ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୦୪.୦୪. ୨୦୨୬ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅର୍ଥ ବିଭାଗ ପକ୍ଷରୁ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ, ବ୍ୟୟ ଓ ରାଜସ୍ୱ ଆଦାୟ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବୈଠକରୁ ଜଣାଯାଇଛି ଯେ, ମାର୍ଚ୍ଚ ୨୦୨୬ ଶେଷ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଅନୁମୋଦନ ଅନୁସାରେ ସାମଗ୍ରିକ ବ୍ୟୟ ପୂର୍ବ ବର୍ଷ ଏହି ସମୟ ତୁଳନାରେ ୮.୮% ବୃଦ୍ଧି ପାଇଛି । ସେହିଭଳି କାର୍ଯ୍ୟକ୍ରମ ବାବଦକୁ ବ୍ୟୟ ସାମଗ୍ରିକ ଭାବେ ୧୦ ପ୍ରତିଶତ ବୃଦ୍ଧି ଘଟିଛି । କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ସାମଗ୍ରିକ ଭାବେ ୧୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ସାମଗ୍ରିକ ଭାବେ ଗତ ବର୍ଷ ତୁଳନାରେ ବ୍ୟୟ ଅଭିବୃଦ୍ଧି ଘଟିଛି । ସାମାଜିକ କ୍ଷେତ୍ରରେ ୧୩ ପ୍ରତିଶତ, ହସ୍ତତନ୍ତ, ପର୍ଯ୍ୟଟନ, ଦକ୍ଷତା ବିକାଶ କ୍ଷେତ୍ରଭଳି ସୂର୍ଯ୍ୟାଦୟ କ୍ଷେତ୍ରରେ ବ୍ୟୟ ଅଭିବୃଦ୍ଧି ହୋଇଛି । ବିଭିନ୍ନ ବିଭାଗର ବ୍ୟୟ ସ୍ଥିତି ସମୀକ୍ଷା କରାଯାଇଥିଲା । ରାଜ୍ୟର ନିଜସ୍ୱ ଆୟ, ଅଣ ଟିକସ, କେନ୍ଦ୍ରୀୟ କର ବାବଦକୁ ରାଜ୍ୟର ଅଂଶ ବାବଦକୁ ରାଜ୍ୟର ଅନୁଦାନକୁ ମିଶାଇ ସାମଗ୍ରିକ ଭାବେ ରାଜସ୍ୱ ଆଦାୟ ୮୩.୪୨% ହୋଇଛି । ଉଭୟ ବ୍ୟୟ ବୃଦ୍ଧି ହାର ଓ ରାଜସ୍ୱ ଆଦାୟ ଲକ୍ଷ୍ୟ ବୃଦ୍ଧିରେ ନିରନ୍ତର ପ୍ରୟାସ ପାଇଁ ରାଜସ୍ୱ ବିଭାଗ, ଇସ୍ପାତ ଓ ଖଣି ବିଭାଗ ଏବଂ ଅର୍ଥ ବିଭାଗ ସମେତ ସମସ୍ତ ବିଭାଗର ପ୍ରୟାସକୁ ପ୍ରଶଂସା କରାଯାଇଥିଲା । ଚଳିତ ନୂଆ ଆର୍ଥିକ ବର୍ଷ ବଜେଟ୍ ୨୦୨୬-୨୭ ପରିପ୍ରେକ୍ଷୀରେ ପ୍ରତି ୧୫ ଦିନରେ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରହୁଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ସମୀକ୍ଷା କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ବିଭାଗରେ ଚାଲୁ ରହିଥିବା ପ୍ରାୟ ଏକ ପ୍ରକାର ଯୋଜନାକୁ ସଂଗଠିତ କରି ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ ଦିଆଯାଇଛି, ଯଦ୍ୱାରା ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସଂପର୍କରେ ସୁବିଧାରେ ତଦାରଖ ଓ ସମୀକ୍ଷା କରାଯାଇପାରିବ । ଏ ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ବିଭାଗୀୟ ସ୍ତରରେ ସମୀକ୍ଷା କରି ପ୍ରସ୍ତାବ ଦେବାକୁ କହିଛନ୍ତି । ବୈଠକରେ ୨୦୩୬ ବିକଶିତ ଓଡ଼ିଶା ଏବଂ ଓ ୨୦୪୭ ବିକଶିତ ଭାରତ ଆଭିମୁଖ୍ୟକୁ ଲକ୍ଷ୍ୟ ରଖି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲଓ୍ୱନ୍ତ ସିଂ ଉପସ୍ଥାପନ କରିଥିଲେ । ପର୍ଯ୍ୟଟନ ଯୋଗୁଁ ଅଧିକ ପରୋକ୍ଷ ଓ ପ୍ରତ୍ୟେକ୍ଷ ନିଯୁକ୍ତି ସୃଷ୍ଟି, ଗ୍ରାମୀଣ ଓ ଅପହଞ୍ଚ ଅଂଚଳରେ ସମାବେଶୀ ବିକାଶ, କମ୍ କୁଶଳୀଙ୍କୁ ଉଚ୍ଚ କୁଶଳୀ ସୃଷ୍ଟି କରିବା ସମ୍ଭାବନା, ରାଜ୍ୟର ଏୗତିହ୍ୟ, ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ପାଇଁ ପ୍ରୋତ୍ସାହନ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଏଥି ପାଇଁ ଜଳ ସଂପଦ, ରେଳ ବିଭାଗ କର୍ତ୍ତୃପକ୍ଷ, ଜାତୀୟ ରାଜପଥ, ପୂର୍ତ୍ତ ବିଭାଗ, ଗ୍ରାମ ଉନ୍ନୟନ, ରାଜସ୍ୱ ଆଦି ସଂପୃକ୍ତ ବିଭିନ୍ନ ବିଭାଗ ସଂପର୍କିତ କାର୍ଯ୍ୟ ଓ ସହଯୋଗ ସଂପର୍କରେ ସେ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ପାଇଁ ଆଲୋଚନା କରିଥିଲେ । “ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା” ଆଭିମୁଖ୍ୟ ନେଇ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ସମସ୍ତର ସହଯୋଗ ପାଇଁ ସେ ଆହ୍ୱାନ ଦେଇଛନ୍ତି । ବିଦେଶରୁ ପର୍ଯ୍ୟଟକ ମାନେ ଭାରତକୁ ଆସିଲେ ଯେପରି ସେମାନେ ଓଡ଼ିଶାକୁ ପ୍ରଥମ ପସନ୍ଦର ସ୍ଥାନ ଭାବେ ବାଛିବେ, ସେଥିପାଇଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ ଓ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲେ । ଏପ୍ରିଲ ୨ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ “ସାଧନା ସପ୍ତାହ-୨୦୨୬” ଅବସରରେ ମିଶନ କର୍ମଯୋଗୀ ଅଧିନରେ ନିଜ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ସପ୍ତାହରେ ଅନ୍ତତଃ ୧ଟି ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ପାଠ୍ୟକ୍ରମ ଓ ଗୋଟିଏ ଆଇ-ଗଟ୍(ଆଇ-ଜିଓଟି) ଅନୁମୋଦିତ ଉପଲବ୍ଧ ମାର୍କେଟପ୍ଲେସ ପାଠ୍ୟକ୍ରମ ପ୍ରଶିକ୍ଷଣ ପାଇଁ ବାଧ୍ୟତାମୂଳକ କରାଯାଇଛି ଏବଂ ସପ୍ତାହରେ ୪ ଟି ଘଣ୍ଟାର ପାଠ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ରହିଛି । ପ୍ରଶିକ୍ଷଣକୁ ବ୍ୟାପକ କରିବା ପାଇଁ ସମସ୍ତଙ୍କୁ ପାଠ୍ୟକ୍ରମ ଶେଷ କରିବା ପରେ ସେ ସଂପର୍କରେ ସୋସିଆଲ ମିଡିଆରେ # igotitOdisha ରେ ସେୟାର କରିବାକୁ ପରାମର୍ଶ ଦିଆଯାଇଛି । ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗଙ୍କ ନେତୃତ୍ୱରେ କ୍ଷମତା ବୃଦ୍ଧି ଆୟୋଗ(ସିବିସି) ଓ କର୍ମଯୋଗୀ ଭାରତ ମାଧ୍ୟମରେ ଦେଶ ବ୍ୟାପୀ ନିଆଯାଇଥିବା ଏହି ଜାତୀୟ ପଦକ୍ଷେପରେ ଓଡ଼ିଶାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମାଧ୍ୟମରେ ସମନ୍ୱୟ, ତଦାରଖ ଓ ପଦକ୍ଷେପ ନିଆଯାଇଥିବା ସଂପର୍କରେ ଏକାଡେମୀର ମହା ନିର୍ଦ୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ତଥ୍ୟ ଦେଇଥିଲେ । ସମସ୍ତ ବିଭାଗ ଓ ଜିଲ୍ଲାସ୍ତରରେ ଅଧିକାରୀ ଓ କର୍ମଚାରୀମାନେ ଶତପ୍ରତିଶତ ଆଇ-ଗଟ୍ ପ୍ଲାଟଫର୍ମରେ ଯୋଡିହେବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଅଧିକରୁ ଅଧିକ ସକ୍ରିୟ ବ୍ୟବହାରକାରୀ ସଂଖ୍ୟା ବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ବିଦ୍ୟୁତ୍ ସଂଚାରଣ ଭିତ୍ତିଭୂମି ସଂପର୍କରେ ଓପିଟିସିଏଲର ପଦକ୍ଷେପ ଓ ସଫଳତା ସଂପର୍କରେ ଓପିଟିସିଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଉପସ୍ଥାପନା କରିଥିଲେ । ରାଜ୍ୟରେ ଶକ୍ତି କ୍ଷେତ୍ରରେ ଉତ୍ପାଦନ ଓ ଚାହିଦାକୁ ଦୃଷ୍ଟିରେ ରଖି ଭିତ୍ତିଭୂମିରେ ଉନ୍ନତି ଅଣାଯାଇଥିବା ଏବଂ ଆଗାମୀ ଶିଳ୍ପ ଅଭିବୃଦ୍ଧି ଏବଂ ଜନସାଧାରଣଙ୍କ ଚାହିଦା ପୂରଣ ଲକ୍ଷ୍ୟ ରଖି ବିଦ୍ୟୁତ ସଂଚରଣ ଭିତ୍ତିଭୂମିରେ ଅଧିକ ଗ୍ରୀଡ୍ ସବଷ୍ଟେସନ ବୃଦ୍ଧି ସଂପର୍କରେ ଶକ୍ତି ବିଭାଗ ଏବଂ ଓପିଟିସିଏଲର ପ୍ରୟାସକୁ ପ୍ରଶଂସା କରାଯାଇଥିଲା । ସମଗ୍ର ରାଜ୍ୟରେ ବିଦ୍ୟୁତ୍ ସଂଚରଣ ସ୍ଥିତି, ଭବିଷ୍ୟତ ପାଇଁ ପ୍ରସ୍ତୁତି, ଭୁବନେଶ୍ୱର ଓ କଟକ ସମେତ ରାଜଧାନୀ ଅଂଚଳରେ ଓପିଟିସିଏଲ ତରଫରୁ ବିଦ୍ୟୁତ୍ ସଂଚରଣ ନେଟ୍ଓ୍ୱାର୍କ ସୁଦୃଢ କରାଯାଇଥିବା ଏବଂ ଅଧିକ କାର୍ଯ୍ୟ ପାର୍ଇ ରହିଥିବା ପ୍ରସ୍ତାବିତ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
