ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ପ୍ରସ୍ତୁତି ବୈଠକ
ଭୁବନେଶ୍ୱର ୦୬/୧୧/୨୦୨୫ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଅନ୍ତର୍ଗତ ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରୁ ଉଜ୍ଜୟିନୀ ଓ ଓଁକାରଶ୍ୱର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ଯୋଜନାରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ୭୭୫ ଜଣ ତୀର୍ଥଯାତ୍ରୀ ଏବଂ ସେମାନଙ୍କୁ ସହଯୋଗ କରିବାକୁ ୨୫ ଜଣ ଅଧିକାରୀ ଏହି ଦ୍ଵିତୀୟ ପର୍ଯ୍ୟାୟରେ ସାମିଲ ହେବେ । ଆସନ୍ତା ନଭେମ୍ବର ୨୫ ତାରିଖରୁ ତୀର୍ଥଯାତ୍ରୀମାନେ ଭୁବନେଶ୍ୱର ଷ୍ଟେସନରୁ ବାହାରି ଓଁକାରଶ୍ଵର ଓ ଉଜ୍ଜୟିନୀ ଦର୍ଶନ କରି ନଭେମ୍ବର ୩୦ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ଏହି ପ୍ରସ୍ତୁତି ବୈଠକରେ ତୀର୍ଥଯାତ୍ରାରେ ସାମିଲ ହେଉଥିବା ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା,ଖାଦ୍ୟପେୟ, ସ୍ୱାସ୍ଥ୍ୟ ଆଦି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ସଂପୃକ୍ତ ତୀର୍ଥଯାତ୍ରୀମାନେ ନଭେମ୍ବର ୨୪ ତାରିଖରେ ସଂପୃକ୍ତ ଜିଲ୍ଲାରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ ।

ସେମାନଙ୍କ ନିମନ୍ତେ ଭୁବନେଶ୍ୱରର ବିଭିନ୍ନ ସରକାରୀ ଅନୁଷ୍ଠାନରେ ଅସ୍ଥାୟୀ ରହଣି ସ୍ଥଳର ବ୍ୟବସ୍ଥା କରାଯିବ । ଏହି ରହଣି ସ୍ଥଳରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଯାଞ୍ଚ, ଖାଦ୍ୟପାନୀୟ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ବେଉରା ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ପର୍ଯ୍ୟଟନ ସହନିର୍ଦ୍ଦେଶକ ଶ୍ରୀ ଅଞ୍ଜନ କୁମାର ବାରିକ, ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରୀ, ପୁଲିସ, ଅଗ୍ନିଶମ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
