ବିଜ୍ଞାନ ଦିବସ

ବିଜ୍ଞାନ ଦିବସରେ ସ୍ବତନ୍ତ୍ର ଉପସ୍ଥାପନା

        ବିଜ୍ଞାନ ଦେଇଛି ନୂଆ ଜୀବନ

   ✍🏼କବିରତ୍ନ ନୂତନ କୁମାର ବେହେରା

ବିଜ୍ଞାନ ଦେଇଛି ନୂଆ ଜୀବନ
            ପ୍ରଗତି ପଥରେ ଚାଲେ ମାନବ,
ପ୍ରତି ହୃଦୟେ ଆସେ ଜାଗରଣ
             ଶାନ୍ତି ସନ୍ତୋଷ ହୁଏ ଅନୁଭବ।

ବିଶେଷ ଜ୍ଞାନ ଅଟଇ ବିଜ୍ଞାନ
             ଶ୍ରମ ସାଧନାରେ ହୁଅଇ ବୃଦ୍ଧି,
ଏକାଗ୍ରତାର ଲକ୍ଷ୍ୟେ ଥିଲେ ଧ୍ୟାନ
             ସାଧକ ପାଇଥାଏ ତାର ସିଦ୍ଧି।

ଦୈନିକ ନୂଆ ନୂଆ କେତେ ଯନ୍ତ୍ର
               ହୁଅଇ ଆବିଷ୍କାର ଉଦ୍ଭାବନ,
ମଣିଷ ରହେ ଆନନ୍ଦେ ସ୍ଵତନ୍ତ୍ର
           ତା’ ଆବଶ୍ୟକତା ହୁଏ ପୂରଣ।

ଶିକ୍ଷା ସ୍ବାସ୍ଥ୍ୟ କୃଷି ବାଣିଜ୍ୟରେ
               ବିଜ୍ଞାନ ଆଣିଛି ପରିବର୍ତ୍ତନ,
ଲୋଡ଼ା ହୁଏ ସମାଜର ଚଳଣିରେ
      ମଣିଷ ସୁଖେ କାଟେ ତା’ ଜୀବନ।

ଦୁଃସାଧ୍ୟ ରୋଗ ହୁଅଇ ଆରୋଗ୍ୟ
       ବ୍ୟବିଚ୍ଛେଦେ ଲାଗେ କୃତ୍ରିମ ଅଙ୍ଗ,
କାର୍ଯ୍ୟକ୍ଷମ ହେବାକୁ କରେ ଯୋଗ୍ୟ
       ଜୀବନେ ଖେଳେ ଖୁସିର ତରଙ୍ଗ।

ସାରା ବିଶ୍ଵ ହୋଇଛି ସଂକୁଚିତ
           ସୂଚନା ଗମନାଗମନ କ୍ଷେତ୍ରେ,
ଏକ ସ୍ଥାନେ ବସିଲେ ହୁଏ ଜ୍ଞାତ
          ଜାଣି ହୁଅଇ ତା’ ଇଚ୍ଛା ମାତ୍ରେ।

ବିଜ୍ଞାନ ଦେଇଛି ନୂଆ ଜୀବନ
       ପ୍ରତ୍ୟେକେ କରନ୍ତି ଆଜି ସ୍ଵୀକାର,
ମାତ୍ର ତା’ ବିନିଯୋଗ ହେଲେ ଆନ
             ନିମିଷକରେ ହୁଏ ସବୁ ଶୂନ।

ବିଜ୍ଞାନକୁ ଦେଲେ ବିଶେଷ ଧ୍ୟାନ
              ସୁରକ୍ଷିତ ହୁଏ ଧନ ଜୀବନ,
ବ୍ୟତିରେକରେ ଆସଇ ଦୁର୍ଦ୍ଦିନ
          ବିକାଶ ବିଲୟର ହୁଏ ଶ୍ମଶାନ।

        କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *