ଅନୁସୂଚିତ ଜାତିସଙ୍ଘର ବ୍ଲକ ସ୍ତରୀୟ କର୍ମକର୍ତା ଚୟନ
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେହେଡା ଗ୍ରାମ ପଂଚାୟତ ସ୍ଥିତ ହାଟପଦା ଠାରେ ଆଜି ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ ବୈଠକରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଜିଲ୍ଲା ସଭାପତି ଅର୍ଜୁନ ସମରଥ, ଜିଲ୍ଲା ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ବାଘ, ଜିଲ୍ଲା କମିଟି ସଦସ୍ୟ ଚନ୍ଦ୍ରଶେଖର ନିହାଲ, ଜଗବନ୍ଧୁ ବାଘ, ଜଗଦିଶ ପନକା, ଚୈତନ୍ୟ ପନକା ପ୍ରମୁଖ ଯୋଗଦେଇଥିଲେ |ମଞ୍ଚାସିନ ବରିଷ୍ଠ କର୍ମକର୍ତାମାନେ ଅନୁସୂଚିତ ଜାତି ଉପରେ ହେଉଥିବା ଅତ୍ୟାଚାର, ସରକାରଙ୍କ ବୈମାତୃକ ଭାବ ତଥା ସରକାରଙ୍କ ବିଭିନ୍ନ ଯୋଜନାରେ ଅନୁସୂଚିତ ଜାତିର ଜନସାଧାରଣ ମାନଙ୍କୁ ଅବହେଳା କରାଯାଉଥିବା ପ୍ରକାଶ କରିବା ସହିତ ଦୁଃଖ ପ୍ରକାଶ କରିଥିଲେ |ସରକାରଙ୍କ ନିକଟରେ ଅନୁସୂଚିତ ଜାତିର ବିଭିନ୍ନ ସମସ୍ୟା ଗୁଡିକୁ ଉପସ୍ଥାପନା କରିବା ସହିତ ବିଭିନ୍ନ ଯୋଜନାରେ ପ୍ରାଧାନ୍ୟ ଦେବା ନିମନ୍ତେ ଜଣେଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଥିଲେ |ନିଜ ସମାଜର ହକ ପାଇବାକୁ ହେଲେ ଆମକୁ ଏକଜୁଟ ହୋଇ ସରକାରଙ୍କ ସହିତ ଲଢେଇ କରିବାକୁ ପଡିବ ବୋଲି ମତ ପ୍ରକାଶ କରିବା ସହିତ ପ୍ରତି ବ୍ଲକରେ ବ୍ଲକ କମିଟି ସବୁ ଗଠନ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ମତ ଦେଇଥିଲେ|ପରେ ଉକ୍ତ ବୈଠକରେ ଉମରକୋଟ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବାର ନିଷ୍ପତି ନିଆଯାଇଥିଲା| ପରେ ଉପସ୍ଥିତ ସଦସ୍ୟ ମାନଙ୍କ ମତାମତ ନେଇ ସୁଦର୍ଶନ ଜଗତଙ୍କୁ ସଭାପତି,ହରି ହରିଜନଙ୍କୁ ଉପ ସଭାପତି, ଚତୁରସିଂ ନାୟକଙ୍କୁ ସମ୍ପାଦକ, ଲାଲଧର ଦୁର୍ଗାଙ୍କୁ ଯୁଗ୍ମ ସମ୍ପାଦକ ଓ ମଧୁ ହରିଜନଙ୍କୁ କୋଷାଧକ୍ଷ ଭାବେ ଚୟନ କରାଯାଇଥିଲା | ଉପରୋକ୍ତ କର୍ମକର୍ତାମାନେ ବ୍ଲକ ସ୍ତରରେ ରହି ନିଜ ବ୍ଲକର ଅନୁସୂଚିତ ଜାତିର ଜନସାଧାରଣ ମାନଙ୍କ ସହିତ ଜଡିତ ରହି ସେମାନଙ୍କ ସୁଖଦୁଃଖରେ ସହ ଭାଗିତା କରିବା ସହିତ ସମସ୍ୟା ସବୁର ସମାଧାନ କରି ନିଜ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଜିଲ୍ଲା ସ୍ତରୀୟ କର୍ମକର୍ତାମାନେ ପ୍ରକାଶ କରିଥିଲେ |
