ବିକ୍ଷିପ୍ତ ଇନ୍ଦ୍ରଧନୁ
ବିକ୍ଷିପ୍ତ ଇନ୍ଦ୍ରଧନୁ
🖊️କବିରତ୍ନ ନୂତନ କୁମାର ବେହେରା
ଅନୁସନ୍ଧାନର ପରି ସମାପ୍ତି
କେବେ ହୁଏ କି ?
ଜୀବନକୁ ଖୋଜିବା
ଖୋଜି ପାଇବା
ସାଇତି ରଖି
ବର୍ଣ୍ଣ ବର୍ଣ୍ଣାଢ଼୍ୟରେ ସଜାଇବା
ନୈପୁଣ୍ୟ ଶିଳ୍ପକଳାର
ଅଭିନବ ଶୈଳୀ।
ବହିର୍ଜଗତରୁ ନେଇଯାଏ
ଅନ୍ତରର କେନ୍ଦ୍ରବିନ୍ଦୁକୁ
ବିକ୍ଷିପ୍ତ ଜଳକଣାର ପ୍ରତିଫଳନରେ
ଶୂନ୍ୟ ଆକାଶରେ
ଆଙ୍କି ହେଲା ପରି ଇନ୍ଦ୍ରଧନୁ,
ମନର ଆଶାରେ
ଇଚ୍ଛାରେ ରହିଛି ଅଗାଧ ଶକ୍ତି
ତାର ସୁବିନିଯୋଗ
ବିଶ୍ଳେଷଣାତ୍ମକ ପ୍ରକ୍ରିୟା
ଦିଏ ପ୍ରେରଣା
ସୁବିନ୍ୟାସ କରିବାକୁ ସ୍ଵରୂପ।
ଆଦିରୁ ଆଦିତ୍ୟଙ୍କର
ଦିବ୍ୟ ପ୍ରକାଶ ଏକ ଆହ୍ଵାନ,
ସଂକ୍ଷିପ୍ତକୁ କରାଇଥାନ୍ତି
ବ୍ୟାପକ ସାର୍ବଜନୀନ
ନିରାକାର ଶୂନ୍ୟରୁ ହିଁ ହୋଇଥାଏ
ରୂପର ଆକାର।
ପରମାତ୍ମା ଜୀବାତ୍ମାରେ
ଭରି ଦିଅନ୍ତି ଇନ୍ଧନ
ବିକେନ୍ଦ୍ରୀକରଣ କରିଥାନ୍ତି
ଅନ୍ତର୍ନିହିତ ପ୍ରତିଭାର ସତ୍ତାକୁ,
ଅନୁଶୀଳନରେ ଇନ୍ଦ୍ରଧନୁ
କରେ ବ୍ୟାଖ୍ୟା
ଜୀବନର ସଫଳତା ପାଇଁ
ଲୋଡ଼ାହୁଏ ତପସ୍ୟା।
ଆକାଶର ମେଘ
ମେଘରେ ପାଇ ଆଘାତ
ପ୍ରତିଘାତରୁ ସୃଷ୍ଟି କରିଥାଏ
ବିଜୁଳି,ବଜ୍ର ଓ ଘଡ଼ଘଡ଼ି,
ସଂଯୋଗ ବିଯୋଗ
ସୃଷ୍ଟି ଚଳନ୍ତି କ୍ରମଧାରା
ଅନନ୍ତ ଶକ୍ତିର ପରିପ୍ରକାଶରେ
ହୁଏ ରୂପାନ୍ତର ।
ସାତରଙ୍ଗୀ ଇନ୍ଦ୍ରଧନୁ
ସେଇ ଦିବ୍ୟତ୍ଵର ଏକ ପ୍ରତୀକ
ଜୀବନ ବି ହୁଏ ସେଇ
ରଙ୍ଗେ ରଙ୍ଗାୟିତ,
କର୍ମରତ ହୋଇ ସର୍ବଦା
ଜାରି ରଖିଥିଲେ ଅଧ୍ୟବସାୟ।
କୋହି,ବାରିପଦା,ମୟୂରଭଞ୍ଜ।
