ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୦୫.୦୩. ୨୦୨୬ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ୨୦୨୬ ଫେବୃଆରୀ ମାସ ଶେଷ ସୁଦ୍ଧା ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଅନୁମୋଦିତ ଖର୍ଚ୍ଚ ଅଗ୍ରଗତି ସଂପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ଧାର୍ଯ୍ୟ ସମୟ ଚଳିତ ମାସ ଶେଷ ସୁଦ୍ଧା ବଜେଟ୍ ଅନୁମୋଦନ ହିସାବରେ ଖର୍ଚ୍ଚ ଉପଯୋଗ କରିବା ଏବଂ ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ରେ ପ୍ରସ୍ତାବିତ ନୂତନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ପ୍ରସ୍ତତି କରିବାକୁ ବିଶେଷ ଦୃଷ୍ଟି ଦେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ଫେବୃୟାରୀ ୨୦୨୬ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସ୍ଥିତି ସମୀକ୍ଷା କରାଯାଇଥିଲା । ସାମଗ୍ରିକ ଭାବେ ଗତ ବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଖର୍ଚ୍ଚ ହାର ୯.୩ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମ ବାବଦକୁ ସାମଗ୍ରିକ ଭାବେ ଖର୍ଚ୍ଚରେ ୧୪% ବୃଦ୍ଧି ପାଇଛି । କୃଷି ବିଭାଗରେ ଗତ ବର୍ଷ ଅପେକ୍ଷା ବଜେଟ୍ ବ୍ୟୟ ୧୩% ବୃଦ୍ଧି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ୩୯%, ସମବାୟ ବିଭାଗର ୫୬% ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇଛି । ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶକ୍ତି ବିଭାଗର ୪୩% ବୃଦ୍ଧି ଘଟିଛି । ସାମାଜିକ କ୍ଷେତ୍ର ଅନ୍ତର୍ଭୁକ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଆଦି ବିଭାଗର ଗତ ବର୍ଷ ଅପେକ୍ଷା ସାମଗ୍ରିକ ଭାବେ ଖର୍ଚ୍ଚ ୧୯% ବୃଦ୍ଧି ଘଟିଛି । ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗଓ୍ୱାରୀ ଖର୍ଚ୍ଚ ସ୍ଥିତି ସମୀକ୍ଷା କରିଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ଶେଷ ସୁଦ୍ଧା ସାମଗ୍ରିକ ବ୍ୟୟ ବୃଦ୍ଧି ହାର ହାସଲ ପାଇଁ ସମସ୍ତ ବିଭାଗକୁ କାର୍ଯ୍ୟକ୍ରମ ବାବଦକୁ ବ୍ୟୟ ବୃଦ୍ଧି କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ସେହିପରି ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୬-୨୭ ବଜେଟ୍‌ରେ ଯେଉଁ ଯେଉଁ ନୂଆ ନୂଆ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରମୁଖ ଉପକ୍ରମଗୁଡ଼ିକ ଘୋଷଣା କରାଯାଇଛି, ବଜେଟ୍‌ ଅନୁମୋଦନକୁ ଦୃଷ୍ଟିରେ ରଖି ଆଗୁଆ ତାହାର କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ନୂଆ ନୂଆ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଂପର୍କରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି । “ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ‘ରାଜ୍ୟ ଏଆଇ ମିଶନ’କୁ ଗୁରୁତ୍ୱ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭାରତର ଅଗ୍ରଣୀ କୃତ୍ରିମ ବୁଦ୍ଧିମତ୍ତା ସଂସ୍ଥା ‘ସର୍ବମ୍ ଏଆଇ’ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ସହଯୋଗ ସମ୍ଭାବନା ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ସଂସ୍ଥା ପକ୍ଷରୁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରଶାସନରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ମାଧ୍ୟମରେ ବିଭାଗୀୟ କାର୍ଯ୍ୟକୁ ଅଧିକ ସହଜ, ଦ୍ରୁତ ଓ କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ପ୍ରସ୍ତାବ ରଖାଯାଇଥିଲା । ଉଲ୍କେଖ ଯୋଗ୍ୟ ଯେ, ‘ସର୍ବମ୍ ଏଆଇ’ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସହ ଚୁକ୍ତିବଦ୍ଧ ଥିବା ସହ ‘ଇଣ୍ଡିଆ ଏଆଇ ସମିଟ୍’ରେ ମଧ୍ୟ ସମ୍ମାନିତ ହୋଇଛି ।” ସର୍ବମ୍ ଏଆଇ ମାଧ୍ୟମରେ ସରକାରୀ ବିଭାଗଗୁଡ଼ିକରେ ବହୁଭାଷୀ ଭଏସ୍-ଆଧାରିତ ସହାୟତା, ରିଅଲ-ଟାଇମ୍ ଡାଟା ଆନାଲିଟିକ୍ସ ଏବଂ ସରକାରୀ ନଥିପତ୍ରର ସ୍ୱୟଂଚାଳିତ ଡ୍ରାଫ୍ଟିଂ ଭଳି ସୁବିଧା ଉପଲବ୍ଧ ହେବ । ଏହା ସହିତ କୃଷକମାନଙ୍କୁ ପରାମର୍ଶ ପ୍ରଦାନ, ସବସିଡି ସଚେତନତା ଏବଂ ଜନ ଅଭିଯୋଗର ସମାଧାନ ପାଇଁ ଏହି ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରାଯିବ, ଯାହା ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବ । ଏ ସଂପର୍କରେ “ସର୍ବମ” ଏଆଇ ତରଫରୁ ବିସ୍ତୃତ ଉପସ୍ଥାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *