ଜିଲ୍ଲା ଶିକ୍ଷା ଅଧିକାରୀ ବିଜ୍ଞାନମେଳାକୁ ଅଣଦେଖା

ଜିଲ୍ଲା ଶିକ୍ଷା ଅଧିକାରୀ ବିଜ୍ଞାନମେଳାକୁ ଅଣଦେଖା –

ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ବ୍ଳକ ସ୍ତରୀୟ ୩୧ ତମ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ବିଡ଼ିଓ ରତନଲାଳ ଲୋହରା, ବିଜ୍ଞାନ ମେଳାର ସଭାପତି ତଥା ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ସମ୍ପାଦକ ନିହାର ବାଳା ରାଉତ, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା, ନିରୁପମା ମହାପାତ୍ର, ବିନୋଦିନୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଗଣିଆ ବ୍ଳକର ବିଭିନ୍ନ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ପ୍ରାୟ ୧୨୭ଟି ବିଜ୍ଞାନ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ସେଥିମଧ୍ୟରୁ ପ୍ରାଥମିକ ସ୍ତରରେ ୩୨ଟି ଏବଂ ଉଚ୍ଚ ପ୍ରାଥମିକ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ୯୫ଟି ପ୍ରକଳ୍ପ ଆସିଥିଲା । ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ୍ ବିଜ୍ଞାନ ମେଳାରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେ ସମସ୍ତ ପ୍ରକଳ୍ପ ଗୁଡିକୁ ପରିଭ୍ରମଣ କରିଥିଲେ । ବିଚାରକ ଭାବେ ସାତପାଟଣା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଏବଂ ତୁମାଣ୍ଡି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କୁ ମୁଖ୍ୟ ଅତିଥି, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର ବେହେରାଙ୍କୁ ମୁଖ୍ୟ ବକ୍ତା, ଉପାଧ୍ୟକ୍ଷ ରାଜକିଶୋର ସାହୁ ଏବଂ ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆଙ୍କୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ କରାଯାଇଥିଲା । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ବିଜ୍ଞାନମେଳାକୁ ଅଣଦେଖା କରିଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି । ବିଜ୍ଞାନ ମେଳା ପାଇଁ ଚାନ୍ଦା ଆଦାୟ କରାଯାଉଥିବା ସମ୍ପର୍କରେ ଦୈନିକ ଖବରକାଗଜ ସକାଳରେ ଖବର ପ୍ରକାଶିତ ହୋଇଥିବାରୁ ସାମ୍ବାଦିକଙ୍କୁ ଭୟ କରି ଜିଲ୍ଲା ଶିକ୍ଷା ଅଧିକାରୀ ବିଜ୍ଞାନ ମେଳାରେ ଯୋଗ ଦେଇନଥିବା ଆଲୋଚନା ହେଉଛି । ବ୍ଳକ ସ୍ତରରୁ ୧୭ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା । କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଶିକ୍ଷୟତ୍ରୀ ଉର୍ଜା ସାହୁ ଏବଂ ସଶ୍ମିତା ମଣ୍ଡଳ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସଂଘର ସମ୍ପାଦକ ସୁରେଶ କୁମାର ବେହେରା,ବାମନ ଚରଣ ବାରିକି,ଶୋଭନ କୁମାର ପଣ୍ଡା, ସୁନିଲ କୁମାର ସାହୁ, ସତ୍ୟଭାମା ସେନାପତିଙ୍କ ସମେତ ସମସ୍ତ ସିଆରସିସି ତଥା ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ବ୍ୟୁରୋ ଚିଫ୍ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *