ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞର ଦ୍ବିତୀୟ ସଂଧ୍ୟା, ହଜାର ହଜାର ଦର୍ଶକଙ୍କ ସମାଗମ
ଗଣିଆ -ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ତଥା ମଣିଭଦ୍ରା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ସକାଳେ ସୂର୍ଯ୍ୟପୂଜା ପରେ ସିଦ୍ଧଯୋଗୀ ସ୍ବର୍ଗତ ବାବା ରାମଦାସଙ୍କ ପାଦୁକା ପୂଜା ଅନୁଷ୍ଠିତ ହୋଇଥିଲା । ପୁରୀର ପୂଜାପଣ୍ଡା ଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଆସିଥିଲେ । ସେମାନେ ମୁଖ୍ୟ ମଞ୍ଚରେ ବେଦପାଠ କରିଥିଲେ । ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ମାନଙ୍କୁ ନେଇ ସାଧୁମେଳା ଅନୁଷ୍ଠିତ ହୋଇଥିଲା । ଧର୍ମରକ୍ଷା, ରାଷ୍ଟ୍ର ରକ୍ଷା,ଗୋରକ୍ଷା ସମ୍ପର୍କରେ ସାଧୁମାନେ ମତ ଦେଇଥିଲେ । ସତ୍ୟ, ଶାନ୍ତି ସେବା ଟ୍ରଷ୍ଟର ତଥା ଯଜ୍ଞ କମିଟିର ସଭାପତି ଅଜୟ ପଟ୍ଟନାୟକ, ଉପଦେଷ୍ଟା ନିର୍ମଳ ପଟ୍ଟନାୟକ,ଧିରେନ୍ଦ୍ର ପାଣିଗ୍ରାହୀ, ସୁଧାଂଶୁ ଶେଖର ମିଶ୍ର, ଆଦିତ୍ୟ ନାରାୟଣ ମହାସୁପକାର,ପାର୍ଥ ସାରଥିଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଦ୍ବିତୀୟ ଦିନରେ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ଜଣାପଡିଛି ।
