ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ‘ଚକ୍ରବ୍ୟୁହ’ରେ ବାନ୍ଧି ହୋଇଗଲେ ଦର୍ଶକ
ନୟାଗଡ଼,୧୬/୩: ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟକୁ ବାନ୍ଧି ରଖିଥିଲା ବାରିପଦା ‘ନୂପୁର’ ନାଟ୍ୟାନୁଷ୍ଠାନର ଲୋକପ୍ରିୟ ନାଟକ ‘ଚକ୍ରବ୍ୟୁହ’। ଡଃ କୁମରମଣି ନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକ ମଣିଷ ଜୀବନର ଭାଗ୍ୟ, ଜ୍ୟୋତିଷ ଶାସ୍ତ୍ର ଏବଂ ଅଦୃଶ୍ୟ ନିୟତିର ଖେଳକୁ ନେଇ ବେଶ ଗତିଶୀଳ।କଣ ଏହି ‘ଚକ୍ରବ୍ୟୂହ’? ମଣିଷ ଯେତେବେଳେ ଦୁଃଖ ଓ ଅଶାନ୍ତିରେ ଘାଣ୍ଟି ହୁଏ, ସେ ଭାଗ୍ୟକୁ ପରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାରା ନିଏ। ମାତ୍ର ନାଟକଟି ଏକ ଗଭୀର ସତ୍ୟକୁ ଉନ୍ମୋଚନ କରିଛି – “ଭାଗ୍ୟମ୍ ଫଳତି ସର୍ବତ୍ର, ନ ବିଦ୍ୟା ନ ଚ ପୌରୁଷମ୍”। ଅର୍ଥାତ୍, ସବୁଠି ଭାଗ୍ୟ ହିଁ ବଳବାନ। ନାଟକଟି ଦର୍ଶାଇଛି ଯେ, ସାଗର ମନ୍ଥନ ବେଳେ ଭାଗ୍ୟବାନ ବିଷ୍ଣୁ ଲକ୍ଷ୍ମୀଙ୍କୁ ପାଇଥିଲେ ମଧ୍ୟ ମହାଦେବଙ୍କ ଭାଗ୍ୟରେ କେବଳ ଗରଳ ହିଁ ଜୁଟିଥିଲା। ଜୀବନ ଏକ ଚକ୍ରବ୍ୟୂହ ଭଳି, ଯେଉଁଥିରେ ଥରେ ପଶିଗଲେ ବାହାରିବା ଅସମ୍ଭବ। ସେ ଜୟଦେବ ସେନାପତି ହୁଅନ୍ତୁ ବା ଜଣେ ସାଧାରଣ ମଣିଷ, ନିୟତିର ଏହି ଖେଳରୁ କେହି ମୁକୁଳି ପାରିବେ ନାହିଁ। ଅଧ୍ୟାତ୍ମିକତା ଓ ବାସ୍ତବବାଦର ଏହି ସମନ୍ୱୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଡଃ କୁମରମଣି ନାୟକ,ଅମିତ୍ ଅରବିନ୍ଦ ନାୟକ,ଅଜୟ କୁମାର ପରିଡ଼ା,ସରୋଜ କୁମାର ଶତପଥୀ ପ୍ରମୁଖଙ୍କ ବଳିଷ୍ଠ ଅଭିନୟ ଦର୍ଶକ ମାନଙ୍କୁ ଚକ୍ରବ୍ୟୁହର ମାୟାଜାଲରେ ବାନ୍ଧି ରଖିଥିଲା। ନାଟକଟିର ସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଜୟ କୁମାର ପରିଡ଼ା ଥିବାବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଜେନ୍ଦ୍ର କୁମାର ରାଉତ। ଦ୍ୱିତୀୟ ସନ୍ଧ୍ୟାର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଏ. ଜି. ଗଣେଶ ଏବଂ ନାଟକର ନିର୍ଦ୍ଦେଶକ ଡଃ କୁମରମଣୀ ନାୟକ ଯୋଗଦାନ କରିଥିଲେ। ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେଉଥିବା ଏହି ନାଟକ ମହୋତ୍ସବ ଦେଖିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦର୍ଶକଙ୍କ ବେଶ ଭିଡ଼ ଜମିଥିଲା।
