉଦି ଆରବ ମଧ୍ୟରେ ଜ୍ଞାନ ଭାଗିଦାରୀକୁ ଆହୁରି ମଜବୁତ କରିବା, ସାଂସ୍କୃତିକ ଆଦାନପ୍ରଦାନକୁ ସୁବିଧାଜନକ କରିବା, ମିଳିତ ଆକାଂକ୍ଷାକୁ ସାକାର କରିବା ଏବଂ ଉଭୟ ଦେଶକୁ ଜ୍ଞାନ-ପରିଚାଳିତ ତଥା ବିଶ୍ୱ ସ୍ତରରେ ପ୍ରତିଯୋଗୀତାମୂଳକ ସମାଜରେ ପରିଣତ କରିବା ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ଥିଲା ।ଏହି ଆଲୋଚନା ଦୁଇ ରାଷ୍ଟ୍ରର ଶିକ୍ଷା କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦେଉଛି ବୋଲି ସେ ପରିପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *